ପ୍ୟାରିସ (ଫ୍ରାନ୍ସ) :ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମହିଳା 50 କିଲୋଗ୍ରାମ ରେସଲିଂ ଫାଇନାଲରୁ ଅଯୋଗ୍ୟ ଘୋଷିତ ହୋଇଥିବା ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗତ ୱାର୍ଲ୍ଡ ରେସଲିଂର ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଆବେଦନ କରିଥିଲେ । CASର ଆଡ୍-ହକ୍ ବିଭାଗରେ ଏହାର ଶୁଣାଣି ଶେଷ ହୋଇଛି । କେବଳ ନିଷ୍ପତ୍ତିକୁ ଅପେକ୍ଷା । ତେବେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ଏହାର ପକ୍ଷରେ ନିଷ୍ପତ୍ତି ଆସିବ ବୋଲି ଆଶା କରିଥିବା କହିଛି ।
ଆଜି ରାତି 9:30ରେ ଆସିବ ରାୟ :-
ରବିବାର ପ୍ୟାରିସ ଅଲିମ୍ପିକ୍ସର ଉଦ୍ଯାପନୀ ସମାରୋହ ପୂର୍ବରୁ ଏହି ଶୁଣାଣି ଶେଷ ହେବ ବୋଲି ଆଡ୍-ହକ୍ ବିଭାଗ କହିଥିଲା । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ଆଶା ରଖିଛି ଯେ ରେସଲର ଭିନେଶ ଫୋଗତ ଓଜନରେ ବିଫଳ ହେବା ଓ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ର ଆଡ-ହକ୍ ଡିଭିଜନ୍ରେ ଦାଖଲ ହୋଇଥିବା ଆବେଦନ ଉପରେ ଏକ ସକରାତ୍ମକ ସମାଧାନ ହେବ । ଏହାର ନିଷ୍ପତ୍ତି ଆଜି ରାତି 9:30 ସୁଦ୍ଧା ଆସିବ । ଏନେଇ ସୂଚନା ପ୍ରଦାନ କରି CAS ଏକ ବିବୃତ୍ତି ଜାରି କରିଛି ।
3 ଘଣ୍ଟା ପର୍ଯ୍ୟନ୍ତ ହେଲା ଶୁଣାଣି :-
ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କହିଛି, 'ଏହି ମାମଲା ଏବେ ବିଚାରାଧିନ ଅଛି । ତେଣୁ ବର୍ତ୍ତମାନ ବିଶେଷ କିଛି କୁହାଯାଇପାରିବ ନାହିଁ । କେବଳ ଏତିକି କୁହାଯାଇ ପାରିବ ଯେ, ଏକମାତ୍ର ଆର୍ବିଟର ଡଃ ଅନାବେଲ ବେନେଟ୍ଟ ଏସି (ଅଷ୍ଟ୍ରେଲିଆ) ଭିନେଶ ଫୋଗତ, ୟୁନାଇଟେଡ୍ ୱାର୍ଲ୍ଡ ରେସଲିଙ୍ଗ୍, ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଏବଂ ଭାରତୀୟ ଅଲିମ୍ପିକ୍ସ ସଙ୍ଘ ଭଳି ସମସ୍ତ ପକ୍ଷଙ୍କୁ ପ୍ରାୟ 3 ଘଣ୍ଟା ପର୍ଯ୍ୟନ୍ତ ଶୁଣିଥିଲେ । ଶୁଣାଣି ପୂର୍ବରୁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ସେମାନଙ୍କର ବିସ୍ତୃତ ଆଇନଗତ ଆଫିଡେଭିଟ୍ ଦାଖଲ କରିବାର ସୁଯୋଗ ଦିଆଯାଇଥିଲା । ଏହା ପରେ ବିତର୍କ ଆରମ୍ଭ ହୋଇଥିଲା ।