ହାଇଦ୍ରାବାଦ:ଭାରତ-ଇଂଲଣ୍ଡ ଦିନିକିଆ ସିରିଜରେ ବାଜି ମାରିଲା ଘରୋଇ ଦଳ । ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମ ଠାରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ 4 ଓ୍ବିକେଟରେ ବିଜୟୀ ହୋଇଛି ଭାରତ । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ 47.4 ଓଭରରେ 249 ରନ କରିବାରେ ସଫଳ ହୋଇଥିଲା । ସେପଟେ ଭାରତ 38.4 ଓଭରରେ 6 ଓ୍ବିକେଟ ହରାଇ 251 ରନ କରି ବିଜୟୀ ହାସଲ କରିଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ 87 ରନ, ଶ୍ରେୟସ ଆୟର 59 ଓ ଅକ୍ଷର ପଟେଲ 52 କରିଥିଲେ । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ଓ ସାକିବ ମେହମୁଦ 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଧରାଶାୟୀ ହେଲା ଇଂଲଣ୍ଡ:
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନର ଫିଲିପ ସଲ୍ଟ ଓ ବେନ ଡକେଟ ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ । ତଥାପି ଇଂଲଣ୍ଡ ଏକ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲା । ଇଂଲଣ୍ଡ 75 ରନରେ ପ୍ରଥମ ଓ୍ବିକେଟ ହରାଇଥିବା ବେଳେ ମାତ୍ର 2 ରନ ପାଇଁ 2 ଟି ଓ୍ବିକେଟ ହରାଇ 3 ଓ୍ବିକେଟ ବିନିମୟରେ 77 ରନ ସ୍କୋର କରି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା ।
ପରେ ଅଧିନାୟକ ବଟଲର ଏବଂ ଜାକବ ବେଥହେଲଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଇନିଂସର ଭାଗିଦାରୀ ହୋଇଥିଲା । ଦଳୀୟ ସ୍କୋର 170 ରନ ଥିବାବେଳେ ବ୍ୟକ୍ତିଗତ 52 ସ୍କୋର କରି ଆଉଟ ହୋଇଥିଲେ ବଟଲର । 170 ରନରେ 5 ଓ୍ବିକେଟ ହରାଇ ସଙ୍କଟରେ ପଡିଥିଲା ଇଂଲଣ୍ଡ ଟିମ୍ । କ୍ରିଜରେ ଜାକବ ତିଷ୍ଠି ଥିଲେ ମଧ୍ୟ ଆଉ କୌଣସି ବ୍ୟାଟର ତାଙ୍କୁ ସାଥ ଦେବାରେ ସକ୍ଷମ ହୋଇନଥିଲେ । ଲିଭିଙ୍ଗ ଷ୍ଟୋନ୍ ମାତ୍ର 5 ରନ, ବ୍ରେଣ୍ଡନ କର୍ସ 10 ରନ, ଅଦିଲ ରସିଦ 8 ରନ ଏବଂ ଜୋର୍ଫା ଆର୍ଚର 21 ରନ ଉପଯୋଗୀ ଇନିଂସ ଖେଳିଥିଲେ । ତେବେ 47.4 ଓଭରରେ ଇଂଲଣ୍ଡ ସମ୍ମାନଜନକ ସ୍କୋର 248 ରନରେ ଅଲଆଉଟ ହୋଇଥିଲେ ।