ଲକ୍ଷ୍ନୌ : ଭାରତୀୟ କ୍ରିକେଟ୍ ଦଳର ବାମହାତୀ ବ୍ୟାଟର ରିଙ୍କୁ ସିଂ ନିଜର ବିସ୍ଫୋରକ ବ୍ୟାଟିଂ ତଥା ମ୍ୟାଚ୍ ଫିନିଶ୍ କରିବାରେ ମାହିର । ବିଭିନ୍ନ ସମୟରେ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି, କେତେବେଳେ ଧୂଆଁଧାର ବ୍ୟାଟିଂ ପାଇଁ ତ କେତେବେଳେ ତାଙ୍କ ମଜାଦାର କାର୍ଯ୍ୟକଳାପ ପାଇଁ । ହେଲେ ଏବେ ସେ ଆଉ ଏକ ଘଟଣାକ୍ରମରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ରିଙ୍କୁ । ମୁଖ୍ୟମନ୍ତ୍ରୀ ରିଙ୍କୁ ସିଂଙ୍କୁ ତାଙ୍କ ବ୍ୟାଟ୍ରେ ଅଟୋଗ୍ରାଫ୍ ଦେଇଥିଲେ । ଏହି ଅବସରରେ ଉତ୍ତରପ୍ରଦେଶର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଡାନିସ ଆଜାଦ ଅନସାରୀ ମଧ୍ୟ ଉପସ୍ଥିତ ଥିଲେ । ରିଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏହି ସମୟର ଫଟୋ ସେୟାର କରିଛନ୍ତି ।
ରାଜନୀତିରେ ପାଦ ଦେବେ ରିଙ୍କୁ ! :-
କ୍ରିକେଟର ରିଙ୍କୁ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ସେ ରାଜନୀତିରେ ପାଦ ଦେଉଥିବା ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି । ହେଲେ ଏଥିରେ କୌଣସି ସତ୍ୟତା ନାହିଁ । ରିଙ୍କୁ ଏବେ ଉତ୍ତରପ୍ରଦେଶ ପ୍ରିମିୟର ଲିଗ୍ ଖେଳୁଥିବାରୁ ଲକ୍ଷ୍ନୌରେ ଅଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ରିଙ୍କୁ ମିରଟ ମୋଭିକ୍ସର ଅଧିନାୟକ ଅଛନ୍ତି । ରବିବାର ରାତିରେ ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ କାଶୀ ରୁଦ୍ର ବିପକ୍ଷରେ ରିଙ୍କୁଙ୍କ ଦଳ ଜିତିଥିଲା । ରିଙ୍କୁ ସିଂ ଚିରାଚରିତ ଢଙ୍ଗରେ ତାଙ୍କ ଦଳକୁ ଛକା ମାରି ବିଜୟୀ କରାଇଥିଲେ । ଏହି ବିଜୟ ପରେ ରିଙ୍କୁ ସିଂ ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୌଜନ୍ୟମୂଳକ ଭାବେ ଭେଟିଛନ୍ତି । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଫଟୋ ସେୟାର କରିବା ରିଙ୍କୁ ଲେଖିଛନ୍ତି, 'ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଅତ୍ୟନ୍ତ ଗର୍ବ ଅନୁଭବ ହେଉଛି । ଏହି ଅବସର ମିଳିଥିବାରୁ କୃତଜ୍ଞ ।'