ନୂଆଦିଲ୍ଲୀ :ସାରା ବିଶ୍ବରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କର କ୍ରେଜ ବହୁତ ଉଚ୍ଚରେ । ବିଶ୍ବ କ୍ରିକେଟକୁ ନୂଆ ସ୍ତରକୁ ନେଇଥିବା କୋହଲିଙ୍କୁ ଏବେ ବିଶ୍ବ କ୍ରିକେଟର ଫେସ୍ ବୋଲି ମଧ୍ୟ କୁହାଯାଉଛି । କେବଳ କ୍ରିକେଟପ୍ରେମୀ କାହିଁକି, ବିଭିନ୍ନ ଦେଶର ଷ୍ଟାର କ୍ରିକେଟରମାନେ ମଧ୍ୟ ବିରାଟ କୋହଲିଙ୍କର ଫ୍ୟାନ୍ ଅଟନ୍ତି । ଖୋଦ ପାକିସ୍ତାନର ଷ୍ଟାର ବ୍ୟାଟର ଓ ୱିକେଟ୍ କିପର ମହମ୍ମଦ ରିଜୱାନ୍ ଏବେ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି । ଟି20 ବିଶ୍ବକପ 2022ରେ ଏମସିଜି ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ କୋହଲି ଖେଳିଥିବା 82 ରନର ପାଳିକୁ ସର୍ବୋତ୍ତମ ଇନିଂସ ବୋଲି ବର୍ଣ୍ଣନା କରିଛନ୍ତି ରିଜୱାନ । ରିଜୱାନଙ୍କ କହିବାନୁଯାୟୀ, ସେହି ମ୍ୟାଚ୍ରେ କୋହଲି ଯାହା କରିଛନ୍ତି, ଅନ୍ୟ କେହି ତାହା କରିପାରିନଥାନ୍ତେ ।
କେବଳ ବିରାଟ ହିଁ ଏମିତି ଖେଳି ପାରନ୍ତି :- ରିଜୱାନ
ଷ୍ଟାର ସ୍ପୋର୍ଟସ ସହ କଥାବାର୍ତ୍ତା ବେଳେ ମହମ୍ମଦ ରିଜୱାନ କହିଛନ୍ତି, "ଟି20 ବିଶ୍ବକପ 2022ରେ ଭାରତ ପାଇଁ କେବଳ ବିରାଟ କୋହଲି ହିଁ ସେଭଳି ଇନିଂସ ଖେଳି ପାରିଥାନ୍ତେ । କେବଳ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ସେଭଳି ପାଳି ଖେଳି ଦଳକୁ ଜିତାଇ ପାରିନଥାନ୍ତେ, ଆଉ ବିରାଟ କୋହଲି ଏହା କରି ଦେଖାଇଲେ ମଧ୍ୟ ।" ଏହି ମ୍ୟାଚ୍ରେ ଜିତିବା ପାଇଁ ଭାରତକୁ 4 ଓଭରରେ 54 ରନର ଆବଶ୍ୟକତା ଥିଲା । ସେହିଭଳି 20ତମ ଓଭରରେ ଦଳକୁ 16 ରନ୍ ଆବଶ୍ୟକ ଥିଲା । ଏଭଳି ପରିସ୍ଥିତିରେ କୋହଲି 53ଟି ବଲରେ 6 ଚୌକା ଓ 4 ଛକା ସହ 82 ରନର ଅପରାଜିତ ଇନିଂସ ଖେଳି ଭାରତ ପାଇଁ ମ୍ୟାଚ ଜିତାଇଥିଲେ । ସେ ଏହି ମ୍ୟାଚର 19ତମ ଓଭରରେ ପାକିସ୍ତନର ଷ୍ଟାର ପେସର ହାରିସ ରୌଫଙ୍କୁ ଏଭଳି ଚମତ୍କାର ଛକା ମାରିଥିଲେ, ଯାହାକୁ 'ଆଇସିସି ସଟ୍ ଅଫ୍ ଦି ସେଞ୍ଚୁରୀ' ଘୋଷଣା କରିଛି ।