ପ୍ୟାରିସ୍ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଗତକାଲି (ମଙ୍ଗଳବାର) ଏକ ଶୁଭଙ୍କର ଦିନ ଥିଲା । ଭାରତକୁ ଦ୍ବିତୀୟ ମେଡାଲ ଦେଇଥିଲେ ଷ୍ଟାର ଶୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂହ । ଏପର୍ଯ୍ୟନ୍ତ ଦୁଇଟି ପଦକ ଜିତି ଭାରତୀୟ ଅଲିମ୍ପିକ୍ସ ଅଭିଯାନରେ ମନୁ ଭାକର ଏକ ଚର୍ଚ୍ଚିତ ତାରକା ଭାବେ ଉଭା ହୋଇଛନ୍ତି । ତେବେ ଆଜି (ବୁଧବାର) ପ୍ୟାରିସ ଅଲିମ୍ପିକ୍ସର 5ମ ଦିନ ଭାରତର କୌଣସି ପଦକ ମ୍ୟାଚ୍ ହେବ ନାହିଁ । କିନ୍ତୁ ଷ୍ଟାର ସଟଲର୍ ପିଭି ସିନ୍ଧୁ ଏବଂ ତାରକା ତୀରନ୍ଦାଜୀ ଦୀପିକା କୁମାରୀ ନିଜ ନିଜ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିବେ । ଏଥିସହ ଆଜି ବ୍ୟାଡ୍ମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ହେବ । କାରଣ ସେ ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କୁ ଭେଟିବେ ଏବଂ ଜିତିଲେ ସେ ନକ୍ଆଉଟ୍କୁ ଉନ୍ନୀତ ହେବେ ।
31 ଜୁଲାଇ (ବୁଧବାର) ଖେଳାଯିବାକୁ ଥିବା ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ:-
ଶୁଟିଂ: ଆଜି ଭାରତୀୟ ଶୁଟର ଐଶ୍ବର୍ଯ୍ୟ ତୋମାର ଏବଂ ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଯୋଗ୍ୟତା ପର୍ଯ୍ୟାୟରେ ନିଜର ଅଭିଯାନ ଆରମ୍ଭ କରିବେ । ଏହି ଇଭେଣ୍ଟର ଫାଇନାଲ ଗୁରୁବାର ଖେଳାଯିବ । ଏହି ଇଭେଣ୍ଟରେ ଏସୀୟ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଐଶ୍ବର୍ଯ୍ୟ ତୋମାର ବିଶ୍ବରେ 23ତମ ସ୍ଥାନରେ ଅଛନ୍ତି ଏବଂ ବିଶ୍ବକପ୍ରେ 3ଟି ସ୍ବର୍ଣ୍ଣ ପଦକ ପାଇଛନ୍ତି । ସେ ଟୋକିଓରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ, କିନ୍ତୁ ଏହି ଇଭେଣ୍ଟରେ 21ତମ ସ୍ଥାନରେ ରହିଥିଲେ । ବିଶ୍ବ ମାନ୍ୟତାରେ 62ତମ ସ୍ଥାନରେ ଥିବା ସ୍ବପ୍ନୀଲ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ଏବଂ ବିଶ୍ବ ଇଭେଣ୍ଟରେ ପ୍ରଥମ ପ୍ରଦର୍ଶନରୁ କିଛି ଶିଖିବାକୁ ମଧ୍ୟ ଚାହିଁବେ ।
- 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଯୋଗ୍ୟତା ପର୍ଯ୍ୟାୟ (ଐଶ୍ବର୍ଯ୍ୟ ତୋମାର ଏବଂ ସ୍ବପ୍ନୀଲ କୁସାଲେ) - ଦିନ 12:30
ବ୍ୟାଡ୍ମିଣ୍ଟନ: ପ୍ୟାରିସରେ କ୍ରମାଗତ ତୃତୀୟ ଅଲିମ୍ପିକ୍ ପଦକ ଜିତିବାକୁ ଚେଷ୍ଟା କରୁଥିବା ଭାରତୀୟ ଷ୍ଟାର ସଟ୍ଲର୍ ପିଭି ସିନ୍ଧୁ ଆଜି ଏଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ଭେଟିବେ । ଅଲିମ୍ପିକ୍ସ ଭଳି ବଡ଼ ଇଭେଣ୍ଟରେ ନିଜର ଚମତ୍କାର ପ୍ରଦର୍ଶନ ପାଇଁ ଜଣାଶୁଣା ଭାରତୀୟ ସଟଲରଙ୍କଠାରୁ ଏକ ସହଜ ବିଜୟ ଆଶା କରିଛନ୍ତି ଦେଶବାସୀ । ଅନ୍ୟପଟେ ଆଜି ଲକ୍ଷ୍ୟ ସେନଙ୍କ ପାଇଁ ଏକ ନକ୍ଆଉଟ୍ ମ୍ୟାଚ୍ ହେବ, କାରଣ ସେ ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜୋନାଥନ୍ ଖ୍ରୀଷ୍ଟିଙ୍କ ମଧ୍ୟରେ ଯିଏ ଜିତିବ, ସେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ । ପୂର୍ବ ରେକର୍ଡ ଅନୁସାରେ ଭାରତୀୟ ଲକ୍ଷ୍ୟ ସେନଙ୍କ ଅପେକ୍ଷା ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କ ପଲ୍ଲା ଭାରି ରହିଛି । କିନ୍ତୁ ଭାରତୀୟ ସଟଲରଙ୍କୁ ଆଜି ମ୍ୟାଚ୍ରେ ତାଙ୍କୁ ପରାସ୍ତ କରିବାକୁ ପଡିବ । ସେହିଭଳି ଆଉ ଏକ ମ୍ୟାଚ୍ରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ଏଚ୍ଏସ୍ ପ୍ରଣୟ ଭିଏତନାମର ଡ୍ୟୁକ୍ ଫାଟ ଲେ'ଙ୍କୁ ଭେଟିବେ ଏବଂ ନିଜର ବିଜୟଧାରା ଜାରି ରଖିବାକୁ ଚେଷ୍ଟା କରିବେ ।
- ମହିଳା ଏକକ ଗ୍ରୁପ ପର୍ଯ୍ୟାୟ - (ପିଭି ସିନ୍ଧୁ) - ଦିନ 12:50
- ପୁରୁଷ ଏକକ ଗ୍ରୁପ ପର୍ଯ୍ୟାୟ - (ଲକ୍ଷ୍ୟ ସେନ୍) - ଦିନ 1:40
- ପୁରୁଷ ଏକକ ଗ୍ରୁପ ପର୍ଯ୍ୟାୟ - (ଏଚ୍ଏସ୍ ପ୍ରଣୟ) - ରାତି 11:00