ହାଇଦ୍ରାବାଦ: ପ୍ୟାରିସ ଅଲିମ୍ପିକ୍ସ 2024ରେ 50 କିଲୋଗ୍ରାମ ମହିଳା କୁସ୍ତି ଫାଇନାଲରେ ପହଞ୍ଚି ଇତିହାସ ରଚିଥିଲେ ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗତ । ବୁଧବାର ତାଙ୍କର ଫାଇାନଲ ମ୍ୟାଚ୍ ରହିଥିଲା । ସାରା ଦେଶ ଭିନେଶଙ୍କଠାରୁ ରୌପ୍ୟ ପଦକ ଆଶା କରିଥିବାବେଳେ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ବିଭିନ୍ନ କ୍ଷେତ୍ରରୁ ଭିନେଶଙ୍କୁ ସମର୍ଥନ ମିଳୁଛି । ଏପରିକି ଅନେକ ବିଦେଶ ଆଥଲେଟ୍ ମଧ୍ୟ ଭିନେଶଙ୍କ ପ୍ରତି ଅନ୍ୟାୟ ହୋଇଥିବା ପ୍ରକାଶ କରିଛନ୍ତି । ଏହି କ୍ରମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଭିନେଶଙ୍କ ସମର୍ଥନରେ ବାହାରିଛନ୍ତି । କେବଳ ସମର୍ଥନରେ ବାହାରିଛନ୍ତି ତା' ନୁହେଁ, ଭିନେଶ ରୌପ୍ୟ ପଦକର ହକଦାର ବୋଲି ମଧ୍ୟ ଏକ ପୋଷ୍ଟରେ ଲେଖିଛନ୍ତି ସଚିନ ।
ଭିନେଶ ରୌପ୍ୟ ପଦକର ହକଦାର :-
ସଚିନ ନିଜ 'X' ହ୍ୟାଣ୍ଡେଲରେ ଲେଖିଛନ୍ତି, 'ପ୍ରତ୍ୟେକ ଖେଳର ନିୟମ ଅଛି ଏବଂ ସେହି ନିୟମଗୁଡିକ କାର୍ଯ୍ୟକାରୀ ମଧ୍ୟ ହେବା ଉଚିତ । ବେଳେବେଳେ ନିୟମ ଗୁଡ଼ିକର ପୁନର୍ବିଚାର ମଧ୍ୟ କରାଯାଏ । ଭିନେଶ ଫୋଗତ ଫାଇନାଲ୍ ପାଇଁ ନିୟମ ଆଧାରରେ ଖେଳି ଯୋଗ୍ୟତା ଅର୍ଜନ କରିଥିଲେ । ହେଲେ ଫାଇନାଲ ମ୍ୟାଚ୍ ପୂର୍ବରୁ ଓଜନ ଉପରେ ଆଧାର କରି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ତେଣୁ ତାଙ୍କୁ ସେ ହକଦାର ଥିବା ରୌପ୍ୟ ପଦକରୁ ବଞ୍ଚିତ କରିବା ତର୍କ ଏବଂ କ୍ରୀଡ଼ା ମନୋବୃତ୍ତିର ବିରୋଧ । କାର୍ଯ୍ୟଦକ୍ଷତା ବୃଦ୍ଧିକାରୀ ଔଷଧର ବ୍ୟବହାର କରି ଯଦି ଜଣେ ଆଥଲେଟ୍ ନିୟମ ଉଲ୍ଲଂଘନ ପାଇଁ ଅଯୋଗ୍ୟ ହୋଇଥାନ୍ତେ, ସେହି କ୍ଷେତ୍ରରେ କୌଣସି ପଦକ ନଦେଇ ତାଙ୍କ ଅଭିଯାନ ଶେଷ କରିବା ଠିକ୍ ହେବ । ହେଲେ ଭିନେଶ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ନିୟମ ଆଧାରରେ ପରାସ୍ତ କରି ଫାଇନାଲ ପ୍ରବେଶ କରିଥିଲେ । ସେ ନିଶ୍ଚିତ ଭାବରେ ଏକ ରୌପ୍ୟ ପଦକ ପାଇବାକୁ ଯୋଗ୍ୟ । ଯେତେବେଳେ ଆମେ ସମସ୍ତେ 'Court of Arbitration for Sport' (CAS) ନିଷ୍ପତ୍ତିକୁ ଅପେକ୍ଷା କରିଛୁ, ସମସ୍ତେ ଆଶା କରିବା ଏବଂ ପ୍ରାର୍ଥନା କରିବା ଯେ ଭିନେଶ ତାଙ୍କ ଯୋଗ୍ୟତା ହାସଲ କରନ୍ତୁ ।'