ଭୁବନେଶ୍ବର:ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି ପୁରୁଷ ଜାତୀୟ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶା ହକି ଦଳ । ଓଡ଼ିଶା ହକି ଦଳକୁ ଭୁବନେଶ୍ଵର ବିମାନବନ୍ଦରରେ କ୍ରୀଡା ବିଭାଗ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିଆନସିପରେ ଓଡ଼ିଶା ହକି ଦଳ ଐତିହାସିକ ବିଜୟ ହାସଲ କରିଛି ।
ହରିୟାଣାକୁ ପରାସ୍ତ କଲା ଟିମ୍ ଓଡ଼ିଶା:
Odisha Hockey Team In Bhubaneswar (ETV Bharat Odisha) ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ ହକି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଟିମ ହରିୟାଣାକୁ ପରାସ୍ତ କରି ଟିମ୍ ଓଡ଼ିଶା ଏହି ଐତିହାସିକ ବିଜୟ ହାସଲ କରିଛି । ଆଜି କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ଟିମର ଏହି ଐତିହାସିକ ବିଜୟ ପରେ ଗତକାଲି(ଶନିବାର) କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଟିମର କ୍ୟାପଟେନ ଦୀପ୍ସନ ତିର୍କୀଙ୍କୁ ଟିମ୍ ଓଡ଼ିଶାର ବିଜୟ ପାଇଁ ଆଭାସୀ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ।
'ଆମ ପାଇଁ ଗର୍ବର ବିଷୟ'
Odisha Hockey Team In Bhubaneswar (ETV Bharat Odisha) କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଆଜି ଓଡ଼ିଶା କ୍ରୀଡା ଜଗତ ପାଇଁ ଏକ ଐତିହାସିକ ଦିନ । ଟିମ ଓଡ଼ିଶାର ଏହି ବିଜୟ ଆଗାମୀ ଦିନରେ ଓଡ଼ିଶାର ଅନେକ ଯୁବ କ୍ରୀଡ଼ାବିତମାନଙ୍କୁ ପ୍ରେରଣା ଯୋଗାଇବ । ପ୍ରଥମ ଥର ପାଇଁ ସିନିୟର ଚମ୍ପିଆନସିପରେ ଓଡ଼ିଶା ଦଳ ଚାମ୍ପିଅନ ହୋଇଛି । ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଥିବା ହକି ଷ୍ଟାଡିୟମରେ ବିଜୟୀ ଖେଳାଳିଙ୍କୁ କ୍ରୀଡା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ବିଜୟ ସହିତ ଆଗକୁ ଆହୁରି ଅଧିକ ଓଡ଼ିଆ ଖେଳାଳି ଭାରତୀୟ ଦଳରେ ସ୍ଥାନ ପକ୍କା କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କେମିତି ଆଗକୁ ଆହୁରି ଅଧିକ ଖେଳାଳି ବାହାରିବେ ସେଥିପାଇଁ ମଧ୍ୟ ପ୍ରଚେଷ୍ଟା ଜାରି ରହିବ ।"
'ସାକାର ହେଲା ସ୍ବପ୍ନ'
Odisha Hockey Team In Bhubaneswar (ETV Bharat Odisha) ଦୀଲିପ ତିର୍କୀ କହିଛନ୍ତି, "ହକି ଚମ୍ପିଆନସିପରେ ଓଡିଶା ଦଳ ଫାଇନାଲକୁ ଯିବା ଏବଂ ଫାଇନାଲରେ ବିଜୟ ହୋଇ ଆମ ସ୍ବପ୍ନ ସାକାର କରିଛି । ଉଭୟ ରାଜ୍ୟ ସରକାର ଏବଂ ଖେଳାଳିମାନେ ଚାହୁଁଥିଲେ ଯେ ଜାତୀୟ ପ୍ରତିଯୋଗିତାରେ ଭଲ ଖେଳ ପ୍ରଦର୍ଶନ କରିବେ, ତାହା ସାକାର ହୋଇଛି । 1993ରେ ଓଡି଼ଶା ଦଳ ସେମି ଫାଇନାଲ ଖେଳିଥିଲା । ଏହାପରେ ଏବେ ଫାଇନାଲରେ ଓଡି଼ଶା ଦଳ ବିଜୟ ହୋଇଛି । କୋଚ୍ ବିଜୟ ଲାକ୍ରାଙ୍କ ନେତୃତ୍ୱରେ ଓଡି଼ଶା ଦଳ ଭଲ ଖେଳ ପ୍ରଦର୍ଶନ କରିଛି । ଓଡ଼ିଶା ଖେଳାଳିଙ୍କ ପାଖରେ ସେହି ଦକ୍ଷତା ରହିଛି । ସେମାନେ ମଧ୍ୟ ଭଲ ଟିମକୁ ହରାଇ ବିଜୟ ହୋଇପାରିଛନ୍ତି ।"
Odisha Hockey Team In Bhubaneswar (ETV Bharat Odisha)
କୋଚ୍ ଓ ଖେଳାଳିଙ୍କ ପ୍ରତିକ୍ରିୟା:
ଖେଳାଳି ଶିଲାନନ୍ଦ ଲାକ୍ରା କହିଛନ୍ତି, "ଆମେ ବହୁତ ଖୁସି ଅଛୁ । ଆମେ ଯେଉଁ ସ୍ବପ୍ନ ଦେଖିଥିଲୁ ତାହା ସାକାର ହୋଇଛି । ଏହା ପୂର୍ବରୁ ଆମେ ହରିୟାଣା ଦଳଠାରୁ ହିଁ ହାରିଥିଲୁ । ତେଣୁ ସେହି ଦଳକୁ 5-1 ମାର୍ଜିନରେ ହରାଇ ଫାଇନାଲରେ ବିଜୟ ହୋଇଥିବାରୁ ଖୁସି ଲାଗୁଛି ।" ସେପଟେ ଟିମର କୋଚ ବିଜୟ କୁମାର ଲାକ୍ରା କହିଛନ୍ତି, "ଆମେ ବହୁତ ପରିଶ୍ରମ କରିଥିଲୁ । ହରିୟାଣାକୁ ହରାଇବାକୁ ସ୍ୱତନ୍ତ୍ର ଭାବରେ ପ୍ଲାନ କରିଥିଲୁ । ଅରୁଣାଚଳ ପ୍ରଦେଶ ଏବଂ ମଣିପୁରକୁ ହରାଇଥିଲୁ । ଏହାପରେ ଫାଇନାଲରେ ହରିୟାଣାକୁ ମଧ୍ୟ 5-1 ରେ ହରାଇ ଟାଇଟେଲ ହାସଲ କରିଥିଲୁ।"
'ଶିଲାନନ୍ଦ ଲାକ୍ରା-ପ୍ଲେୟାର ଅଫ ଦି ମ୍ୟାଚ'
ସୂଚନାଯୋଗ୍ୟ ଯେ, ଗତକାଲି ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଟିମ୍ ଓଡ଼ିଶା ୫-୧ ଗୋଲରେ ଟିମ ହରିୟାଣାକୁ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛନ୍ତି। ଟିମ ଓଡ଼ିଶାର କ୍ରୀଡ଼ାବିତ୍ ଶିଲାନନ୍ଦ ଲାକ୍ରା ଓଡ଼ିଶା ପାଇଁ ହ୍ୟାଟ୍ରିକ ଗୋଲ କରିଥିବାବେଳେ କ୍ରୀଡ଼ାବିତ୍ ରଜତ ଆକାଶ ତିର୍କୀ ଓ ପ୍ରତାପ ଲାକ୍ରା ଉଭୟ ଗୋଟିଏ ଗୋଟିଏ ଗୋଲ କରିଥିଲେ । ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତ ଶିଲାନନ୍ଦ ଲାକ୍ରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମଧ୍ୟ ଘୋଷଣା କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର