ଓଡିଶା

odisha

ETV Bharat / sports

ପାକିସ୍ତାନର ବିଜୟ ମନାସୁଛି ଭାରତ; ଜାଣନ୍ତୁ ଟି20 ବିଶ୍ବକପ୍‌ ସେମିଫାଇନାଲ ସମୀକରଣ

ICC Women's T20 World Cup 2024 : ଭାରତ ପାଇଁ ମହିଳା ଟି20 ବିଶ୍ବକପ୍‌ ସେମିଫାଇନାଲ୍‌ ସମୀକରଣ ଭାରି ଜଟିଳ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନ ଜିତିଲେ ଖୋଲିବ ଭାରତ ରାସ୍ତା ।

By ETV Bharat Sports Team

Published : 4 hours ago

India vs Australia
ICC Womens T20 World Cup 2024 (AP Photos)

ଶାରଜାହ (ୟୁଏଇ) :ଜାରି ରହିଥିବା ଆଇସିସି ମହିଳା ଟି20 ବିଶ୍ବକପ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ରବିବାର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ହରମନପ୍ରୀତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ 152 ରନ୍‌ର ଟାର୍ଗେଟର ଜବାବରେ ମାତ୍ର 142 ରନ୍ ସ୍କୋର କରିଥିଲା ଓ ମ୍ୟାଚକୁ 9 ରନ୍‌ରେ ହରାଇଥିଲା । ଏହି ପରାଜୟ ସେମିଫାଇନାଲରେ ପ୍ରବେଶ କରିବାର ଭାରତର ଆଶାକୁ ଏକ ବଡ ଝଟକା ଦେଇଛି । ହେଲେ ଏବେବି ଭାରତ ସେମିଫାଇନାଲରେ ପ୍ରବେଶ କରିବାର ଏକ ରାସ୍ତା ଅଛି । ଏଠାରେ ଜାଣନ୍ତୁ ସଂପୂର୍ଣ୍ଣ ସମୀକରଣ ।

ଟିମ୍‌ ଇଣ୍ଡିଆର ସେମି-ସମୀକରଣ :-

ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ହାରିବା ପରେ ମହିଳା ଟି20 ବିଶ୍ବକପ୍‌ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଭାରତୀୟ ଦଳର ରାସ୍ତା ବହୁତ କଠିନ ହୋଇଯାଇଛି । ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଯଦି ପାକିସ୍ତାନ ବିଜୟୀ ହୁଏ, ତେବେ ଭାରତର ସେମିଫାଇନାଲରେ ପହଞ୍ଚିବାର ସମ୍ଭାବନା ରହିଛି । ଅନ୍ୟପଟେ ସେମିଫାଇନାଲରେ ପ୍ରବେଶ କରିବାକୁ ପାକିସ୍ତାନର ରାସ୍ତା ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ ।

ଗ୍ରୁପ୍ 'ଏ'ରେ ଭାରତ ବର୍ତ୍ତମାନ ଦ୍ବିତୀୟ ସ୍ଥାନରେ ଅଛି । କାରଣ ଟିମ୍‌ ଇଣ୍ଡିଆ 4ଟି ମ୍ୟାଚ୍‌ ଖେଳି 2ଟି ଜିତିଛି ଏବଂ ଏହାର ନେଟ୍‌-ରନ୍‌-ରେଟ୍‌ ନ୍ୟୁଜିଲ୍ୟାଣ୍ଡ ଅପେକ୍ଷା ଭଲ ରହିଛି । ତେବେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ 2ଟି ମ୍ୟାଚ୍‌ ଜିତିଛି । ତେଣୁ ପାକିସ୍ତାନ ବିପକ୍ଷରେ ଜିତିଲେ 3ଟି ବିଜୟ ସହିତ କିୱି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିନେବ । ତେବେ କିୱି ଦଳ ପାଇଁ ଯେକୌଣସି ପ୍ରକାରର ପରାଜୟ ସାଂଘାତିକ ହେବ । ଯଦି ନ୍ୟୁଜିଲ୍ୟାଣ୍ଡ ଆଜି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଡ୍ର' କରି ସୁପର ଓଭରରେ ବି ହାରିଯାଏ, ତଥାପି ସେମାନଙ୍କ ନେଟ ରନ୍ ରେଟ୍‌ ଭାରତଠାରୁ କମ୍ ରହିବ । ଏପରି ହେଲେ ଭାରତ ଉନ୍ନତ NRR ସହିତ ସେମିଫାଇନାଲକୁ ପ୍ରବେଶ କରିବ ।

ପାକିସ୍ତାନର ସେମି-ସମୀକରଣ :-

ଏହି ସମୟରେ ଭାରତର ନେଟ୍‌-ରନ୍‌-ରେଟ୍‌କୁ ଅତିକ୍ରମ କରିବାକୁ ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ବଡ଼ ବିଜୟ ଆବଶ୍ୟକ । ଯଦି ସେମାନେ ପ୍ରଥମେ ବ୍ୟାଟିଂ କରନ୍ତି, ତେବେ ସେମାନଙ୍କର ମୋଟ ସ୍କୋର ଉପରେ ନିର୍ଭର କରି 47ରୁ 60 ରନ୍ ମଧ୍ୟରେ ଜିତିବାକୁ ପଡିବ । ସେମାନଙ୍କର ମୋଟ ସ୍କୋର ଯେତେ ଅଧିକ ହେବ, ସେମିଫାଇନାଲ ଯୋଗ୍ୟତା ନିଶ୍ଚିତ କରିବାକୁ ବିଜୟର ମାର୍ଜିନ ମଧ୍ୟ ସେହି ଅନୁସାରେ ଅଧିକ ରହିବ ।

ଯଦି ପାକିସ୍ତାନ ପଛରେ ବ୍ୟାଟିଂ କରେ, ତେବେ ନ୍ୟୁଜିଲ୍ୟାଣ୍ଡର ମୋଟ ସ୍କୋର ଉପରେ ନିର୍ଭର କରି ପୁନର୍ବାର 57 କିମ୍ବା 56 ବଲ ବାକି ରହି ଟାର୍ଗେଟ ହାସଲ କରିବାକୁ ପଡିବ ।

ପାକିସ୍ତାନର ବିଜୟ ମନାସୁଛି ଭାରତ :-

ତେବେ ଏହି ସମସ୍ତ ସମୀକରଣକୁ ଦେଖି ଭାରତୀୟ ପ୍ରଶଂସକମାନେ ପାକିସ୍ତାନର ବିଜୟ ମନାସୁଛନ୍ତି । ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିବା ପାଇଁ ଆଜି ଭାରତୀୟ ପ୍ରଶଂସକମାନେ ଆଶା କରୁଛନ୍ତି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନ ଜିତିଯାଉ, କିନ୍ତୁ ବିପୁଳ ବ୍ୟବଧାନରେ ନୁହେଁ । କାରଣ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ବଡ଼ ବ୍ୟବଧାନରେ ଜିତିବା ଆବଶ୍ୟକ । ଅନ୍ୟପଟେ ସେମିଫାଇନାଲ ଟିକେଟରୁ ନ୍ୟୁଜିଲ୍ୟାଣ୍ଡ କେବଳ ଗୋଟିଏ ବିଜୟ ଦ୍ବାରରେ ଅଛି । ତେଣୁ କୌଣସି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ହାରିବା ଆବଶ୍ୟକ । ଅନ୍ୟପଟେ ଗ୍ରୁପ୍ ବିଜେତା ଭାବରେ ଅଷ୍ଟ୍ରେଲିଆ ସେମିଫାଇନାଲ ପାଇଁ ଟିକେଟ୍ ବୁକ୍ କରିସାରିଛି ।

ପ୍ରକାଶ ଥାଉ, ଗ୍ରୁପ୍ 'ବି'ରୁ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରୁ ଯେକୌଣସି ଦୁଇ ଦଳ ସେମିଫାଇନାଲ୍‌କୁ ଯିବେ । ଦକ୍ଷିଣ ଆଫ୍ରିକାର ଯୋଗ୍ୟତା ସମ୍ଭାବନା ପ୍ରାୟ ନିଶ୍ଚିତ । ଏଥି ସହିତ, ଅକ୍ଟୋବର 15 ମଙ୍ଗଳବାରରେ ହେବାକୁ ଥିବା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ସଂଘର୍ଷ କ୍ୱାର୍ଟର ଫାଇନାଲ ଭଳି ହେବ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details