ପ୍ୟାରିସ୍ (ଫ୍ରାନ୍ସ): ଭାରତର ଷ୍ଟାର ଶୁଟର ମନୁ ଭାକର ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି । ଅଲିମ୍ପିକ୍ ଗେମ୍ସର ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିବାରେ ଭାକର ପ୍ରଥମ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ଆଜି (ମଙ୍ଗଳବାର) ସେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ସାଥୀ ଶୁଟର ସରବଜୋତ ସିଂହଙ୍କ ସହ ମିଶି ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ରବିବାର 10 ମିଟର ଏୟାର ପିସ୍ତଲ ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତି ଦେଶକୁ ପ୍ୟାରିସ୍ ଅଲିମ୍ପିକ୍ସ 2024ର ପ୍ରଥମ ପଦକ ଦେଇଥିଲେ ।
ଏକାଧିକ ରେକର୍ଡ କଲେ ମନୁ ଭାକର:-
ଅଲିମ୍ପିକ୍ସ 2024 ବ୍ୟକ୍ତିଗତ ଇଭେଣ୍ଟରେ 22 ବର୍ଷୀୟା ଭାରତୀୟ ଶୁଟର ମନୁ ଭାକର ଜିତିଥିବା ବ୍ରୋଞ୍ଜ ପଦକ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ଥିଲା । କାରଣ ସେ ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଏକ ଅଲିମ୍ପିକ୍ସ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ । ଏହା ସହ ଆଉ ମଧ୍ୟ ଏକ ରେକର୍ଡ କରିଛନ୍ତି ମନୁ । ଦୁଇଟି ଅଲିମ୍ପିକ୍ ପଦକ ଜିତିବାରେ ପିଭି ସିନ୍ଧୁଙ୍କ ପରେ ମନୁ ଭାକର ବର୍ତ୍ତମାନ ଦ୍ବିତୀୟ ଭାରତୀୟ ମହିଳା ହୋଇଛନ୍ତି । ମୋଟ ଉପରେ କୁସ୍ତିଯୋଦ୍ଧା ସୁଶୀଲ କୁମାର ଏବଂ ସଟଲର୍ ପିଭି ସିନ୍ଧୁଙ୍କ ପରେ ମନୁ ତୃତୀୟ ଭାରତୀୟ ଭାବେ ଏକାଧିକ ବ୍ୟକ୍ତିଗତ ପଦକ ବିଜେତା ହୋଇପାରିଛନ୍ତି ।
ଟୋକିଓ ସାଥ ଦେଇନଥିଲା ଭାଗ୍ୟ:-
ଭାକରଙ୍କ ଏହି ମେଡାଲ ଜିତିବା ଏହି କାରଣରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ, କାରଣ ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପଦକ ଜିତିବା ପାଇଁ ତାଙ୍କୁ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ବିବେଚିତ କରାଯାଉଥିଲା । ସାରା ଦେଶର ନଜର ମନୁଙ୍କ ଉପରେ ରହିଥିଲା । ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ପିସ୍ତଲରେ କୌଣସି ତ୍ରୁଟି ଯୋଗୁଁ ସେ ଟୋକିଓରେ ଖେଳିପାରିନଥିଲେ । ତେଣୁ ଏବେ ପ୍ୟାରିସ୍ରେ ସେ ନିଜର ଅବଶୋଷ ପୂରଣ କରିବା ସହ ଦେଶକୁ ଗୋଟିଏ ନୁହେଁ, ଦୁଇ ଦୁଇଟି ମେଡାଲ ଭେଟି ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଦ୍ବିତୀୟ ମେଡାଲ; ମନୁ ଭାକର ଓ ସରବଜୋତ ଜିତିଲେ ବ୍ରୋଞ୍ଜ, ଇତିହାସ ରଚିଲେ ମନୁ - Paris Olympics 2024
ସରବଜୋତ ସିଂହଙ୍କ ସହ କଲେ ଦମଦାର ପ୍ରଦର୍ଶନ:-
ମନୁ ଭାକର ଏବଂ ସରାବଜୋତ ସିଂହଙ୍କ ଯୋଡ଼ି 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟ ଫାଇନାଲର ରାଉଣ୍ଡ 1ରେ ଖରାପ ଆରମ୍ଭ କରିଥିଲେ । ଏହି ରାଉଣ୍ଡରେ ସେମାନେ 18.8 ସ୍କୋର କରିଥିବାବେଳେ ସେମାନଙ୍କ ବିପକ୍ଷରେ ଥିବା କୋରିଆନ ଯୋଡ଼ି 20.5 ସ୍କୋର କରିଥିଲେ । ଦ୍ବିତୀୟ ରାଉଣ୍ଡରେ ଭାରତୀୟ ଯୋଡି ଦମଦାର କମ୍ବ୍ୟାକ୍ କରି 21.2 ସ୍କୋର କରିଥିବାବେଳେ କୋରିଆ ଯୋଡି 19.9 ସ୍କୋର କରିଥିଲେ । ଏହାପରେ ଭାରତ ନିଜର ବିଜୟ ଧାରା ଜାରି ରଖି 6-2ରେ ଆଗୁଆ ରହିଲା । ଏହାପରେ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା । ପରେ ଭାରତୀୟ ଶୁଟର ଯୋଡ଼ି 14-6 ଲିଡ୍ ସହ ପଦକ ଜିତିବା ପାଇଁ ଆଉ ଗୋଟିଏ ସିରିଜ୍ ଜିତିବା ଆବଶ୍ୟକ କରିଥିଲେ । କିନ୍ତୁ, କୋରିଆ ଯୋଡି ପ୍ରତ୍ୟାବର୍ତ୍ତନ କରି ଲଗାତାର କିଛି ସିରିଜ୍ ଜିତିଗଲେ । କିନ୍ତୁ 13ତମ ସିରିଜରେ ସାରାବଜୋତଙ୍କ 10.2ର ସଟ୍ ସେମାନଙ୍କ ସମ୍ଭାବନାକୁ ଶେଷ କରିଥିଲା । ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସୋସିଆଲ ମିଡିଆରେ ଶୁଟରଙ୍କୁ ତାଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ।
ଏମିତି କହିଲେ ମନୁ:-
ଐତିହାସିକ ପଦକ ଜିତିବା ପରେ ମନୁ ଭାକର କହିଛନ୍ତି, "ମୁଁ ପ୍ରକୃତରେ ଗର୍ବିତ ଅନୁଭବ କରୁଛି । ଏହି କୃତିତ୍ବ ହାସଲ କରିଥିବାରୁ ମୁଁ କୃତଜ୍ଞ । ସମସ୍ତଙ୍କ ଆଶୀର୍ବାଦ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ବହୁତ ଧନ୍ୟବାଦ । ଆମେ କିଛି ନିୟନ୍ତ୍ରଣ କରିପାରିବା ନାହିଁ । ଆମେ କେବଳ ଯଥାସମ୍ଭବ ଭଲ କରିବାକୁ ଚେଷ୍ଟା କରିପାରିବା । ଏଠାକୁ ଆସିବା ପୂର୍ବରୁ ମଧ୍ୟ ମୁଁ ଏବଂ ମୋର ସାଥୀ ଶୁଟର (ସରବଜୋତ) ଭାବୁଥିଲୁ ଯେ ଆମେ ଯଥାସମ୍ଭବ ଭଲ ପ୍ରଦର୍ଶନ କରୁ ଏବଂ ଫଳାଫଳ ଯାହା ହେବ, ଆମେ ଏହାକୁ ଗ୍ରହଣ କରିବୁ ଏବଂ ଶେଷ ସଟ୍ ପର୍ଯ୍ୟନ୍ତ ଆମେ ସଙ୍ଘର୍ଷ ଜାରି ରଖିବୁ ।"
ସରବଜୋତଙ୍କୁ ପ୍ରଥମ ମେଡାଲ:-
ଅନ୍ୟପଟେ ମନୁଙ୍କ ସାଥୀ ଶୁଟର ସରବଜୋତ ସିଂହ ନିଜର ପ୍ରଥମ ଅଲିମ୍ପିକ୍ ମେଡାଲ ଜିତିଛନ୍ତି । ସେ ଅଲିମ୍ପିକ୍ରେ ମେଡାଲ ଜିତିବାରେ ଭାରତର 6ଷ୍ଠ ଶୁଟର ହୋଇପାରିଛନ୍ତି । ମେଡାଲ ଜିତିବା ପରେ ସେ କହିଛନ୍ତି, "ଏହା ଅତ୍ୟନ୍ତ ଚାପଗ୍ରସ୍ତ ମ୍ୟାଚ୍ ଥିଲା ଏବଂ ପ୍ରଶଂସକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଉତ୍ସାହ ଥିଲା । ତେଣୁ, ଏହି ମ୍ୟାଚ୍ ଜିତି ମୁଁ ବହୁତ ଖୁସି ।"
ଏହା ମଧ୍ୟ ପଢ଼ନ୍ତୁ...ମନୁ ଭାକର-ସରବଜୋତ ଆଣିଲେ ଦ୍ବିତୀୟ ମେଡାଲ; ଭାରତରୁ ଛୁଟିଲା ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ଲେଖିଲେ ସ୍ବତନ୍ତ୍ର ବାର୍ତ୍ତା - Paris Olympics 2024
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ