ହାଇଦ୍ରାବାଦ: ଭାରତ ବିଶ୍ବ ବିଜୟୀ ହେବା ଖୁସିରେ ଉତ୍ସବ ମନାଉଛନ୍ତି ଦେଶବାସୀ । ଟିମ ଇଣ୍ଡିଆକୁ ଛୁଟିଛି ଶୁଭେଚ୍ଛାର ସୁଅ । ଖୁସିରେ ଆତ୍ମବିଭୋର ହୋଇ ନିଜକୁ ଅଟକାଇ ପାରିଲେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶେଷରେ ଭାରତୀୟ ଟିମର ଖେଳାଳିଙ୍କ ସହ ଫୋନରେ କଥା ହୋଇଛନ୍ତି । ଦିନିକିଆ ବିଶ୍ବକପରେ ଖେଳାଳିଙ୍କୁ ସାନ୍ତ୍ବନା ଦେଇଥିଲେ... ଆଉ ଏବେ ଟି20 ବିଶ୍ବକପ ହାତେଇବା ପରେ ଭାରତୀୟ ଦଳ ସହ କଥା ହୋଇ ଟି20 ବିଶ୍ୱକପରେ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଦକ୍ଷତା ଏବଂ ଜଲଓ୍ବା ଦେଖାଇଛନ୍ତି । ପ୍ରତ୍ୟେକ ଖେଳାଳିଙ୍କ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରେରଣାଦାୟକ ଅଟେ ବୋଲି ଟ୍ବିଟ କରି କହିଛନ୍ତି ମୋଦି ।
ରୋହିତଙ୍କ ଅଧିନାୟକତ୍ବକୁ ମୋଦିଙ୍କ ପ୍ରଶଂସା:ରୋହିତଙ୍କ ସହ ଫୋନରେ କଥା ହୋଇଥିଲେ ମୋଦି । ଏନେଇ ସେ ଟ୍ବିଟ କରି କହିଛନ୍ତି, ''ରୋହିତ ତୁମେ ଉତ୍କୃଷ୍ଟତାର ପ୍ରତୀକ । ତୁମର ଆକ୍ରମଣାତ୍ମକ ମାନସିକତା, ବ୍ୟାଟିଂ ଏବଂ ଅଧିନାୟକତ୍ବ ଭାରତୀୟ ଦଳକୁ ଏକ ନୂଆ ଦିଗ ଦେଇଛି । ତୁମର T20 କ୍ୟାରିୟର ମନେ ରହିବ । ଆଜି ତୁମ ସହିତ କଥା ହୋଇ ମୁଁ ଖୁସି ମନେ କରୁଛି ।''