ନୂଆଦିଲ୍ଲୀ : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଚମତ୍କାର ପ୍ରଦର୍ଶନ କରି ଷ୍ଟାର ଶୁଟର ମନୁ ଭାକର ସମଗ୍ର ଦେଶକୁ ଗର୍ବିତ କରିଛନ୍ତି । ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ ମନୁ ଭାକର । 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏକକ ଏବଂ ମିଶ୍ରିତ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ମନୁ । ଏହି ସଫଳତା ପରେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ସହ ତାଙ୍କ ଆଫେୟାର ଗୁଜବ ମଧ୍ୟ ତାଙ୍କୁ ଖୁବ ଚର୍ଚ୍ଚାକୁ ଆଣିଥିଲା ।
କାହା ସହ ସମୟ ବିତାଇବାକୁ ଚାହାଁନ୍ତି ମନୁ ? :-
ଏସବୁ ମଧ୍ୟରେ ମନୁ ଭାକର ଜଣଙ୍କ ସହ ଏକ ଘଣ୍ଟା ବିତାଇବାକୁ ଚାହୁଁଥିବା କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି । କସ୍ମୋପଲିଟାନକୁ ଦେଇଥିବା ଏକ ସାକ୍ଷାତକାରରେ ମନୁ ଭାକର ଏହା ପ୍ରକାଶ କରିଛନ୍ତି । ଯେଉଁ ଖେଳାଳିଙ୍କ ସହ ମନୁ ଏକ ଘଣ୍ଟା ବିତାଇବାକୁ ଚାହାଁନ୍ତି, ସେ ନୀରଜ ଚୋପ୍ରା ନୁହଁନ୍ତି, ବରଂ ଭାରତୀୟ କ୍ରିକେଟର ତିନି କିମ୍ବଦନ୍ତୀ ବିରାଟ କୋହଲି, ଏମଏସ ଧୋନି ଏବଂ ସଚିନ ତେନ୍ଦୁଲକର ।
ଯେତେବେଳେ ମନୁ ଭାକରଙ୍କୁ ଏକ ପ୍ରଶ୍ନ ପଚରାଗଲା, ଯେ କେଉଁ ଖେଳାଳିଙ୍କ ସହ ସେ ଗୋଟିଏ ଦିନ ବିତାଇବାକୁ ଚାହାଁନ୍ତି ? ସେତେବେଳେ ସେ ଅତି ସହଜରେ ଏହାର ଉତ୍ତର ଦେଇଥିଲେ । ମନୁ କହିଛନ୍ତି, "ଉସେନ ବୋଲ୍ଟ ସେମାନଙ୍କ ମଧ୍ୟରୁ ଜଣେ । ମୁଁ ତାଙ୍କ ପୁସ୍ତକ ଅନେକ ଥର ପଢିଛି ଏବଂ ମୁଁ ତାଙ୍କର ସଂଘର୍ଷମୟ ଯାତ୍ରା ମଧ୍ୟ ଜାଣିଛି । ମୁଁ ତାଙ୍କର ଅନେକ ସାକ୍ଷାତକାର ମଧ୍ୟ ଦେଖିଛି ।" ଏହାପରେ ସେ କହିଥିଲେ, "ଭାରତରେ ସଚିନ ତେନ୍ଦୁଲକର, ଧୋନୀ ସାର୍ ଏବଂ ବିରାଟ କୋହଲିଙ୍କ ସହ ଏକ ଘଣ୍ଟା ବିତାଇବା ଏକ ଗୌରବର ବିଷୟ ହେବ ।"