ଲକ୍ଷ୍ନୌ:ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରେ ରୋକ ଲଗାଇଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । କେଏଲ ରାହୁଲ ଓ ଡି କକ୍ଙ୍କ ଧୂଆଁଧାର ବ୍ୟାଟିଂରେ ସିଏସକେକୁ ହରାଇଲା ଲକ୍ଷ୍ନୌ । ଆଇପିଏଲର 34ତମ ମ୍ୟାଚରେ 8 ଓ୍ବିକେଟରେ ଏଲଏସଜିର ବିଜୟ ହୋଇଛି । ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ଦଳ । ଆଇପିଏଲରେ ତୃତୀୟ ପରାଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ସିଏସକେ । ପୁଣି ପଡିଆରେ ବ୍ୟାଟିଂର ଯାଦୁ ଦେଖାଇଥିଲେ ମହେନ୍ଦ୍ର ସିଂ ଧୋନି । 9 ବଲରେ 28 ରନ କରି ପୁଣି ଦର୍ଶକଙ୍କ ମନ ଜିଣିଲେ ।
ଶୁକ୍ରବାର ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କେଏଲ ରାହୁଲଙ୍କ ବାହିନୀ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ଲକ୍ଷ୍ନୌର ଶୃଙ୍ଖଳିତ ବୋଲିଂ ଯୋଗୁଁ 20 ଓଭରରେ 6 ଓ୍ବିକେଟ ହରାଇ 176 ରନ କରିଥିଲା ସିଏସକେ । ରବିନ୍ଦ୍ର ଜାଡେଜା ଅପରାଜିତ 57 ରନ କରିଥିବା ବେଳେ ରାହାଣେ 36 ଓ ମୋଇନ ଅଲି 30 ରନ କରିଥିଲେ । 6 ନମ୍ବର ଓ୍ବିକେଟ ପଡିବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଧୋନି । ମାତ୍ର 9 ବଲରେ 2ଟି ଛକା ଓ 4ଟି ଚୌକା ମାରି ସେ 28 ରନ କରିଥିଲେ । ଧୋନିଙ୍କ ସଟରେ କମ୍ପି ଉଠିଥିଲା ଷ୍ଟାଡିୟମ ।