ଭୁବନେଶ୍ବର: ଜନଜାତି ଛାତ୍ରଛାତ୍ରୀଙ୍କୁ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭେଟି । ଜନଜାତି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ ୫ ହଜାର ଟଙ୍କା । 'ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା'ରେ ଜନଜାତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଶିକ୍ଷା ବର୍ଷରେ ଏକକାଳୀନ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାନୁଆରୀ ୫ ତାରିଖରୁ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ ।
ଛାତ୍ରଛାତ୍ରୀଙ୍କୁ ୫ ହଜାର ପ୍ରୋତ୍ସାହନ ରାଶି :
ରାଜ୍ୟ ସରକାର ଜନଜାତିଙ୍କ ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଡ୍ରପ୍ ଆଉଟ ହାର ହ୍ରାସ କରିବା ପାଇଁ 'ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା' ୨୦୨୫ ଜାନୁଆରୀ ୫ ତାରିଖରେ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ମୋହନ ସରକାର । ସେହିପରି ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ୭୦୫ଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।
ଜନଜାତିଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ପଦକ୍ଷେପ:
ଲୋକସେବା ଭବନରେ ନବଗଠିତ ଜନଜାତି ଉପଦେଷ୍ଟା ପରିଷଦ(TAC)ର ପ୍ରଥମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିଷଦ ନଭେମ୍ବର ମାସରେ ଗଠିତ ହୋଇଥିଲା । ଏହାର କାର୍ଯ୍ୟକାଳ ୨ ବର୍ଷ ରଖାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜନଜାତିଙ୍କୁ ସବୁ କ୍ଷେତ୍ରରେ ନ୍ୟାୟ ମିଳିବା ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ହୋଇ କାମ କରୁଛନ୍ତି । ଏହି ଜନଜାତି ଉପଦେଷ୍ଟା ପରିଷଦରେ ଆଗାମୀ ୨ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଓ.ଆର୍.ଭି ଆଇନରେ ଅନୁସୂଚିତ ଜନଜାତି ଓ ଜାତି ପିଲାମାନେ ଯେପରି ନ୍ୟାୟ ପାଇବେ ଏବଂ ଜନଜାତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ।
'ଆଦିବାସୀମାନଙ୍କ ସଂପତ୍ତିକୁ ହସ୍ତାନ୍ତର କରାଯାଇପାରିବ ନାହିଁ':
ପରିଷଦ ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତରଣ ଆଇନ ନିୟମାବଳୀ-୨ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଥିଲା । ୨୦୨୩ ଜୁଲାଇ ୧୧ ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା । ପରେ ୨୦୨୩ ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ୨୦୨୪ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ନାମଞ୍ଜୁର କରାଯାଇଥିଲା । ଆଜି ଜନଜାତି ଉପଦେଷ୍ଟା ପରିଷଦ ମଧ୍ୟ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଛି । ଏହା ଫଳରେ ଆଦିବାସୀମାନଙ୍କ ସମ୍ପତ୍ତିକୁ ହସ୍ତାନ୍ତର କରାଯାଇପାରିବ ନାହିଁ ।
ମୁଣ୍ଡାରୀ ଭାଷାକୁ ଗୁରୁତ୍ବ:
ସେହିପରି ଜନଜାତି ଲୋକମାନେ ସେମାନଙ୍କର ବିଭିନ୍ନ ଜରୁରୀ କାମ, ଯେପରି ବିବାହ, ପିଲାଙ୍କ ଉଚ୍ଚଶିକ୍ଷା କିମ୍ବା ବ୍ୟବସାୟ ଆଦି କାମରେ ଋଣ ପାଇପାରିବେ, ସେଥିପାଇଁ ଆଗାମୀ ଦିନରେ ଅନ୍ୟାନ୍ୟ ବିକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି । ବୈଠକରେ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏହାବ୍ୟତୀତ ଅନ୍ୟାନ୍ୟ ଜନଜାତି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରିବା ପାଇଁ ଆଲୋଚନା କରାଯାଇଛି ।
ଜନଜାତି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜନଜାତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଶିକ୍ଷା ବର୍ଷରେ ଏକକାଳୀନ ₹୫୦୦୦ ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #ବିକଶିତଓଡ଼ିଶା pic.twitter.com/V4ZLRG3ydg
— CMO Odisha (@CMO_Odisha) December 31, 2024
ପେସା କାର୍ଯ୍ୟକାରିତା ପାଇଁ ଆଲୋଚନା:
ଏହାସହ ପେସା (Panchayats (Extension to Schedule Areas) Act, 1996) ଆଇନର କାର୍ଯ୍ୟକାରିତା ପାଇଁ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ (Draft Odisha PESA Rules) ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ତେବେ ଏହି ନିୟମାବଳୀ ଉପରେ ଅଧିକ ଆଲୋଚନା କରାଯାଇ ନିଷ୍ପତ୍ତି ନେବା ପାଇଁ ସ୍ଥିର କରାଯାଇଛି । ଏଥିପାଇଁ ଏକ ରାଜ୍ୟସ୍ତରୀୟ ୱାର୍କସପ୍ ଆୟୋଜନ କରାଯାଇ ଏଥିରେ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଜନଜାତି ପ୍ରତିନିଧି, ପୌରାଞ୍ଚଳ, ବିଧାନସଭା, ଲୋକସଭା ଓ ରାଜ୍ୟସଭାର ଜନଜାତି ପ୍ରତିନିଧିମାନଙ୍କୁ ସାମିଲ କରାଯାଇ ଏହି ନିୟମାବଳୀ ସଂପର୍କରେ ବିସ୍ତୃତ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ପିଏମ୍ ଜନମନ୍ ଯୋଜନା:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜନଜାତିମାନଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳନ କରି ସାରା ଦେଶରେ ଆଦିବାସୀଙ୍କ ବିକାଶ ପାଇଁ ୬୬୪୦ କୋଟି ଟଙ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେହିପରି 'ଧରତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ' ଆରମ୍ଭ କରିଛନ୍ତି । ଏଥିରେ ଓଡିଶାର ୨୭ଟି ଜିଲ୍ଲାର ୭, ୬୬୭ଟି ଆଦିବାସୀ ବହୁଳ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାଦ୍ୱାରା ୧୦ ଲକ୍ଷ ୮୦ ହଜାରରୁ ଅଧିକ ଜନଜାତି ପରିବାର ଉପକୃତ ହେବେ । ସେହିପରି ପିଏମ୍ ଜନମନ୍ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଓଡିଶାର ୧୪ଟି ଜିଲ୍ଲାର ୧୩ଟି ବର୍ଗର ପିଭିଟିଜିମାନେ ଉପକୃତ ହେଉଛନ୍ତି ।
ପେସା [ Panchayats (Extension to Schedule Areas) Act, 1996 ] ଆଇନର କାର୍ଯ୍ୟକାରିତା ପାଇଁ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ (Draft Odisha PESA Rules) ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ତେବେ ଏହି ନିୟମାବଳୀ ଉପରେ ଅଧିକ ଆଲୋଚନା କରାଯାଇ ନିଷ୍ପତ୍ତି ନେବା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ଏକ ରାଜ୍ୟସ୍ତରୀୟ ୱାର୍କସପ୍…
— CMO Odisha (@CMO_Odisha) December 31, 2024
ଏହା ମଧ୍ୟ ପଢ଼ନ୍ତୁ...‘ନୂଆବର୍ଷରେ ସମୃଦ୍ଧ ଓ ବିକଶିତ ଓଡିଶା ଗଠନର ସଂକଳ୍ପ ନେବା ’: ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ ଏହା ମଧ୍ୟ ପଢ଼ନ୍ତୁ...ନୀତି, ଆଦର୍ଶ ଏବଂ ସମର୍ପଣ ମନୋଭାବ ବାଜପେୟୀଙ୍କୁ କରିଥିଲା ସୁଶାସକ: ମୁଖ୍ୟମନ୍ତ୍ରୀ |
ସୂଚନାଯୋଗ୍ୟ ଯେ, ଜନଜାତି ଉପଦେଷ୍ଟା ପରିଷଦରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଉପାଧ୍ୟକ୍ଷ ଅଛନ୍ତି । ଏହାବ୍ୟତୀତ ଆଉ ୧୮ ଜଣ ସଦସ୍ୟ ଅଛନ୍ତି । ଏଥିରେ ୧୫ ଜଣ ବିଧାନସଭା ସଦସ୍ୟ, ୨ ଜଣ ସାଂସଦ ଏବଂ ଜନଜାତି ବିକାଶ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଦିବାସୀ ମହିଳା ସଦସ୍ୟା ଭାବେ ସ୍ଥାନ ପାଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ନବଗଠିତ ଜନଜାତି ଉପଦେଷ୍ଟା ପରିଷଦର ପ୍ରଥମ ବୈଠକରେ ଅତିଥି ସଦସ୍ୟ ଭାବେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର