ଅନୁଗୋଳ: ଓଡ଼ିଆ ରୋଷେଇଶାଳରେ ଆଳୁ ଓ ଟମାଟୋ ଏପରି ଏକ ପରିବା ଯାହା ବିନା ରୋଷେଇଶାଳ ନିଅଣ୍ଟିଆ ଲାଗେ । ଅଧିକାଂଶ ଖାଦ୍ୟରେ ଟମାଟୋର ଆବଶ୍ୟକତା ଥାଏ। ତେଣୁ ଟମାଟୋର ଚାହିଦା ଆମ ବଜାରରେ ବେଶ ଅଧିକ । ହେଲେ ବର୍ଷରେ ଶୀତ ଦୁଇ ମାସ ଛାଡିଦେଲେ ଅନ୍ୟ କୌଣସି ସମୟରେ ଟମାଟୋ ଚାଷ ହୁଏ ନାହିଁ । ଟମାଟୋ ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ତାହା ପୁଣି ଚଢା ଦରରେ କିଣିବାକୁ ହୁଏ । ଏଭଳି ସ୍ଥିତିରେ ଅନୁଗୋଳର ଜଣେ ଚାଷୀ ନିଜସ୍ୱ ଉଦ୍ୟମରେ ଗ୍ରାଫଟିଂ ପଦ୍ଧତିରେ ଟମାଟୋ ଚାଷ କରୁଛନ୍ତି । ଫଳରେ ବର୍ଷସାରା ପର୍ଯ୍ୟାପ୍ତ ପରିମାଣର ଟମାଟୋ ଅମଳ ହୋଇ ପାରୁଛି ।
ଆମ ରାଜ୍ୟରେ ଜାନୁଆରୀ ଓ ଫେବୃଆରୀ ମାସରେ ଦେଶୀ ଜାତୀୟ ଟମାଟୋ ଅମଳ ହୁଏ । ସେତେବେଳେ ଆବଶ୍ୟକଠାରୁ ଅଧିକ ଟମାଟୋ ଅମଳ ହେଉଥିବାରୁ ଏହା କମ ଦରରେ ବିକ୍ରି ହୋଇଥାଏ । ଚାଷୀଙ୍କୁ କ୍ଷତି ସହିବାକୁ ପଡେ। ଏହାଛଡା ଅନ୍ୟ ଦିନ ଗୁଡିକରେ ବାହାର ରାଜ୍ୟର ଟମାଟୋ ଚଢା ଦରରେ କିଣିବାକୁ ହୁଏ । କିନ୍ତୁ ଏଭଳି ସ୍ଥିତିରେ ଅନୁଗୋଳ ବ୍ଲକ ରଗୁଡ଼ିଆପଡା ଗାଁର ଚାଷୀ ବିଭୂତି ପ୍ରଧାନ ଅତ୍ୟାଧୁନିକ ଉପାୟରେ ଗ୍ରାଫଟିଂ ପଦ୍ଧତିରେ ପ୍ରଚୁର ପରିମାଣର ଟମାଟୋ ଅମଳ କରି ପାରୁଛନ୍ତି । ଚଳିତ ବର୍ଷ ବିଭୂତି ପ୍ରାୟ ୪ ଏକର ଜମିରେ ଗ୍ରାଫଟିଂ ପଦ୍ଧତିରେ ଟମାଟୋ ଚାଷ କରିଛନ୍ତି । ଗତ ଦୁଇ ମାସରେ ସେ ୧୦ କୁଇଣ୍ଟାଲରୁ ଅଧିକ ଟମାଟୋ ଅମଳ କରି ସାରିଲେଣି । ଆଗକୁ ଆହୁରି ୫/୬ମାସ ପର୍ଯ୍ୟନ୍ତ ଅମଳ ହୋଇ ପାରିବ । ପ୍ରଥମେ 40ରୁ ଅଧିକ ଓ ଏବେ କେଜି ପ୍ରତି 30 ଟଙ୍କାରେ ବେପାରୀଙ୍କୁ ବିକ୍ରି କରୁଛନ୍ତି ।
ଗ୍ରାଫଟିଂ ପଦ୍ଧତି କଣ ?
ଗ୍ରାଫଟିଂ ପଦ୍ଧତି ବିଶେଷ କରି ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ଭଳି କୃଷି ପ୍ରଧାନ ରାଜ୍ୟ ଗୁଡିକରେ ଚାଷ କରାଯାଏ । ଏହି ପଦ୍ଧତିରେ ପ୍ରସ୍ତୁତ କରାଯାଇଥିବା ଚାରା ଗୋଟିକୁ ୧୫ ରୁ ୨୦ ଟଙ୍କା ଦେଇ କ୍ରୟ କରିବାକୁ ପଡେ । ସ୍ୱତନ୍ତ୍ର ପଟ୍ଟାଳି ପ୍ରସ୍ତୁତ କରି ଚାରା ରୋପଣ କରାଯାଏ । ରୋପଣ କରିବାର ୨ରୁ ୩ ମାସ ପରେ ଫଳ ହୁଏ । ଗୋଟିଏ ଗଛରୁ ୨୦ ରୁ ୩୦ କେଜି ଟମାଟୋ ଅମଳ ହୁଏ । ଏହି ପଦ୍ଧତିରେ ଅଧିକ ପାଣି, ସାର, ଔଷଧର ଆବଶ୍ୟକତା ପଡେ ନାହିଁ । ଗୋଟିଏ ଗଛର ଯତ୍ନ ନେଲେ ପ୍ରାୟ ୬ରୁ ୭ ମାସ ପର୍ଯ୍ୟନ୍ତ ଫଳ ଫଳେ । ବିଭୂତି ନିଜସ୍ୱ ଉଦ୍ୟମରେ ବାହାର ରାଜ୍ୟର ଚାଷୀ ମାନଙ୍କ ସହ ଯୋଗାଯୋଗ କରି ଏଭଳି ଚାଷ କରି ସଫଳତା ପାଇଛନ୍ତି । ଆଗାମୀ ବର୍ଷରେ ଆହୁରି ଅଧିକ ଜମିରେ ଗ୍ରାଫଟିଂ ପଦ୍ଧତିରେ ଟମାଟୋ ଚାଷ କରିବାକୁ ମନସ୍ଥ କରିଛନ୍ତି ।
ଅନ୍ୟ ଜିଲ୍ଲାକୁ ଟମାଟୋ ଯୋଗାଉଛନ୍ତି ବିଭୂତି
ଜିଲ୍ଲା ତଥା ଜିଲ୍ଲା ବାହାରର ବଡ଼ ବଡ଼ ଚାଷୀ ଆସି କ୍ଷେତ ପରିଦର୍ଶନ କରିବା ସହ ବିଭୂତିଙ୍କଠାରୁ ଏହି ଚାଷ ବିଷୟରେ ଜ୍ଞାନ କୌଶଳ ନେଉଛନ୍ତି । ବର୍ତ୍ତମାନ ବଜାରରେ ଟମାଟୋ କେଜି ପ୍ରତି ୬୦/୭୦ ଟଙ୍କା ଦରରେ ବିକ୍ରି ହେଉଛି । ଏ ସମୟରେ ବିଭୂତି କେବଳ ଅନୁଗୁଳ ଜିଲ୍ଲା ନୁହେଁ ବରଂ ଜିଲା ବାହାରକୁ ମଧ୍ୟ ଟମାଟୋ ଯୋଗାଇ ପାରୁଛନ୍ତି । ଗତ ବର୍ଷ ବିଭୂତି ପ୍ରାୟ ୫ଟନ ଟମାଟୋ ଉତ୍ପାଦନ କରି ପାରିଥିଲେ । ଚଳିତ ବର୍ଷ ଆହୁରି ଅଧିକ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି ।
ଏନେଇ ଟମୋଟୋ ଚାଷୀ ବିଭୂତି ପ୍ରଧାନ କହିଛନ୍ତି,"ଏ ହେଉଛି ଗ୍ରାଫଟିଂ ଟମାଟୋ । ଉତ୍ପାଦନ ଭଲ ରହୁଛି । ଆମ ପରିବେଶ ପାଇଁ ଏହା ଭଲ। ଗଛରେ ବିଶେଷ ରୋଗପୋକ ଲାଗୁନାହିଁ । ଆମ ଜିଲ୍ଲା ଓ ବାହାର ଜିଲ୍ଲାର ଚାଷୀ ଭାଇମାନେ ଆସି ଏ ଚାଷ ବିଷୟରେ ପଚାରୁଛନ୍ତି । ସେମାନେ ଏଠୁ ସାହାସ ପାଇ ନିଜେ ଚାଷ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି ।"
ସ୍ଥାନୀୟ ବୁଦ୍ଧିଜୀବୀ ବିରେନ୍ଦ୍ର ପ୍ରଧାନ କହିଛନ୍ତି, " ଗ୍ରାଫଟିଂ ପଦ୍ଧତିରେ ଟମାଟୋ ଚାଷ କରିବାରେ ସାରା ଜିଲ୍ଲାରେ ବିଭୂତି ଏକମାତ୍ର ଚାଷୀ ଏବଂ ରାଜ୍ୟରେ ବଛା ବଛା ହାତ ଗଣତି କିଛି ଚାଷୀଙ୍କ ମଧ୍ୟରୁ ଜଣେ । ଚାଷୀମାନେ ଏହି ପଦ୍ଧତିରେ ଅଧିକରୁ ଅଧିକ ଟମାଟୋ ଚାଷ କଲେ ଆମ ରାଜ୍ୟ ଟମାଟୋ ପାଇଁ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।"
ଇଟିଭି ଭାରତ, ଅନୁଗୋଳ