ପ୍ୟାରିସ୍ (ଫ୍ରାନ୍ସ): ଶୁଟିଂରୁ ଭାରତକୁ ଆଉ ଏକ ମେଡାଲ ଆଶା ଧୂଳିସାତ୍ ହୋଇଗଲା । ମହିଳା 10 ମିଟର ଏୟାର ରାଇଫଲ ଫାଇନାଲ୍ରେ ଆଶାନୂରୂପ ପ୍ରଦର୍ଶନ କରିପାରିନାହାନ୍ତି ଭାରତୀୟ ଷ୍ଟାର ଶୁଟର ରମିତା ଜିନ୍ଦଲ । ଫଳରେ ଏହି ଇଭେଣ୍ଟରୁ ଭାରତକୁ ଆଉ ଏକ ପଦକ ଆସିବାର ଆଶା, ଆଶାରେ ରହିଯାଇଛି । ସୋମବାର ପ୍ୟାରିସ ଅଲିମ୍ପିକ୍ସରେ ଖେଳାଯାଇଥିବା ମହିଳା 10 ମିଟର ଏୟାର ରାଇଫଲ ଫାଇନାଲ୍ରେ 7ମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ରମିତା ଜିନ୍ଦଲ ।
ସିରିଜ୍-1ରୁ ଖରାପ ପ୍ରଦର୍ଶନ:-
ରାମିତା ଜିନ୍ଦଲ ସିରିଜ୍ -1ରୁ ହିଁ ଖରାପ ଆରମ୍ଭ କରିଥିଲେ । ନିଜ ଲୟରୁ ସେ ବାରମ୍ବାର ବିଚ୍ୟୁତ ହେଉଥିଲେ । ସିରିଜ୍-1 ଶେଷ ବେଳକୁ ରମିତା 10.3, 10.2, 10.6, 10.9 ଓ 10.5 ସ୍କୋର ସହିତ ଚତୁର୍ଥ ସ୍ଥାନରେ ରହିଥିଲେ । ସିରିଜ୍-2ର ଶେଷ ସଟ୍ରେ ରମିତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏଥିରେ ସେ କେବଳ 9.7 ପଏଣ୍ଟ ପାଇଥିଲେ । ଏହି ଦୁର୍ଭାଗ୍ୟଜନକ ଫଳାଫଳ ପ୍ରତିଯୋଗିତାରେ ତାଙ୍କ ସ୍ଥିତିକୁ ଯଥେଷ୍ଟ ପ୍ରଭାବିତ କରିଥିଲା ଏବଂ ସେ ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ । ଏହି ସଟ୍ ପୂର୍ବରୁ ରମିତା ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ କମ୍ ସ୍କୋର କାରଣରୁ ସେ ବର୍ତ୍ତମାନ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି ।
ରାମିତା ଆରମ୍ଭରୁ ଫାଇନାଲରେ ପଦକ ରେସ୍ରେ ଥିଲେ । କିନ୍ତୁ ଦଶମ ସଟ୍ରେ 9.7 ସ୍କୋର କାରଣରୁ ସେ 7ମ ସ୍ଥାନକୁ ଖସି ଆସିଥିଲେ । ଶେଷରେ, ସେ ଫ୍ରାନ୍ସର ଓସେନ ମୁଲେରଙ୍କ ବିପକ୍ଷରେ ସୁଟ୍-ଅଫ୍ ହାରିଯାଇଥି । ରମିତା 10.5 ସ୍କୋର କରିଥିବାବେଳେ ମୁଲେର 10.8 ସ୍କୋର କରିଥିଲେ ।