କୋଲକାତା: ଇଡେନ୍ ଗାର୍ଡେନ୍ସରେ କୋଲକାତା ଓ ଆର୍ସିବି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବେଶ ରୋମାଞ୍ଚକର ହୋଇଥିଲା । ଏହି ମ୍ୟାଚ୍କୁ କେବଳ ୧ ରନ୍ରେ କୋଲକାତା ଜିତି ନେଇଛି ସତ, ହେଲେ ମ୍ୟାଚ୍ରେ ବିରାଟ କୋହଲିଙ୍କ କଣ୍ଟ୍ରୋଭର୍ସିଆଲ୍ ଆଉଟ୍ ଏବେ ସୋସିଆଲ୍ ମିଡିଆରେ ଆଲୋଚନାର ବିଷୟ ପାଲଟିଛି । ପ୍ରକୃତରେ ବିରାଟ କିପରି ଆଉଟ୍ ହୋଇଥିଲେ, କଣ ପାଇଁ ଏହି ଆଉଟ୍କୁ ନେଇ ଏତେ ଚର୍ଚ୍ଚା, ଜାଣନ୍ତୁ..
ଆଇପିଏଲ୍ ୨୦୨୪ର ୩୬ତମ ମୁକାବିଲା କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୨୨୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଆର୍ସିବି ପକ୍ଷରୁ ପାଳି ଆରମ୍ଭ କରି କୋହଲି ମଧ୍ୟ ଆକ୍ରାମକ ଆରମ୍ଭ କରିଥିଲେ । ସେ କେବଳ ୬ ବଲରୁ ୩୦୦ ଷ୍ଟ୍ରାଇକ୍ ରେଟ୍ରେ ୧୮ ରନ ସଂଗ୍ରହ କରି ସାରିଥିଲେ । ହେଲେ ତୃତୀୟ ଓଭରରେ ହର୍ଷିତ ରାଣା ବୋଲିଂ କରୁଥିବା ବେଳେ କୋହଲି ଆଉଟ୍ ହୋଇଯାଇଥିଲେ । ରାଣା ଓଭରର ପ୍ରଥମ ବଲକୁ ଫୁଲ୍ ଟସ୍ କରି ବୋଲିଂ କରିଥିଲେ । କୋହଲି ଏହାକୁ ଖେଳି ନପାରି ରାଣାଙ୍କ ହାତରେ ହିଁ ଧରା ପଡ଼ିଥିଲେ । ଅମ୍ପାୟାର ଆଉଟ୍ ନେଇ ଈଶାରା ଦେବା କ୍ଷଣି କୋହଲି ରିଭ୍ୟୁ ନେଇଥିଲେ ।
କାହିଁକି ଉପୁଜିଲା ବିବାଦ?: ବିରାଟ ଆଉଟ୍ ହେବା କ୍ଷଣି ପଡ଼ିଆରେ ଉପୁଜିଥିଲା ବିବାଦ । କାରଣ କୋହଲି ଆଉଟ୍ ହୋଇଥିବା ବଲଟି କୋହଲିଙ୍କ ଅଣ୍ଟା ଉପରେ ରହିଥିଲା । ତେଣୁ ନିୟମ ଅନୁସାରେ ଏହା ନୋ ବଲ୍ ହେବା ଉଚିତ । ରିଭ୍ୟୁ ସମୟରେ ଥାର୍ଡ ଅମ୍ପାୟାର ଯେତେବେଳେ ବଲ୍କୁ ଟ୍ରାକ୍ କରିଥିଲେ, ସେତେବେଳେ ବଲ୍ଟି ମଧ୍ୟ କୋହଲିଙ୍କ ଅଣ୍ଟା ଉପରେ ଯାଉଥିବା ଦେଖାଇଥିଲା । ହେଲେ କୋହଲି କ୍ରିଜ୍ ବାହାରେ ରହି ବ୍ୟାଟିଂ କରୁଥିବାରୁ ଏହାକୁ ନୋ ବଲ୍ ଦେଇନଥିଲେ ଅମ୍ପାୟାର । ଫଳରେ କୋହଲିଙ୍କୁ ଆଉଟ୍ ହେବାକୁ ପଡ଼ିଥିଲା । ଏଭଳି ନିଷ୍ପତ୍ତିରେ ନିରାଶ ହୋଇ କୋହଲି ଅମ୍ପାୟାରଙ୍କ ସହ କିଛି ସମୟ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ଦଳର ଅଧିନାୟକ ଫାଫ୍ ଡୁପ୍ଲେସିସ୍ ମଧ୍ୟ ଏଭଳି ନିଷ୍ପତ୍ତିକୁ ପସନ୍ଦ ନକରି ଅମ୍ପାୟାରଙ୍କ ସହ କିଛି ସମୟ ବାର୍ତ୍ତାଳାପ କରିଥିଲେ ।