ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ସେମିଫାଇନାଲରେ ହାରିଯିବା ପରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା । ଏହି ମ୍ୟାଚ୍ରେ ସ୍ପେନକୁ 2-1ରେ ପରାସ୍ତ କରି ଦେଶକୁ 4ର୍ଥ ବ୍ରୋଞ୍ଜ ମେଡାଲ ଆଣିଛନ୍ତି ହରମନପ୍ରୀତ ସିଂହ ଆଣ୍ଡ କୋ । ତେବେ କେବଳ ଅନ୍ ଦ ଫିଲ୍ଡ ନୁହେଁ, ଅଫ୍ ଦ ଫିଲ୍ଡ ମଧ୍ୟ ଆମ ହକି ଦଳର ଖେଳାଳି ମାନେ ହିରୋ । ଏହି ଭାରତୀୟ ହକି ଦଳ ବିଷୟରେ କହିବାକୁ ଗଲେ ଏଥିରେ କେବଳ ପଞ୍ଜାବ ରାଜ୍ୟରୁ 10 ଜଣ ଖେଳାଳି ଅଛନ୍ତି । ଏହି ଖେଳାଳିଙ୍କ ମଧ୍ୟରୁ 2 ଜଣ ପଞ୍ଜାବ ସରକାରରେ PCS ଅଧିକାରୀ ରହିଥିବାବେଳେ 4 ଜଣ ଡିଏସ୍ପି ପଦରେ କାର୍ଯ୍ୟ କରୁଛନ୍ତି ।
ପଞ୍ଜାବର 8 ଜଣ ହକି ଖେଳାଳି, ଯେଉଁମାନେ ସରକାରୀ ବିଭାଗରେ ମଧ୍ୟ କାର୍ଯ୍ୟରତ :-
1. ହରମନପ୍ରୀତ ସିଂହ- ପଞ୍ଜାବ ପୋଲିସରେ ଡିଏସ୍ପି:
ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଜଣେ ପଞ୍ଜାବୀ ଖେଳାଳି । ପ୍ୟାରିସରେ ହରମନପ୍ରୀତ ସିଂ ତାଙ୍କର ତୃତୀୟ ଅଲିମ୍ପିକ୍ସ ଖେଳିଥିଲେ । ହରମନପ୍ରୀତ ଜଣେ ଡିଫେଣ୍ଡର ଏବଂ ଡ୍ରାଗ୍ ଫ୍ଲିକର ଭାବରେ ସେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । 41 ବର୍ଷ ପରେ 2021 ଟୋକିଓ ଅଲିମ୍ପିକ୍ସରେ ଭାରତ ହକିରେ ପଦକ ଜିତିଥିଲା । ହରମନପ୍ରୀତ ସିଂହ ଏଥିରେ 6ଟି ଗୋଲ ଦେଇ ଭାରତର ଶୀର୍ଷ ସ୍କୋରର ହୋଇଥିଲେ । ଏବେ ପୁଣି ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଇତିହାସ ଦୋହରାଇଥିବାବେଳେ ଅଧିନାୟକ ସର୍ବାଧିକ 10ଟି ଗୋଲ ସ୍କୋର କରିଛନ୍ତି । ତେବେ ଅମୃତସର ଜିଲ୍ଲାର ତିମୋୱାଲ ଗାଁର ବାସିନ୍ଦା ହରମନପ୍ରୀତ ସିଂହ ପଞ୍ଜାବ ପୋଲିସରେ ଡିଏସପି ଭାବେ କାର୍ଯ୍ୟରତ ।
2. ହାର୍ଦ୍ଦିକ ସିଂହ- ପିସିଏସ୍ ଅଧିକାରୀ:
ପ୍ୟାରିସରେ ଦ୍ବିତୀୟ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ସିଂ ଜଳନ୍ଧର ନିକଟ ଖୁସରୋପୁର ଗାଁର ଏକ କ୍ରୀଡା ପରିବାରରୁ ଆସିଛନ୍ତି । ତାଙ୍କ ପରିବାରରେ ଗୁରମେଲ ସିଂହ ଜଣେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା, ରାଜବୀର କୌର ଜଣେ ଏସୀୟ ଖେଳର ସ୍ବର୍ଣ୍ଣ ପଦକ ବିଜେତା ଏବଂ ଯୁଗରାଜ ସିଂହ ଜଣେ ଜୁନିୟର ବିଶ୍ବକପ ବିଜେତା । ହାର୍ଦ୍ଦିକ ସିଂହ ମିଡଫିଲ୍ଡରେ ଭାରତର ଜଣେ ଦୃଢ଼ ପିଲାର । ସେ ପଞ୍ଜାବ ସରକାରର ଜଣେ ପିସିଏସ୍ ଅଧିକାରୀ ଭାବେ କାର୍ଯ୍ୟରତ ।
3. ମନପ୍ରୀତ ସିଂହ- ପଞ୍ଜାବ ପୋଲିସରେ ଡିଏସ୍ପି:
ଭାରତୀୟ ହକି ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ମନପ୍ରୀତ ସିଂ ଏଥର ରେକର୍ଡ ଚତୁର୍ଥ ଅଲିମ୍ପିକ୍ସ ଖେଳିଛନ୍ତି । ମନପ୍ରୀତ ଏବଂ ଶ୍ରୀଜେଶଙ୍କ ପରି ଭାରତରେ କେବଳ 5 ଜଣ ଖେଳାଳି ଅଛନ୍ତି, ଯିଏ ଚାରିଟି ଅଲିମ୍ପିକ୍ସ ଖେଳିଛନ୍ତି । ମିଠାପୁର ଗାଁର ମନପ୍ରୀତ ସିଂହ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ଦଳର ଅଧିନାୟକ ଥିଲେ । ମିଡଫିଲ୍ଡରେ ସେ ଭାରତୀୟ ଦଳର ପ୍ରମୁଖ ଖେଳାଳି, ଯିଏ ଡିଫେନ୍ସ ଏବଂ ଆଟାକ୍ରେ ପ୍ରମୁଖ ଭୂମିକା ନିଭାଇଥାନ୍ତି । 350ରୁ ଅଧିକ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଥିବା ମନପ୍ରୀତ ସିଂହ ପଞ୍ଜାବ ପୋଲିସର ଜଣେ ଡିଏସ୍ପି ଅଟନ୍ତି ।
4. ମନଦୀପ ସିଂହ- ପଞ୍ଜାବ ପୋଲିସରେ ଡିଏସ୍ପି:
ମନଦୀପ ସିଂହ ଏଥର ନିଜ ଦ୍ବିତୀୟ ଅଲିମ୍ପିକ୍ସ ଖେଳିଥିଲେ । ଭାରତୀୟ ଫରୱାର୍ଡ ଲାଇନର ସବୁଠାରୁ ଅଭିଜ୍ଞ ଖେଳାଳି ମନଦୀପ ସିଂ ଏପର୍ଯ୍ୟନ୍ତ ପ୍ରାୟ 250ଟି ମ୍ୟାଚରେ 100ରୁ ଅଧିକ ଗୋଲ ସ୍କୋର କରିଛନ୍ତି । ସେ ମଧ୍ୟ ପଞ୍ଜାବ ପୋଲିସର ଡିଏସପି ଭାବେ କାର୍ଯ୍ୟରତ ଅଛନ୍ତି ।