ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ର ହକି ସେମିଫାଇନାଲରେ ଆଜି ଭାରତୀୟ ପୁରୁଷ ହକି ଦଳ ପ୍ରତିଦ୍ବନ୍ଦ୍ବୀ ଜର୍ମାନୀ ସହିତ ମୁହାଁମୁହିଁ ହେବ । 44 ବର୍ଷ ପରେ ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚିବାକୁ ଭାରତ ପାଖରେ ସୁଯୋଗ ରହିଛି । ତେବେ ଏଥିପାଇଁ ଭାରତୀୟ ଦଳକୁ ଜର୍ମାନୀର କଡ଼ା ଆହ୍ବାନକୁ ଅତିକ୍ରମ କରିବାକୁ ପଡିବ । 1980 ମସିହା ପରେ ପ୍ରଥମ ଥର ମିଳିଥିବା ଏହି ମୌକାକୁ ହାତଛଡ଼ା କରିବାକୁ ଚାହିଁବେନି ଭାରତୀୟ ଖେଳାଳି । ଅନ୍ୟପଟେ ଆଜି 140 କୋଟି ଭାରତୀୟ ପ୍ରାର୍ଥନା କରୁଛନ୍ତି ଯେ ଭାରତୀୟ ଦଳ ଫାଇନାଲକୁ ଯୋଗ୍ୟତା ଅର୍ଜନ କରି ଦେଶ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିବ ।
କ୍ବାର୍ଟର ଫାଇନାଲରେ ଏକ ରୋମାଞ୍ଚକର ମୁକାବିଲାରେ ଶୁଟଆଉଟରେ ଗ୍ରେଟ ବ୍ରିଟେନକୁ 4-2ରେ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଏଥି ସହିତ ରବିବାର କ୍ବାର୍ଟର ଫାଇନାଲରେ ଆର୍ଜେଣ୍ଟିନାକୁ 3-2ରେ ପରାସ୍ତ କରି ଜର୍ମାନୀ ହକି ଦଳ ସେମିରେ ପହଞ୍ଚିଛି । ଆଜି ଉଭୟ ଭାରତ ଓ ଜର୍ମାନୀ ମଧ୍ୟରେ କଡ଼ା ମୁକାବିଲା ହେବ । ତେବେ ଉଭୟ ଦଳ ମଧ୍ୟରେ ଥିବା ହେଡ-ଟୁ-ହେଡ୍ ରେକର୍ଡ ଏବଂ ଆପଣ କେତେବେଳେ ଓ କେଉଁଠାରେ ଭାରତର ମ୍ୟାଚ୍ ଲାଇଭ୍ ଦେଖିପାରିବେ, ଏଠାରେ ନଜର ପକାନ୍ତୁ,
ହକିରେ ଭାରତ ବନାମ ଜର୍ମାନୀ ହେଡ-ଟୁ-ହେଡ୍ ରେକର୍ଡ :-
ଭାରତ ଏବଂ ଜର୍ମାନୀ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ 35ଟି ହକି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଜର୍ମାନୀର ପଲ୍ଲା ଭାରି ରହିଛି । ଜର୍ମାନୀ 35ଟି ମ୍ୟାଚ୍ ମଧ୍ୟରୁ 16ଟି ମ୍ୟାଚ୍ ଜିତିଥିବାବେଳେ ଭାରତ 12ଟି ମ୍ୟାଚ୍ରେ ବିଜୟ ପାଇଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା 7ଟି ମ୍ୟାଚ୍ ଡ୍ର'ରେ ଶେଷ ହୋଇଛି । ତେବେ ଗତ 5ଟି ମ୍ୟାଚ୍ ଉପରେ ନଜର ପକାଇଲେ ଭାରତ ଜର୍ମାନୀଠାରୁ 3-2 ଅଗ୍ରଣୀ ହାସଲ କରିଛି ।
ଟୋକିଓ ଅଲିମ୍ପିକ୍ସ 2020 ପରେ କାହାର ପଲ୍ଲା ଭାରି ? :-
ଟୋକିଓରେ ଅନୁଷ୍ଠିତ 2020 ଅଲିମ୍ପିକ୍ସରେ ଭାରତ ପ୍ଲେ ଅଫ୍ରେ ଜର୍ମାନୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲା । ଏହି ରୋମାଞ୍ଚକର ମ୍ୟାଚକୁ ଭାରତ 5-4ରେ ଜିତିଥିଲା । ସେବେଠାରୁ FIH ପ୍ରୋ ଲିଗରେ ଦୁଇ ଦଳ ମଧ୍ୟରେ ମୋଟ 6ଟି ମ୍ୟାଚ୍ ଖେଳାଯାଇଛି । ଏଥିରେ ଭାରତ 5ଟି ମ୍ୟାଚ୍ ଜିତିଛି । ଚଳିତ ବର୍ଷ ଜୁନ୍ ମାସରେ ଜର୍ମାନୀ କେବଳ ଗୋଟିଏ ମ୍ୟାଚ୍ ଜିତିଥିଲା, ଯାହାକି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ।
ଅଲିମ୍ପିକ୍ସରେ ଦୁଇ ଦଳର ପ୍ରଦର୍ଶନ :-