ନୂଆଦିଲ୍ଲୀ : ସେପ୍ଟେମ୍ବର 19 (ଗୁରୁବାର) ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । ଚେନ୍ନାଇର ଏମ୍ଏ ଚିଦାମ୍ବରମ (ଚେପକ୍) ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦେଶର ଖେଳାଳି ମୈଦାନରେ ଝାଳବୁହା ଅଭ୍ୟାସ କରିଛନ୍ତି । ଭାରତ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ପାକିସ୍ତାନକୁ 2-0ରେ ମାତ ଦେଇ ଦୃଢ଼ ଆତ୍ମବିଶ୍ବାସର ସହ ଭାରତ ଆସିଛି ବାଂଲାଦେଶ ଦଳ । ସେପଟେ ଭାରତ ମଧ୍ୟ ରଣକୌଶଳ ପ୍ରସ୍ତୁତ ରଖିଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି । ତେବେ ଏହି ହାଇପ୍ରୋଫାଇଲ ମ୍ୟାଚ୍ ଖେଳାଯିବାକୁ ଥିବା ପିଚ୍ କିପରି ରହିଛି ? ମ୍ୟାଚ୍ ସମୟରେ ପାଣିପାଗ କିପରି ରହିବ ? ଓ ଆପଣ କିପରି ଏହି ମ୍ୟାଚ୍ ଦେଖି ପାରିବେ ? ଏଠାରେ ଦେଖନ୍ତୁ,
ପିଚ୍ ରିପୋର୍ଟ ଓ ପାଣିପାଗ :-
ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ (ଚେପକ) ଷ୍ଟାଡିୟମରେ ମୋଟ 9ଟି ପିଚ୍ ରହିଛି । ଏହା ମଧ୍ୟରୁ ପ୍ରମୁଖ 3ଟି ପିଚ୍ ନାଲି ମାଟିରେ ପ୍ରସ୍ତୁତ ହୋଇଛି, ଯାହା ମୁମ୍ବାଇରୁ ଅଣାଯାଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ନାଲି ମାଟିରେ ଖେଳାଯିବ । ନାଲି ମାଟିରେ ବଲକୁ ଭଲ ସ୍ବିଙ୍ଗ ଓ ବାଉନ୍ସ ମିଳିଥାଏ । ତେଣୁ ଏଭଳି ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ବେଶ ସହାୟକ ହୋଇଥାଏ । ତେଣୁ ଭାରତୀୟ ଅଧିନାୟକ ଏହି ମ୍ୟାଚ୍ରେ ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଦୁଇଜଣ ସ୍ପିନରଙ୍କୁ ଖେଳାଇ ପେସ୍ ବିଭାଗରେ ଅଧିକ ଗୁରୁତ୍ବ ଦେବେ । ଏହି ମ୍ୟାଚ୍ରେ ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କ ସ୍ଥାନ ଏକ ପ୍ରକାର ପକ୍କା ହୋଇପାରେ । ତେଣୁ ଆକାଶ ଦୀପ ଓ ନବାଗତ ୟଶ ଦୟାଲଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ସ୍ଥାନ । କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ଖରାପ ଖବର ହେଉଛି, ଚେନ୍ନାଇର ସ୍ଥାନୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ବର୍ଷା ହେବାର 40 ପ୍ରତିଶତ ସମ୍ଭାବନା ରହିଛି ।