ଓଡିଶା

odisha

By ETV Bharat Sports Team

Published : 4 hours ago

ETV Bharat / sports

ଭାରତ-ଇଂଲଣ୍ଡ ଟେଷ୍ଟ ପାଇଁ ଟିକେଟର ଦାମ ଶୁଣିଲେ ଉଡ଼ିଯିବ ହୋସ; ସବୁଠାରୁ ଶସ୍ତା ଟିକେଟର ମୂଲ୍ୟ 8 ହଜାର ପାର - India vs England Ticket Price

India vs England Ticket Price : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ବର୍ଷ ଖେଳାଯିବ ଟେଷ୍ଟ ସିରିଜ୍ । ତେବେ ଐତିହାସିକ ଲର୍ଡସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଟିକେଟର ମୂଲ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ଏହାର ସର୍ବନିମ୍ନ ଟିକେଟ୍ ମୂଲ୍ୟ 8500 ଟଙ୍କା । ଅଧିକ ପଢ଼ନ୍ତୁ

India vs England Ticket Price
India vs England Ticket Price (ANI Photo)

ଲଣ୍ଡନ : ଆସନ୍ତା ବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ଗସ୍ତ କରିବ ଭାରତୀୟ କ୍ରିକେଟ ଦଳ । ଇଂଲଣ୍ଡ ବିପକ୍ଷରେ ଐତିହାସିକ ଲର୍ଡସରେ ଟେଷ୍ଟ ମ୍ୟାଚ୍‌ ପାଇଁ ମୁହାଁମୁହିଁ ହେବ ଟିମ୍‌ ଇଣ୍ଡିଆ । ତେବେ ଏହି ମ୍ୟାଚ୍‌ ପାଇଁ ଏବେଠାରୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ଏହି ଟେଷ୍ଟର ପ୍ରଥମ ତିନି ଦିନ ପାଇଁ ମେରିଲିବୋନ କ୍ରିକେଟ୍ କ୍ଲବ (Marylebone Cricket Club) ସର୍ବନିମ୍ନ ଟିକେଟ୍ ମୂଲ୍ୟ 90 ୟୁରୋ (ପ୍ରାୟ 8400 ଭାରତୀୟ ଟଙ୍କା) ସ୍ଥିର କରିଛି । ସେହିଭଳି ମୁଖ୍ୟ ଷ୍ଟାଣ୍ଡଗୁଡିକର ଟିକେଟ୍ ମୂଲ୍ୟ 120 ୟୁରୋରୁ 175 ୟୁରୋ (ପ୍ରାୟ 11,200ରୁ 16,330 ଭାରତୀୟ ଟଙ୍କା) ରଖାଯାଇଛି ।

ସମାଲୋଚନା କଲେ କ୍ରିକେଟପ୍ରେମୀ :-

ତେବେ ଐତିହାସିକ ଲର୍ଡସ୍‌ ଷ୍ଟାଡିୟମର ଦେଖାରଖା କରୁଥିବା ମେରିଲିବୋନ କ୍ରିକେଟ୍ କ୍ଲବ (MCC)ର ଏଭଳି ନିଷ୍ପତିକୁ ବହୁ ସମାଲୋଚନା କରାଯାଉଛି । ସମାଲୋଚକମାନଙ୍କ କହିବା କଥା, ଚଳିତ ବର୍ଷ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଲର୍ଡସ୍‌ ଟେଷ୍ଟ ସମୟରେ ମଧ୍ୟ କେତେକ ପ୍ରମୁଖ ଷ୍ଟାଣ୍ଡ ପାଇଁ ଟିକେଟର ମୂଲ୍ୟ 115 ୟୁରୋରୁ 140 ୟୁରୋ (ପ୍ରାୟ 10,730ରୁ 13,065 ଟଙ୍କା) ସ୍ଥିର କରାଯାଇଥିଲା, ଯେଉଁଥିପାଇଁ ଅନେକ ଷ୍ଟାଣ୍ଡ ଖାଲି ଥିଲା । ଚତୁର୍ଥ ଦିନର ଖେଳ ଦେଖିବା ପାଇଁ କେବଳ 9000 ଟିକେଟ୍ ବିକ୍ରି ହୋଇଥିଲା, ଯାହା ଷ୍ଟାଡିୟମର କ୍ଷମତାର ଏକ ତୃତୀୟାଂଶରୁ ବି କମ୍ ଥିଲା । ଯଦିଓ ସେହିଦିନ ସମାଲୋଚନା ପରେ MCC ଟି-ବ୍ରେକ୍‌ ପରବର୍ତ୍ତୀ ଟିକେଟ୍ ମୂଲ୍ୟକୁ 15 ୟୁରୋ (1400 ଟଙ୍କା)କୁ ହ୍ରାସ କରିଥିଲା, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ମ୍ୟାଚ୍‌ ପରେ ଇଂଲଣ୍ଡ ଅଧିନାୟକ ଓଲି ପୋପ୍ କହିଥିଲେ, "ଟେଷ୍ଟ ମ୍ୟାଚ୍ ପାଇଁ ଏହା ଭଲ ଦିନ ଥିଲା, କିନ୍ତୁ ଷ୍ଟାଡିୟମ ପୂର୍ଣ୍ଣ ନହେବା ଦୁର୍ଭାଗ୍ୟଜନକ ଥିଲା ।"

ଆହୁରି ବଢ଼ିବ ଟିକେଟ ଦର :-

ତେବେ ଭାରତ ବିପକ୍ଷ ମ୍ୟାଚ୍‌ର ଚତୁର୍ଥ ଦିନ ପାଇଁ ଟିକେଟ୍ ମୂଲ୍ୟ ନୀତିର ପୁନଃ-ମୂଲ୍ୟାଙ୍କନ କରିବୁ ବୋଲି ଏମ୍‌ସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସଚିବ ଜି ଲାଭେଣ୍ଡର କହିଛନ୍ତି । ହେଲେ ଟିକେଟ ମୂଲ୍ୟ କମ ହେବନି, ବରଂ ଆହୁରି ବଢ଼ିବ । ଭାରତ ବିପକ୍ଷ ମ୍ୟାଚର ଚତୁର୍ଥ ଦିନ ପାଇଁ 90 ୟୁରୋ (8400 ଟଙ୍କା)ରୁ 150 ୟୁରୋ (14000 ଟଙ୍କା) ପର୍ଯ୍ୟନ୍ତ ଟିକେଟ୍‌ର ମୂଲ୍ୟ ରହିବ ବୋଲି ସେ କହିଛନ୍ତି । MCC ଯୁକ୍ତି ଅନୁସାରେ ଇଂଲଣ୍ଡ ଟେଷ୍ଟ କ୍ୟାଲେଣ୍ଡରରେ ଅଷ୍ଟ୍ରେଲିଆ ପରେ ଭାରତ ଦ୍ବିତୀୟ ବୃହତ୍ତମ ଭ୍ରମଣକାରୀ ଦଳ ଅଟେ । ଏଥିପାଇଁ ଟିକେଟର ମୂଲ୍ୟ ମଧ୍ୟ ଅଧିକ ରହିବ ।

ଲର୍ଡସରେ ଆୟୋଜିତ ହେବାକୁ ଥିବା WTC ଫାଇନାଲ୍ 2025 ପାଇଁ ଟିକେଟ୍ ମୂଲ୍ୟ ମଧ୍ୟ 70 ୟୁରୋ (6530 ଟଙ୍କା)ରୁ 130 ୟୁରୋ (12,130 ଟଙ୍କା)କୁ ସ୍ଥିର କରାଯାଇଛି । ଏଥି ସହିତ, 2025ରେ ଇଂଲଣ୍ଡ ଏବଂ ଭାରତ ମହିଳା ଦଳ ମଧ୍ୟରେ ହେବାକୁ ଥିବା ODI ମ୍ୟାଚ୍ ପାଇଁ ଟିକେଟ୍ ମଧ୍ୟ 25 ୟୁରୋ (2330 ଟଙ୍କା)ରୁ 45 ୟୁରୋ (4200 ଟଙ୍କା) ସ୍ଥିର କରାଯାଇଛି, ଯାହା କେବଳ ଲର୍ଡସ୍‌ରେ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details