ହାଇଦ୍ରାବାଦ: ଅଲିମ୍ପିକ୍ସ କ୍ରୀଡ଼ାର ଏପରି ଏକ ମହାକୁମ୍ଭ, ଯେଉଁଠାରେ ଆଥଲେଟ୍ମାନେ ବିଶ୍ବସ୍ତରରେ ନିଜର ଛାପ ଛାଡ଼ିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି । ତେବେ, ଏହି ମଞ୍ଚରେ ସମସ୍ତଙ୍କଠାରୁ ବହୁତ ଆଗକୁ ଯାଇପାରିଥିବା ଜଣେ ଆଥଲେଟ୍ ହେଉଛନ୍ତି ଆମେରିକାର ପୂର୍ବତନ ସନ୍ତରଣକାରୀ ମାଇକେଲ୍ ଫେଲପ୍ସ । ଯାହାଙ୍କ ନାମରେ ଏପରି ଏକ ବିଶ୍ବ ରେକର୍ଡ ଅଛି, ଯାହାକୁ ଭାଙ୍ଗିବା ଅସମ୍ଭବ ପରି ମନେହୁଏ । ତେବେ ସେହି ରେକର୍ଡ ହେଉଛି ସେ ଜିତିଥିବା 28 ଅଲିମ୍ପିକ୍ସ ପଦକ । ଏଥିରେ 23ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଏବଂ 2ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ । ଯାହା ଫେଲପ୍ସଙ୍କୁ ଇତିହାସର ସର୍ବଶ୍ରେଷ୍ଠ ଅଲିମ୍ପିଆନ୍ ଭାବେ ପରିଚିତ କରାଇପାରିଛି ।
ସର୍ବଶ୍ରେଷ୍ଠ ଅଲିମ୍ପିଆନ ମାଇକେଲ୍ ଫେଲପ୍ସ :-
ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସ ବାସ୍ତବରେ ସର୍ବକାଳୀନ ଶ୍ରେଷ୍ଠ ଅଲିମ୍ପିଆନ୍ ଅଟନ୍ତି । କେହି କେହି ଯୁକ୍ତି କରିପାରନ୍ତି ଯେ ଉସେନ୍ ବୋଲ୍ଟ, କାର୍ଲ ଲୁଇସ୍ କିମ୍ବା ନାଡିଆଆ କମାନେସି ମଧ୍ୟ ଶ୍ରେଷ୍ଠ ଅଲିମ୍ପିଆନ ହୋଇପାରନ୍ତି, କିନ୍ତୁ ପଦକ ଗଣନା ଦୃଷ୍ଟିରୁ ଏହି ରେସ୍ରେ ସ୍ପଷ୍ଟ ବିଜେତା ହେଉଛନ୍ତି ମାଇକେଲ ଫେଲପ୍ସ ।
ଏକା ଜିତିଛନ୍ତି 162 ଦେଶରୁ ଅଧିକ ଗୋଲ୍ଡ :-
ଫେଲପ୍ସଙ୍କ ପାଖରେ 23ଟି ସ୍ବର୍ଣ୍ଣ ପଦକ ସମେତ ମୋଟ 28ଟି ପଦକ ରହିଛି । ତାଙ୍କ ପାଖରେ ଥିବା 23ଟି ସ୍ବର୍ଣ୍ଣ ପଦକ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ପାଖରେ ଥିବା ମେଡାଲ ସଂଖ୍ୟାଠାରୁ ଦୁଇଗୁଣ ଅଧିକ । ଏହା ସହିତ, ସେ ଏକା ଜିତିଥିବା ସ୍ବର୍ଣ୍ଣ ପଦକ ସଂଖ୍ୟା, 162ଟି ଦେଶ ଅଲିମ୍ପିକ୍ସରେ ଜିତିଥିବା ସ୍ବର୍ଣ୍ଣ ପଦକ ସଂଖ୍ୟାଠାରୁ ମଧ୍ୟ ଅଧିକ । ଉଦାହରଣ ସ୍ବରୂପ, ଅଲିମ୍ପିକ୍ସ ଇତିହାସରେ ଭାରତ ଏପର୍ଯ୍ୟନ୍ତ ମୋଟ 10ଟି ସ୍ବର୍ଣ୍ଣ ପଦକ ଜିତିଛି, ଯାହା ଫେଲପ୍ସ ଜିତିଥିବା 23ଟି ସ୍ବର୍ଣ୍ଣର ଅଧାରୁ ବି କମ୍ ଅଟେ ।