ହାଇଦ୍ରାବାଦ:ରାଜ୍ୟରେ ବଦଳିଛି 24 ବର୍ଷର ସରକାର । ବିଜେଡି ସରକାର ଗଲା ପରେ ଆସିଛି ବିଜେପି ସରକାର । ଆଉ ନୂଆ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ବିଭାଗରେ ହେଉଛି ଅନେକ ପରିବର୍ତ୍ତନ । ମୋହନ ସରକାର କାମ ଆରମ୍ଭ କରିବା କ୍ଷଣି ପ୍ରଶାସନରୁ ନିଗମ, ବିଭାଗୀୟ ପରାମର୍ଶଦାତାଙ୍କ ଠାରୁ ନେଇ ଅନେକ ବଡ ବାବୁ (ବିଭାଗୀୟ ସଚିବ) ପଦ ପଦବୀରୁ ହଟୁଛନ୍ତି । ଆଉ ଏହାରି ଭିତରେ ରାଜ୍ୟର କ୍ରୀଡା ବିଭାଗରୁ ଆସିଛି ବଡ ଖବର । ନବକଳେବର ହେବ ରାଜ୍ୟର କ୍ରୀଡା ବିଭାଗ । ନୂଆ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆଗମନ ପରେ କ୍ରୀଡା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେବା ସହିତ ବିଭାଗୀୟ କାର୍ଯ୍ୟ ତ୍ବରାନ୍ବିତ ହେବା ନେଇ ଆଶା ବଢିଛି । କାରଣ ନୂଆ ସରକାର ଛାଟ ପଡିବା ପୂର୍ବରୁ ଅନେକ କ୍ରୀଡା ଆସୋସୋସିଏନ (ସଂଗଠନ)ରେ ହୁରି ପଡିଲାଣି । ବିଭିନ୍ନ କ୍ରୀଡା ସଂଗଠନରେ ହେଉଥିବା ବିଭିନ୍ନ କ୍ରୀ଼ଡା ଆୟୋଜନ ବନ୍ଦ ହେବା ସହିତ ଗାଦି ମାଡି ବସିଥିବା ରାଜନେତା ବିଦା ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ତେବେ ବିଜେଡି ନେତାଙ୍କ କବଜାରେ ରହିଛି ରାଜ୍ୟର ଅନେକ କ୍ରୀଡା ସଂଗଠନ । ଆଉ ନୂଆ ସରକାର ଆସିବା ପରେ ଏଥିରେ ବିଜେପି ନେତାଙ୍କ ଏଣ୍ଟ୍ରି ଆରମ୍ଭ ହେବ । କାରଣ ଓଡ଼ିଶା ଫୁଟବଲ ଆସୋସିଏସନ୍ (FAO) ସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଆସନ୍ତା 21 ତାରିଖରେ FAOରେ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ଫାଓ ସଭାପତି ପଦ ଛାଡିଛନ୍ତି ଦେବାଶିଷ ।
ଦେବାଶଷ ଆଉଟ୍, ସମୀର ଇନ୍ !
ଓଡ଼ିଶା ଫୁଟବଲ ଆସୋସିଏସନରେ ଯେତେବେଳେ ନିର୍ବାଚନ ହୁଏ ସବୁବେଳେ ରାଜନେତାଙ୍କ ଆଧିପତ୍ୟ ଦେଖିବାକୁ ମିଳେ । ଏପଟେ ଆସନ୍ତା 21 ତାରିଖରେ ଫାଓରେ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ମୈଦାନ ଛାଡିଛନ୍ତି ଦେବଶିଷ ସାମନ୍ତରାୟ । ତେବେ ସେ ଏଥର ନିର୍ବାଚନ ନ ଲଢିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ସେ ରାଧାରମଣ କ୍ଲବ ପକ୍ଷରୁ ପ୍ରତିନିଧିତ୍ବ କରି ଦୁଇ ଥର ନିର୍ବାଚିତ ହୋଇଥିଲେ । ଏଥର କ୍ଲବ ପକ୍ଷରୁ ତାଙ୍କ ନାଁକୁ ପ୍ରସ୍ତାବିତ କରାଯାଇ ନାହିଁ । ଏପଟେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ନାଁକୁ ନିର୍ବାଚନ ପାଇଁ ଘୋଷଣା କରିଛି ରାଇଜିଂ ଷ୍ଟୁଡେଣ୍ଟ କ୍ଲବ । ଆଉ ପର୍ଯ୍ୟବକ୍ଷକଙ୍କ ମତରେ ସମୀର ବାଜି ମାରିନେବା ଏକ ପ୍ରକାର ସୁନିଶ୍ଚିତ । ଆସନ୍ତା 21 ରେ ଫାଓରେ ନିର୍ବାଚନ ହେବାକୁ ଥିବା ବେଳେ ବର୍ତ୍ତମାନ ଚାଲିଛି ନୋମିନେସନ ପ୍ରକ୍ରିୟା । ଏହି ନିର୍ବାଚନରେ 241 ଜଣ ସଦସ୍ୟ ଭେଟ ଦେବେ ।
କ୍ରୀଡା ଆସୋସିଏସନରେ ସମୀର ଦେ-
ସମୀର ଦେ ପୂର୍ବରୁ ଅନେକ ବର୍ଷ ଧରି ଓଡିଶା ଅଲମ୍ପିକ ଆସୋସିଏସନର ସଭାପତି ଥିଲେ । ପରେ ବାରବାଟୀକୁ ନେଇ ରାଜନୀତି ଜୋର ଧରିଲା ଆଉ ବିଜେଡି ନେତାଙ୍କ ପ୍ରଭାବ ବୃଦ୍ଧି ପରେ ସମୀର କୋଣଠେସା ହୋଇଥିଲେ । ତେବେ ବିଜେପି ସରକାର ଆସିବା ପରେ ପୁଣି କ୍ରିଡା ବିଭାଗକୁ ଏଣ୍ଟ୍ରି ମାରିପାରନ୍ତି ସମୀର ଦେ ।