ନୂଆଦିଲ୍ଲୀ:ଆସନ୍ତା ସେପ୍ଟେମ୍ବର 19 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ । ସେପ୍ଟେମ୍ବର 19ରୁ ଅକ୍ଟୋବର 1 ମଧ୍ୟରେ 2ଟି ଟେଷ୍ଟ ସିରିଜ ଖେଳାଯିବ । ଏଥି ପାଇଁ ଟିମ୍ ଇଣ୍ଡିଆ 16 ଜଣିଆ ଦଳ ଘୋଷଣା କରିଛି । ଦଳର ଅଧିନାୟକ ଭାର ରୋହିତ ଶର୍ମାଙ୍କ କାନ୍ଧରେ ରହିଥିବା ବେଳେ ଉପ ଅଧିନାୟକ ଦାୟିତ୍ବ କାହାକୁ ଦିଆଯାଇ ନାହିଁ । ବିନା ଭାଇସ କ୍ୟାପଟେନରେ ବାଂଲାଦେଶ ବିପକ୍ଷରେ ଖେଳିବ ମେନ ଇନ ବ୍ଲୁ । ତେବେ ପୂର୍ବ ଟେଷ୍ଟ ସିରିଜରେ ଯଶପ୍ରୀତ ବୁମରା ଉପ ଅଧିନାୟକ ରହିଥିବା ବେଳେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜ ପାଇଁ କାହିଁକି ତାଙ୍କୁ ଉପ ଅଧିନାୟକ କରାଗଲା ନାହିଁ ତାକୁ ନେଇ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କାହିଁକି ବୁମରାଙ୍କୁ ଉପ ଅଧିନାୟକ କରାଗଲା ନାହିଁ ?
ଚଳିତ ବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଭାରତୀୟ ଦଳର ଉପ-ଅଧିନାୟକ ରହିଥିଲେ । କିନ୍ତୁ ସେହି ପଦବୀ ବଜାୟ ରଖି ପାରିନାହାନ୍ତି ବୁମରା । ଆଗାମୀ ଟେଷ୍ଟରେ ସେ ଦଳ ନିୟମିତ ସଦସ୍ୟ ଭାବରେ ଖେଳିବେ। ବୁମରାଙ୍କୁ ଉପ ଅଧିନାୟକ ଦାୟିତ୍ବ ନଦେବାର କାରଣ ଏହା ଦର୍ଶାଉଛି ଯେ, ତାଙ୍କୁ ଭବିଷ୍ୟତରେ ଦଳରେ ଅଧିନାୟକ ଭାବେ ବିସିସିଆଇ ଓ ମ୍ୟାନେଜମେଣ୍ଟ ଦେଖୁନାହିଁ । ନଚେତ ତାଙ୍କର କାର୍ଯ୍ୟ ଭାର ହ୍ରାସ କରିବାକୁ ଏପରି ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।
ଅଧିନାୟକ ହେବାରେ ବୁମରାଙ୍କୁ କଣ୍ଟା ସାଜିବ ଆଘାତ ଜନିତ ସମସ୍ୟା:
ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହୋଇ ନପାରନ୍ତି ବୁମରା । ଏଥି ପାଇଁ ମୁଖ୍ୟ କାରଣ ସାଜିପାରେ ବାରମ୍ବାର ଆଘାତ ଜନିତ ସମସ୍ୟା । ଦଳର ଅଧିନାୟକ ଦଳରେ ପ୍ରତି ମ୍ୟାଚରେ ଉପସ୍ଥିତି ରହିବା ଜରୁରୀ । କିନ୍ତୁ ବୁମରା ଯେଉଁ ପରି ଭାବେ ବାରମ୍ଭାର ଆଘାତ ହେଉଛନ୍ତି ତାହା ଅଧିନାୟକ ହେବା ରାସ୍ତାରେ କଣ୍ଟା ସାଜିପାରେ ।