ଗାନ୍ଧୀନଗର: ଉତ୍ତରାଖଣ୍ଡ ପରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ବିଜେପିଶାସିତ ଗୁଜରାଟରେ ଲାଗୁ ହେବ ‘ଏକକ ନାଗରିକ ସଂହିତା’(UCC)। ଏନେଇ ଗୁଜୁରାଟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ବରେ 5 ଜଣିଆ କମିଟି ଗଠନ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଏହି କମିଟି ରାଜ୍ୟ ସରକାରଙ୍କୁ 45 ଦିନରେ ରିପୋର୍ଟ୍ ପ୍ରଦାନ କରିବ । ସେହି ସୁପାରିଶ ଆଧାରରେ ‘ୟୁସିସି’ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ ହେବା ସହ ରାଜ୍ଯରେ ଲାଗୁ କରିବା ପାଇଁ ବୈଧାନିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ।
- ପୁଣି ଜଷ୍ଟିସ ରଞ୍ଜନାଙ୍କୁ ଦାୟିତ୍ବ
ଉତ୍ତରାଖଣ୍ଡରେ ଧାମୀ ସରକାର ୟୁସିସି କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ, ତାର ନେତୃତ୍ବ ନେଇଥିଲେ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ । ତାଙ୍କ ଉପରେ ପୁଣି ଥରେ ଗୁଜୁରାଟ ସରକାର ସମାନ ଦାୟିତ୍ବ ନ୍ୟସ୍ତ କରିଛନ୍ତି । ଜଷ୍ଟିସ୍ ରଞ୍ଜନା ପୂର୍ବରୁ ‘ଭାରତୀୟ ସୀମା ପୁନର୍ନିର୍ଦ୍ଧାରଣ ଆୟୋଗ’ର ମୁଖ୍ୟ ଭାବେ ମଧ୍ୟ କାମ କରିଛନ୍ତି । ଧାରା 370 ଉଚ୍ଛେଦ ହେବା ପରେ କାଶ୍ମୀର ଡିଲିମିଟେସନ ତାଙ୍କ ନେତୃତ୍ବାଧୀନ ଟିମ୍ର ସୁପାରିଶ ହୋଇଥିଲା । ଏବେ ଗୁଜୁରାଟ ସରକାରଙ୍କ ଦ୍ବାରା ଜଷ୍ଟିସ ରଞ୍ଜନାଙ୍କ ନେତୃତ୍ବରେ ଗଠିତ 5 ଜଣିଆ କମିଟି 45 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପରେ ନିଷ୍ପତ୍ତି ନିଆଯିବ ।
- ଗୋଆରେ କାର୍ଯ୍ୟକାରୀ ଅଛି ‘ସିଭିଲ କୋଡ’
ସ୍ବାଧୀନତା ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ‘UCC’ ଲାଗୁ କରିଛି । ଯଦିଓ ଗୋଆରେ ମଧ୍ୟ ‘ଏକକ ନାଗରିକ ସଂହିତା’ ଲାଗୁ ହୋଇଛି, କିନ୍ତୁ ଏହା ସ୍ବାଧୀନତା ପୂର୍ବରୁ ପର୍ତ୍ତୁଗୀଜ ଶାସନରେ ଲାଗୁ ହୋଇଥିଲା । ପୂର୍ବରୁ ଏହାର ନାମ ‘ପର୍ତ୍ତୁଗୀଜ ସିଭିଲ୍ କୋଡ’ ଥିବା ବେଳେ 1961 ରେ ଭାରତରେ ଗୋଆ ବିଲୟ ପରେ ଏହାର ନାମ ପରିବର୍ତ୍ତନ କରି ‘ଗୋଆ ସିଭିଲ କୋଡ’ କରାଯାଇଛି । ଏହି ସଂହିତାରେ ବର୍ତ୍ତମାନର ‘ୟୁସିସି’ ସର୍ତ୍ତାବଳୀ ସହ କିଛି ମାପଦଣ୍ଡରେ ସମାନତା ରହିଛି । ମାତ୍ର ଏବେ କାର୍ଯ୍ୟକାରୀ କରାଯାଉଥିବା ‘ୟୁସିସି’ରେ ଏକାଧିକ ବିଷୟ ତଥା ବିବାହ, ବିବାହବିଚ୍ଛେଦ ଓ ମାଲିକାନା ସତ୍ତ୍ବ ପରି ବିଭନ୍ନ ଦିଗକୁ ସ୍ପଷ୍ଟ ପରିଭାଷିତ କରାଯାଇଛି ।
UCC କ'ଣ ?
ୟୁସିସି ବା ‘ଏକକ ନାଗରିକ ସଂହିତା’ ଆଇନ ଲାଗୁ ହେଲେ ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଓ ସମ୍ପତ୍ତି କ୍ଷେତ୍ରରେ ସମସ୍ତଙ୍କର ଏକକ ଅଧିକାର ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଓ ଅଧିକାର ମଧ୍ୟ ସମାନ ରହିବ । ପ୍ରତି ଧର୍ମ ପାଇଁ ବିବାହ, ଛାଡ଼ପତ୍ର ଆଦି ଲାଗି ବି ଗୋଟିଏ ଆଇନ୍ ରହିବ । ଅର୍ଥାତ ହିନ୍ଦୁଙ୍କ ପାଇଁ ଯେଉଁ ନିୟମ ରହିବ, ଅନ୍ୟ ଧର୍ମର ବ୍ୟକ୍ତିବିଶେଙ୍କ ପାଇଁ ମଧ୍ୟ ସେହି ନିୟମ ରହିବ । ବିନା ଛାଡପତ୍ରରେ ଏକାଧିକ ବିବାହ ପାଇଁ ମିଳିବନି ଅନୁମତି । ଏହାର ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତ 27 ତାରିଖରେ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ‘ୟୁନିଫର୍ମ ସିଭିଲ କୋଡ୍’ ଲାଗୁ ହୋଇଥିଲା । ଦୁଇ ବର୍ଷରୁ ଅଧିକ ସମୟ ଧରି ଏହା ଉପରେ କାମ କରିଥିଲେ ଧାମି ସରକାର ।
ଇଟିଭି ଭାରତ, ବ୍ୟୁରୋ