ଚେନ୍ନାଇ : ଭାରତୀୟ ଦଳ ସେପ୍ଟେମ୍ବର 19ରୁ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ଅଭିଯାନ ଆରମ୍ଭ କରିବ । ପୁଣି ଆକ୍ସନକୁ ଫେରିବେ କିଙ୍ଗ କୋହଲି ଓ ରୋ-ହିଟ୍ମ୍ୟାନ ଶର୍ମା । ତେବେ ଏହାପୂର୍ବରୁ ଦଳର ଅଧିନାୟକ ରୋହିତ ଶର୍ମା ମଙ୍ଗଳବାର ଦିନ ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଯେଉଁଠାରେ, ସେ ଅନେକ ପ୍ରଶ୍ନର ଖୋଲାଖୋଲି ଉତ୍ତର ରଖିଥିଲେ । 45 ଦିନର ବ୍ୟବଧାନ ପରେ ଟିମ୍ ଇଣ୍ଡିଆ ପୁଣିଥରେ ପଡ଼ିଆକୁ ଫେରୁଥିବାବେଳେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜକୁ 2-0ରେ ଜିତି ଦୃଢ଼ ଆତ୍ମବିଶ୍ବାସ ସହ ଭାରତ ସହ ଖେଳିବାକୁ ଆସିଛି ବାଂଲାଦେଶ ।
🗣️🗣️ Every game becomes important because of what is at stake.#TeamIndia Captain @ImRo45 ahead of the #INDvBAN Test series opener 👌👌@IDFCFIRSTBank pic.twitter.com/TkcGCDZuYT
— BCCI (@BCCI) September 17, 2024
'ବାଂଲାଦେଶକୁ ମଜା ନେବାକୁ ଦିଅନ୍ତୁ' :-
ଏହି ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଯେତେବେଳେ ତାଙ୍କୁ ବାଂଲାଦେଶର ସାମ୍ପ୍ରତିକ ଫର୍ମ ବିଷୟରେ ପଚରାଗଲା, ସେତେବେଳେ ସେ ଏକ ମଜାଦାର ଉତ୍ତର ଦେଇ କହିଥିଲେ ଯେ ସମସ୍ତ ଦଳ ଭାରତକୁ ପରାସ୍ତ କରିବାକୁ ଚାହାଁନ୍ତି । ଅନେକ ଲୋକ ଆମେ ହାରିଯିବୁ ଭାବି ଖୁସି ହୁଅନ୍ତି । ସେମାନଙ୍କୁ (ବାଂଲାଦେଶକୁ) ମଧ୍ୟ ଖୁସି ହେବାକୁ ଦିଅନ୍ତୁ । ବାଂଲାଦେଶ ହେଉ କିମ୍ବା ଅଷ୍ଟ୍ରେଲିଆ, ଆମେ ପ୍ରତିଦ୍ବନ୍ଦ୍ବୀକୁ ଦେଖି ରଣନୀତି ପ୍ରସ୍ତୁତ କରିନଥାଉ, ବରଂ ଆମେ ଆମର ଖେଳ ପ୍ରତି ଅଧିକ ଧ୍ୟାନ ଦେଇଥାଉ ।
ଏହା ବ୍ୟତୀତ ବାଂଲାଦେଶ ବିପକ୍ଷ ମ୍ୟାଚ୍କୁ ଭାରତ ପାଇଁ 'ଡ୍ରେସ ରିହର୍ସାଲ' ବୋଲି ପ୍ରଶ୍ନର ଜବାବରେ ସେ କହିଛନ୍ତି, "ବାଂଲାଦେଶ ସିରିଜ୍ ଆଦୌ 'ଡ୍ରେସ ରିହର୍ସାଲ' ନୁହେଁ । ପ୍ରତ୍ୟେକ ମ୍ୟାଚ୍ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଯେଉଁଠାରେ ବି ମ୍ୟାଚ୍ ଖେଳାଯାଉ, ଆମେ ମ୍ୟାଚ୍ ଏବଂ ସିରିଜ୍ ଜିତିବାକୁ ଚାହୁଁ । ମୁଁ ଏହାଠାରୁ ଅଧିକ କିଛି ଚିନ୍ତା କରୁନାହିଁ । ସମସ୍ତ ଦଳ ଭାରତକୁ ପରାସ୍ତ କରିବାକୁ ଚାହାଁନ୍ତି, ସେମାନଙ୍କୁ ଭାରତକୁ ପରାସ୍ତ କରିବାରେ ମଜା ଆସେ, ସେମାନଙ୍କୁ (ବାଂଲାଦେଶକୁ) ମଧ୍ୟ ମଜା ନେବାକୁ ଦିଅନ୍ତୁ, ଆମେ ସେମାନଙ୍କୁ କିପରି ପରାସ୍ତ କରିବୁ ସେଥିପ୍ରତି ଧ୍ୟାନ ଦେବୁ । ଆମକୁ ମ୍ୟାଚ୍ ଜିତିବା ଆବଶ୍ୟକ ଏବଂ ସେଥିପାଇଁ ହିଁ ଆମେ ଏଠାରେ ଅଛୁ ।"
ସେମାନେ ଆମ ବିଷୟରେ କ’ଣ ଚିନ୍ତା କରିବେ ଏବଂ କହିବେ ସେ ବିଷୟରେ ଆମେ ଚିନ୍ତା କରିପାରିବୁ ନାହିଁ । ଯେତେବେଳେ ଇଂଲଣ୍ଡ ଏଠାକୁ ଆସିଲା, ସେମାନେ ମଧ୍ୟ ବହୁତ କିଛି କହିଥିଲେ । କିନ୍ତୁ ଆମେ ଏଥିପ୍ରତି ଅଧିକ ଧ୍ୟାନ ଦେଇନାହୁଁ । ଆମକୁ ଫଳାଫଳ ଦେବା ଆବଶ୍ୟକ ଏବଂ ଏହା ମଧ୍ୟ ଆମର ଲକ୍ଷ୍ୟ ହେବ । ଭାରତ ନିକଟରେ ଅନେକ ଦଳ ବିପକ୍ଷରେ ଭଲ କ୍ରିକେଟ୍ ଖେଳିଛି ଏବଂ ଆମର ମିଳିତ ଲକ୍ଷ୍ୟ ହେଉଛି ଜିତିବା, ବିରୋଧୀ ଦଳ ବିଷୟରେ ଚିନ୍ତା କରିବା ନୁହେଁ ।"
ପ୍ରସ୍ତୁତ ରୋହିତ ସେନା :-
ରୋହିତ କହିଛନ୍ତି, "ଭାରତ ବିଶ୍ବର ପ୍ରାୟ ସମସ୍ତ ଶୀର୍ଷ ଦଳ ବିପକ୍ଷରେ କ୍ରିକେଟ୍ ଖେଳିଛି । ତେଣୁ, ସମ୍ପୂର୍ଣ୍ଣ ଭିନ୍ନ ରଣନୀତି ପ୍ରସ୍ତୁତ କରିବାର କୌଣସି ଆବଶ୍ୟକତା ନାହିଁ ।" ଏହା ବ୍ୟତୀତ ବୋଲରଙ୍କ ବିଷୟରେ ସେ କହିଛନ୍ତି, "ଆମେ ଏହି ବୋଲରମାନଙ୍କୁ କିପରି ପରିଚାଳନା କରିବୁ, ସେନେଇ କିଛି ଯୋଜନା ପ୍ରସ୍ତୁତ କରିଛୁ । ଏପରିକି ଯେତେବେଳେ ଆମେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲୁ, ସେତେବେଳେ ଆମେ ବୁମରାଙ୍କ ଭଳି ଦଳର ଶୀର୍ଷ ବୋଲରଙ୍କୁ ମଧ୍ୟ ଏକ ଟେଷ୍ଟ ମ୍ୟାଚରୁ ବାହାରେ ରଖି ବିଶ୍ରାମ ଦେବାରେ ସଫଳ ହୋଇଥିଲୁ ।"
ପ୍ରକାଶ ଥାଉ, ଭାରତରେ ବାଂଲାଦେଶ ଦଳ ଏକ ଭିନ୍ନ ଏବଂ ଅଧିକ ଶକ୍ତିଶାଳୀ ଆହ୍ବାନର ସମ୍ମୁଖୀନ ହେବ । କାରଣ ରୋହିତ ବାହିନୀ ବର୍ତ୍ତମାନ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ (WTC) ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛନ୍ତି । ସେହିଭଳି ରୋହିତ ବାଂଲାଦେଶର ଆହ୍ବାନ ବିଷୟରେ ମଧ୍ୟ ପ୍ରସ୍ତୁତ ଅଛନ୍ତି । ତେବେ ଅନ୍ୟପକ୍ଷରେ ବାଂଲାଦେଶର ମୁଖ୍ୟ ପ୍ରଶିକ୍ଷକ ଚନ୍ଦିକା ହଥୁରୁସିଂହାଙ୍କ କହିବାନୁଯାୟୀ କ୍ରିକେଟ୍ର ସୁପର ପାୱାର ଇଣ୍ଡିଆ ବିପକ୍ଷରେ ଖେଳିବା ତାଙ୍କ ଦଳକୁ ଅନ୍ତର୍ଜାତୀୟସ୍ତରରେ ଏହାର ସ୍ଥିତିକୁ ସଠିକ୍ ଆକଳନ କରିବାରେ ସାହାଯ୍ୟ କରିବ ।
ଏହା ମଧ୍ୟ ପଢ଼ନ୍ତୁ :-
- କୋହଲିଙ୍କ ବିରାଟ ଛକାରେ ଭାଙ୍ଗିଲା ଷ୍ଟାଡିୟମ କାନ୍ଥ, ଭିଡିଓ ଭାଇରାଲ - virat kohli broke stadium wall
- ଭାରତ-ବାଂଲାଦେଶ ଟେଷ୍ଟ: କାହିଁକି ବୁମରାଙ୍କୁ ମିଳିଲାନି ଉପ ଅଧିନାୟକ ଦାୟିତ୍ବ ? - IND VS BAN FIRST TEST
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ