ଭୁବନେଶ୍ବର: ଦିନ କେଇଟା ପରେ ନୂଆବର୍ଷ 2025 । ନୂଆବର୍ଷ ସେଲିବ୍ରେସନ ଲାଗି ବିଭିନ୍ନ ପ୍ରସ୍ତୁତି ଚାଲିଛି । ନୂଆବର୍ଷରେ ସୀମା ଟପିପାରେ ବେଆଇନ ନିଶା କାରବାର । ପୂର୍ବ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଆରମ୍ଭ କରିଛି ଅବକାରୀ ବିଭାଗ । ମଦ୍ୟପାନ କରି ବିଶୃଙ୍ଖଳା ଆଚରଣ ଓ ବେଆଇନ ବ୍ୟବସାୟ ଉପରେ ବିଭାଗ ନଜର ରଖିବ । ପୋଲିସ ଓ ଅବକାରୀ ଟିମ ସମନ୍ୱୟରେ ପଦକ୍ଷେପ ନିଆଯିବ ।
ବେଆଇନ ବ୍ୟବସାୟ ଉପରେ ନଜର:
ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଆବଶ୍ୟକତା ଦୃଷ୍ଟିରୁ ନୂଆବର୍ଷରେ କଠୋର ପଦକ୍ଷେପ ନିଆଯିବ । ଅବକାରୀ ନୀତି ବାହାରକୁ ଯାଇ କାର୍ଯ୍ୟ କଲେ ବିଭାଗ କଠୋରତାର ସହିତ ଦଣ୍ଡ ବିଧାନ ପ୍ରକ୍ରିୟା ଆରମ୍ଭ କରିବ । ନୂଆବର୍ଷକୁ ଦୃଷ୍ଟିରେ ରଖି 2ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ମଦ୍ୟପାନ କରି ବିଶୃଙ୍ଖଳା ଆଚରଣ ଏବଂ ବେଆଇନ ବ୍ୟବସାୟ ଉପରେ ନଜର ରହିବ । ଉଭୟ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲାଗିବ । ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ରହିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।"
ଫୋକସରେ ଭାଙ୍ଗ ଓ ଗଞ୍ଜେଇ:
ସେହିପରି ଅବକାରୀ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି, "ନୂଆବର୍ଷ ପୂର୍ବରୁ ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗର କଡ଼ା ନଜର ରହିଛି । ଫୋକସରେ ଭାଙ୍ଗ ଓ ଗଞ୍ଜେଇ । ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ମଧ୍ୟ ପଦକ୍ଷେପ ନେବ ଅବକାରୀ ବିଭାଗ । ଏହି ସମୟରେ ଭାଙ୍ଗ ଓ ଗଞ୍ଜେଇ ଚାଷକୁ ନଷ୍ଟ କରିବା ପାଇଁ ଲକ୍ଷ୍ୟ ରଖିଛି ଅବକାରୀ ବିଭାଗ । ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଏସଟିଏଫ ଓ ଅବକାରୀ ବିଭାଗ ମିଳିତ ଭାବେ କରିବେ ଚଢ଼ାଉ । ଏଥିପାଇଁ ଜଏଣ୍ଟ ଟିମ ଗଠନ ହୋଇଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନଜର ରଖାଯାଇଛି ।"
ଜିରୋ ନାଇଟ ସେଲିବ୍ରେଶନ ଉପରେ ନଜର:
ଅବକାରୀ ସଚିବ ଆହୁରି ମଧ୍ୟ କହିଛନ୍ତି, "ଯୁବ ବର୍ଗ ନିଜ ସ୍ୱାସ୍ଥ୍ୟ ଓ ପରିବାର କଥା ଚିନ୍ତା କରିବା କଥା । ଯୁବ ଗୋଷ୍ଠୀଙ୍କୁ ଏ ଦିଗରେ ସଚେତନ କରିବା ଦିଗରେ ବିଭାଗ ଅନେକ କାର୍ଯ୍ୟ କରୁଛି । ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ସଚେତନ କରାଯାଉଛି । ସେହିପରି ଜିରୋ ନାଇଟ ସେଲିବ୍ରେଶନ ବେଳେ ବି ରହିବ କଡ଼ା ନଜର । ଯେଉଁଭଳି ଆଇନ ଉଲ୍ଲଘଂନ ନହୁଏ ଏବଂ ଅପରାଧିକ କାର୍ଯ୍ୟକଳାପ ନବଢେ, ସେଥିପାଇଁ ସ୍କ୍ୱାଡ଼ିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।"
ଏହା ମଧ୍ୟ ପଢ଼ନ୍ତୁ...ପ୍ରାକ-ବଜେଟ ପରାମର୍ଶ ବୈଠକରେ ୮ଟି ଦାବି ରଖିଲା ଓଡ଼ିଶା ଏହା ମଧ୍ୟ ପଢ଼ନ୍ତୁ...ନବୀନ ଆଉଟ୍, ମୋହନ ଇନ୍: ୨୪ ବର୍ଷର ପ୍ରତୀକ୍ଷା, ୨୪ରେ ପୂରଣ |
ସେହିପରି ଆଜି ଅବକାରୀ ବିଭାଗ ସମ୍ପର୍କିତ ବୈଠକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କମିଟିର ସଦସ୍ୟ ଭାବେ ସରକାରୀ ଦଳ ମୁଖ୍ୟ ସଚେତକ ଗୋବିନ୍ଦ ଦାସ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ସାହୁ, ଅବକାରୀ ସଚିବ ଗୁହା ପୁନମ ତାପସ କୁମାର, ଅବକାରୀ କମିଶନ ନରସିଂହ ଭୋଳ ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଅବକାରୀ ବିଭାଗ ସମ୍ପର୍କିତ ବିଭିନ୍ନ ଯୋଜନା ଓ ଆଗାମୀ ପଦକ୍ଷେପ ବାବଦରେ ବିଭାଗୀୟ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି ।
କମିଟି ଅଧ୍ୟକ୍ଷ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, "ରାଜ୍ୟରେ ଅବକାରୀ ନୀତି ବର୍ଷକୁ ବର୍ଷ ପରିବର୍ତ୍ତନ ହୁଏ । ଅବକାରୀ ବିଭାଗରେ କନେଷ୍ଟବଳ ପଦବୀ ନିୟମିତ ହେବ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି ।"
ଡ୍ରଗ୍ସ ଓ ବେଆଇନ ମଦ ବ୍ୟବସାୟକୁ ନିୟନ୍ତ୍ରଣ:
ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଡ୍ରଗ୍ସ କାରବାରରେ ନିୟନ୍ତ୍ରଣ ଲାଗି ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ 2022ରେ ଏସଟିଏଫ ଗଠନ ହୋଇଥିଲା । ଏହି ଏସଟିଏଫକୁ ପୁନର୍ଗଠନ କରାଯିବ । ରାଜ୍ୟରେ ଡ୍ରଗ୍ସ ଓ ବେଆଇନ ମଦ ବ୍ୟବସାୟକୁ ନିୟନ୍ତ୍ରଣ କରାଯିବ । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ବ୍ୟବସ୍ଥା ସରକାର କରିବେ । ସମସ୍ତ ଅବକାରୀ ଅଫିସକୁ ଗାଡି ପ୍ରଦାନ କରାଯିବ । ବିଷାକ୍ତ ମଦ ବ୍ୟବସାୟକୁ ବନ୍ଦ ବା ନିୟନ୍ତ୍ରଣ କରିବା ଲାଗି ଅଧିକ ମାନବ ସମ୍ବଳ ଆବଶ୍ୟକ ରହିଛି । ମାସକ ମଧ୍ୟରେ ମାନବ ସମ୍ବଳ ବ୍ୟବସ୍ଥା କରିବାକୁ କୁହାଯାଇଛି । ମାନବ ସମ୍ବଳ ବ୍ୟବସ୍ଥା ହୋଇଗଲେ ଏହାକୁ ନିୟନ୍ତ୍ରଣ କରିବା ସହଜ ହେବ ।"
ଇଟିଭି ଭାରତ, ଭୁବନେଶ୍ବର