ଯୌନ ସଂଚାରିତ ରୋଗ (Sexually transmitted disease) ଏମିତି ଏକ ସ୍ବାସ୍ଥ୍ୟ ସମସ୍ୟା ଯାହାକୁ ଆଜି ବି ସମାଜ ଲଜ୍ଜାଜନକ ଓ ଘୃଣ୍ୟ ମନେ କରେ । ଅଧିକାଂଶ ଲୋକେ ଏହି ରୋଗ ସମ୍ପର୍କରେ କଥା ହେବାକୁ କୁଣ୍ଠାବୋଧ କରିଥାନ୍ତି । ଯୌନ ସଂଚାରିତ ରୋଗ ବା STD ଅସୁରକ୍ଷିତ ଯୌନ ସମ୍ପର୍କ ତଥା ଅନ୍ୟ କିଛି କାରଣରୁ ହୋଇଥାଏ ବା ଜଣକଠୁ ଅନ୍ୟ ଜଣକୁ ବ୍ୟାପିଥାଏ । ଏହା ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରଭାବିତ କରିପାରେ । ଯଦି ଠିକ୍ ସମୟରେ ଏହି ରୋଗର ଲକ୍ଷଣକୁ ଚିହ୍ନିଟ କରି ଚିକିତ୍ସା କରାନଯାଏ ତେବେ ଏହା ଜଟିଳ ସ୍ବାସ୍ଥ୍ୟ ସମସ୍ୟାର ରୂପ ନେବା ସହ ମୃତ୍ୟୁର କାରଣ ହୋଇପାରେ ।
STD କ'ଣ ?
ନୂଆଦିଲ୍ଲୀର ସେକ୍ସୋଲୋଜିଷ୍ଟ ଡଃ ବିପିନ କାଲରା କହିଛନ୍ତି, ଏସିଟିଡି ଏକ ରୋଗ ନୁହେଁ ବରଂ ଅନେକ ପ୍ରକାରର ସଂକ୍ରମଣ ଓ ରୋଗର ଏକ ସମୂହ । ଅନେକ କ୍ଷେତ୍ରରେ ଯୌନ ସଂଚାରିତ ରୋଗ ଯୌନ ସମ୍ବନ୍ଧୀୟ କାର୍ଯ୍ୟକଳାପ (ଓରାଲ ସେକ୍ସ ଓ ଅନ୍ୟାନ୍ୟ ଯୌନ ସମ୍ପର୍କ) ସମୟରେ ସିମେନ, ରକ୍ତ ତଥା ଅନ୍ୟାନ୍ୟ ଶାରିରୀକ ତରଳ ପଦାର୍ଥ ସଂସ୍ପର୍ଶରେ ଆସିଥାଏ । ଅସୁରକ୍ଷିତ ଯୌନ ସମ୍ପର୍କ ବ୍ୟତୀତ ଏହି ରୋଗ ସଂକ୍ରମିତ ରକ୍ତ, ସଂକ୍ରମିତ ଛୁଞ୍ଚି ବ୍ୟବହାର ଦ୍ବାରା ବ୍ୟାପିଥାଏ । ବେଳେବେଳେ ସଂକ୍ରମିତ ମାଆଠାରୁ ପିଲା ଦେହକୁ ମଧ୍ୟ ଆସିଥାଏ ।
ଯୌନ ସଂଚାରିତ ରୋଗ ଅନେକ ପ୍ରକାରର ଯଥା- କ୍ଲାମାଇଡିୟା, ଗୋନୋରିୟା, ଏଚ୍ଆଇଭି ଏଡ୍ସ୍, ଜେନିଟାଲ ହର୍ପିଜ, ସିଫଲିସ୍, ପ୍ୟୁବିକ ଲାଇସ୍, ଏଚପିଭି ଓ ଟ୍ରାଇକୋମୋନିଏସିସ୍ ଇତ୍ୟାଦି । ସାଧାରଣତଃ ବ୍ୟାକ୍ଟେରିଆ, ଭାଇରସ୍ ଓ ପାରାସାଇଟ୍ସ ଯୋଗୁଁ ଏହି ରୋଗ ହୋଇଥାଏ । ଯେପରିକି ଏଚ୍ଆଇଭି ପାଇଁ ରେଟ୍ରୋଭାଇରସ୍ ଓ ଗୋନୋରିୟା, କ୍ଲାମାଇଡିୟା ପାଇଁ ବ୍ୟାକ୍ଟେରିଆ ଦାୟୀ ।
ଲକ୍ଷଣ:
ଡଃ ବିପିନ କାଲରା କହିଛନ୍ତି, ସଂକ୍ରମଣ ଆଧାରରେ ଲୋକଙ୍କ ମଧ୍ୟରେ ଏହାର ଲକ୍ଷଣ ଭିନ୍ନ ଭିନ୍ନ ହୋଇପାରେ । କିନ୍ତୁ ଅଧିକାଂଶ ଯୌନ ସଂଚାରିତ ରୋଗ କ୍ଷେତ୍ରରେ କିଛି ଲକ୍ଷଣ ସାଧାରଣ ଭାବେ ନଜର ଆସିଥାଏ । ଯେମିତିକି-
- ଯୌନାଙ୍ଗରେ ଯନ୍ତ୍ରଣା, ପୋଡାଜଳା ଓ କୁଣ୍ଡେଇହେବା
- ଯୋନି କିମ୍ବା ଲିଙ୍ଗରୁ ସ୍ରାବ
- ଯୌନାଙ୍ଗରେ ଘା', ରାସେସ୍
- ମଳଦ୍ବାର କୁଣ୍ଡେଇ ହେବା, ଯନ୍ତ୍ରଣା, ଲାଲ୍ ପଡିଯିବା
- ପରିସ୍ରା ପୋଡା, ଯନ୍ତ୍ରଣା
- ମହିଳାଙ୍କ ଯୋନି ଦୁର୍ଗନ୍ଧ କରିବା
- ଜ୍ବର
- ଥକ୍କା ଅନୁଭବ
- ପାଟିରେ ଫୁଲା ବା ଘା'
- ପେଲଭିକ ଏରିଆରେ ଯନ୍ତ୍ରଣା
ଉପଚାର ଓ ସାବଧାନତା:
ଏହିସବୁ ଲକ୍ଷଣକୁ ଆଦୌ ଅଣଦେଖା କରିବା ଅନୁଚିତ୍ । କାରଣ ସଂକ୍ରମଣ ବା ରୋଗ ବଢିଗଲେ ଏହାର ଚିକିତ୍ସା ଜଟିଳ ହୋଇପାରେ । ବେଳେବେଳେ ସଂକ୍ରମିତ ବ୍ୟକ୍ତି ମୃତ୍ୟୁମୁଖରେ ପଡିଥାଏ । ରକ୍ତ ପରୀକ୍ଷା, ୟୁରିନ ଟେଷ୍ଟ ଓ ସ୍ବାବ ଟେଷ୍ଟ ଜରିଆରେ ସଂକ୍ରମଣର ଯାଞ୍ଚ କରାଯାଏ । ଏହାପରେ ରୋଗର କାରଣ ଆଧାରରେ ପୀଡିତଙ୍କୁ ଆଣ୍ଟିବାୟୋଟିକ୍ସ କିମ୍ବା ଆଣ୍ଟିଭାଇରାଲ ଔଷଧ ଦିଆଯାଏ । ଅନେକ ମାମଲାରେ ସାରା ଜୀବନ ଚିକିତ୍ସା ଆବଶ୍ୟକତା ପଡିଥାଏ ।
ଡାକ୍ତରଙ୍କ କହିବା କଥା, ଅସୁରକ୍ଷିତ ଯୌନ ସମ୍ପର୍କ, ଯୌନ ଗତିବିଧିରେ ଅଧିକ ସକ୍ରିୟ ରହିବା କିମ୍ବା ଏକାଧିକ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖିବା ଦ୍ବାରା ଏହି ରୋଗ ଆଶଙ୍କା ଅଧିକ ଥାଏ । ଏ ଦିଗରେ ସଚେତନ ରହିବା ଜରୁରୀ । ଏଥିପାଇଁ ନିୟମିତ STD ସ୍କ୍ରିନିଂ କରିବା ଉଚିତ୍ । ଯୌନ ସମ୍ପର୍କ ତଥା ସେକ୍ସ ସମୟରେ କଣ୍ଡୋମ ବ୍ୟବହାର କରିବା ଉଚିତ୍ । ଯଦି କୌଣସି ପୁରୁଷ କିମ୍ବା ମହିଳା ଏପରି ଗମ୍ଭୀର ସଂକ୍ରମଣରେ ପୀଡିତ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି ତେବେ ଅନ୍ୟ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖିବାରୁ ନିବୃତ୍ତ ରୁହନ୍ତୁ ।
ଏହାବ୍ୟତୀତ ହସ୍ପିଟାଲରେ ରକ୍ତ ନେବା, ଡ୍ରିପ୍ ମାଧ୍ୟମରେ ଔଷଧ ନେବା ସମୟରେ ନୂଆ ଛୁଞ୍ଚିର ବ୍ୟବହାର ହେଉଛି କି ନାହିଁ ସେନେଇ ସବୁବେଳେ ଧ୍ୟାନ ରଖିବେ । ଯଦି କୌଣସି ବ୍ୟକ୍ତିଠୁ ରକ୍ତ ନେଉଛନ୍ତି ତାହେଲେ ନିଶ୍ଚିତ ହେବେ ଯେ ସେହି ବ୍ୟକ୍ତି ଜଣକ ସଂକ୍ରମିତ ନୁହନ୍ତି ।
ଏହା ମଧ୍ୟ ପଢନ୍ତୁ: କାହିଁକି ଜନ୍ମ ହୁଅନ୍ତି ପ୍ରିମାଚ୍ୟୁର ଶିଶୁ, କ'ଣ ହୋଇଥାଏ ସମସ୍ୟା ? - PREMATURE BABY CAUSES
ଏହା ମଧ୍ୟ ପଢନ୍ତୁ: ଯୋନି ସଂକ୍ରମଣକୁ କରନ୍ତୁନି ଅବହେଳା, ନେଇପାରେ କ୍ୟାନ୍ସର ରୂପ, ସାବଧାନ ମହିଳା ! - VAGINAL INFECTION