ଓଡିଶା

odisha

Watch: ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଲେ ପନ୍ତ; ତା'ପରେ ହାସଲ କଲେ ବିସ୍ଫୋରକ ଶତକ - IND vs BAN 1st Test

By ETV Bharat Sports Team

Published : 5 hours ago

Rishabh Pant sets Bangladesh fielding Video Viral : ନିଜେ ବ୍ୟାଟିଂ କରୁଥିବାବେଳେ ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଦେଲେ ଋଷଭ ପନ୍ତ । ତା'ପରେ ହାସଲ କଲେ ବିସ୍ଫୋରକ ଶତକ । ଅଧିକ ପଢ଼ନ୍ତୁ

Rishabh Pant sets Bangladesh fielding
Rishabh Pant sets Bangladesh fielding (ETV Bharat)

ଚେନ୍ନାଇ : ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ଭାରତ ମଜଭୁତ ସ୍ଥିତିରେ ରହିଛି । ଏହି ଟେଷ୍ଟ ମ୍ୟାଚରେ ଭାରତର ଦ୍ବିତୀୟ ପାଳିରେ ଦଳର ସ୍ଥିତିକୁ ମଜଭୁତ କରିଥିଲେ ଭାରତର ଦୁଇ ଯୁବ ତାରକା ବ୍ୟାଟର ଋଷଭ ପନ୍ତ ଓ ଶୁବମନ ଗିଲ । ଉଭୟଙ୍କ ଶତକୀୟ ପାଳି ଦଳୀୟ ସ୍କୋରକୁ 500 ପାର କରାଇବାରେ ସହାୟକ ହୋଇଥିଲା । ତେବେ ପନ୍ତ ଓ ଗିଲ ବ୍ୟାଟିଂ କରୁଥିବା ସମୟରେ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ପନ୍ତ ନିଜେ ବ୍ୟାଟିଂ କରୁଥିବା ସମୟରେ ବାଂଲାଦେଶ ବୋଲରଙ୍କୁ ଫିଲ୍ଡିଂ ସଜାଇବାରେ ମଧ୍ୟ ସାହାଯ୍ୟ କରିଥିଲେ । ଯାହାର ଭିଡିଓ ଭାଇରାଲ ହେଉଥିବାବେଳେ ସୋସିଆଲ ମିଡିଆରେ ନେଟିଜେନ୍ସ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି ।

ବାଂଲାଦେଶର ଫିଲ୍ଡିଂ ସଜାଇଲେ ପନ୍ତ :-

ତୃତୀୟ ଦିନରେ ଋଷଭ ପନ୍ତ ବ୍ୟାଟିଂ କରୁଥିବାବେଳେ ବାଂଲାଦେଶ ପାଇଁ ଫିଲ୍ଡଂ ସଜାଇବାରେ ସାହାଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ପନ୍ତର ଏହି ସମୟର ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ପନ୍ତ ଷ୍ଟ୍ରାଇକ୍ କରୁଥିବାବେଳେ ବାଂଲାଦେଶ ବୋଲର ଫିଲ୍ଡିଂ ସଜାଉଥିଲେ । ଏହି ସମୟରେ ପନ୍ତ କହିଥିଲେ, 'ଆରେ ଭାଇ, ଏଠାକୁ ଜଣେ ଆସିବେ..., ଜଣେ ଫିଲ୍ଡର ଏଠାକୁ ଆସିବେ... ମିଡୱିକେଟ୍‌ରେ.. ।' ଏହାପରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାଣ୍ଟୋ ବୋଲରଙ୍କ ସହ ପନ୍ତଙ୍କ ନିର୍ଦ୍ଦେଶକୁ ଅନୁସରଣ କରି ଜଣେ ଫିଲ୍ଡରଙ୍କୁ ମଧ୍ୟ ମିଡୱିକେଟ୍‌କୁ ନେଇଥିଲେ ।

634 ଦିନ ପରେ ପନ୍ତଙ୍କ ଦମଦାର କମ୍‌ବ୍ୟାକ୍‌ :-

ଦୁର୍ଘଟଣା ପରେ ଏହା ଋଷଭ ପନ୍ତଙ୍କର ପ୍ରଥମ ଅନ୍ତର୍ଜାତୀୟ ଶତକ । କେବଳ ଏତିକି ନୁହେଁ, ଦୁର୍ଘଟଣା ପରେ ପନ୍ତଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ରେଡ୍ ବଲ୍ ମ୍ୟାଚ୍ ମଧ୍ୟ । ଦୀର୍ଘ ଦିନର ଅବଧି ପରେ ଧଳା ଜର୍ସିରେ ନିଜର ପ୍ରଥମ ମ୍ୟାଚ୍‌ରେ ପନ୍ତ ବାଂଲାଦେଶୀ ବୋଲରମାନଙ୍କ ଧୁଲେଇ କରି କେବଳ 124 ବଲରେ 4ଟି ଛକା ଏବଂ 11 ଚୌକା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ତେବେ ଏହା ପରେ ସେ ଅଧିକ ସମୟ କ୍ରିଜରେ ରହିପାରିନଥିଲେ । ସମୁଦାୟ 128 ବଲ ଖେଳି 109 ରନ୍ ସ୍କୋର କରି ସେ ପାଭିଲିୟନ ଫେରିଥିଲେ ।

3ୟ ଦିନ ଖେଳ ଶେଷ ସୁଦ୍ଧା ମ୍ୟାଚ୍‌ ସ୍ଥିତି :-

ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ମଜଭୁତ ସ୍ଥିତିରେ ରହିଛି । ଏବେ ବି ବିଜୟଠାରୁ ବାଂଲାଦେଶ 357 ରନ ପଛରେ ରହିଛି । 3ୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ପାଳିରେ 4 ୱିକେଟ ହରାଇ 158 ରନ ସଂଗ୍ରହ କରିଛି । ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ 3ଟି ୱିକେଟ ନେଇଥିବାବେଳେ ପ୍ରଥମ ୱିକେଟ ହାତେଇଥିଲେ ବୁମ୍‌ରା ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details