ପ୍ୟାରିସ (ଫ୍ରାନ୍ସ):ପ୍ୟାରିସ ଅଲମ୍ପିକ୍ସରେ ନିରାଶ କଲେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ । ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ 16 ରାଉଣ୍ଡରେ ହାରିଗଲେ ସିନ୍ଧୁ । ଚାଇନାର ସଟଲରଙ୍କ ଠାରୁ 0-2ରେ ପରାସ୍ତ ପରେ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି । ଚାଇନାର ତଥା ବିଶ୍ବର ନବମ ସଟଲର ହେ ବିଙ୍ଗଜାଓ ସିନ୍ଧୁଙ୍କୁ 21-19, 21-14 ସେଟ୍ରେ ପରାସ୍ତ କରିଥିଲେ । ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜେତା ସିନ୍ଧୁ ହ୍ୟାଟ୍ରିକ ପଦକ ହାସଲରେ ବିଫଳ ହୋଇଛନ୍ତି ।
ହ୍ୟାଟ୍ରିକ ପଦକ ଆଶା ଧୂଳିସାତ: ଅଲିମ୍ପିକ୍ସରେ ସିନ୍ଧୁ ପଦକ ଆଣିବା ନେଇ 140 କୋଟି ଭାରତୀୟ ଆଶାବାଦୀ ଥିଲେ । କାହିଁକିନା ପୂର୍ବରୁ ଖେଳାଯାଇଥିବା କ୍ରାମଗତ ଦୁଇଟି ଅଲିମ୍ପିକ୍ସରେ ସେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପଦକ ଆଣିଛନ୍ତି । 2016 ରିଓ ଅଲିମ୍ପିକ୍ସରେ ସେ ସିଲଭର ମେଡାଲ ଜିତିଥିବା ବେଳେ 2020 ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏଥର ତୃତୀୟ ଅଲିମ୍ପିକ୍ସ ପଦକ ହାତେଇବା ଲକ୍ଷ୍ୟରେ ସେ ପିଚ୍କୁ ଓହ୍ଲାଇଥିବା ବେଳେ ସଫଳତା ପାଇ ପାରିନାହାନ୍ତି । ଅଲିମ୍ପିକ୍ସ ପଦକ ଆଣିବାରେ ନିରାଶ ହୋଇଛନ୍ତି ସିନ୍ଧୁ । ଦୁଇଟି ଯାକ ସେଟରେ ସେ ପଛରେ ରହି ପରାଜିତ ହୋଇଥିଲେ ।