ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସ 2024 ଶେଷ ହେବାର କିଛି ଦିନ ବିଶ୍ରାମ ପରେ ଭାରତୀୟ ହକି ଦଳ ଖୁବଶୀଘ୍ର ପୁଣି ମୈଦାନକୁ ଫେରିବାକୁ ଯାଉଛି । ସେପ୍ଟେମ୍ବର 8ରୁ 17 ପର୍ଯ୍ୟନ୍ତ ଚୀନ୍ର ହୁଲୁନବୁଇରରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ଚାମ୍ପିୟନ୍ସ ଟ୍ରଫି ପାଇଁ ହକି ଇଣ୍ଡିଆ 18 ଜଣିଆ ଦଳ ଘୋଷଣା କରିଛି । ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇଥିବା ଭାରତୀୟ ହକି ଦଳର କମାଣ ଏସୀୟ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଭେଟେରାନ୍ ଡ୍ରାଗ୍ ଫ୍ଲିକର ହରମାନପ୍ରୀତ ସିଂହଙ୍କ ହାତରେ ରହିବ । ଏଥି ସହିତ ଅଭିଜ୍ଞ ମିଡଫିଲ୍ଡର ବିବେକ ସାଗର ପ୍ରସାଦ ଉପ-ଅଧିନାୟକ ଭାବରେ ଦଳରେ ଖେଳିବେ ।
କାହାକୁ ସୁଯୋଗ, କାହାକୁ ବିଶ୍ରାମ ? :-
ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର 7ଟି ଦେଶ ସାମିଲ ହେବେ, ଯେଉଁଥିରେ ଟପ୍ ଲେବୁଲ ହକି ଖେଳୁଥିବା ଦେଶ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଏବଂ ଆୟୋଜକ ଚୀନ୍ ସହିତ ପ୍ରତିଦ୍ବନ୍ଦ୍ବିତା କରିବ ଭାରତ । ପିଆର୍ ଶ୍ରୀଜେଶଙ୍କ ଅବସର ପରେ ତାଙ୍କ ସ୍ଥାନରେ ଗୋଲକିପର ଭାବେ ଦଳରେ କୃଷ୍ଣ ବାହାଦୂର ପଠକ ଏବଂ ସୁରଜ କରକେରାଙ୍କୁ ଦଳରେ ସୁଯୋଗ ମିଳିଛି । ଅନ୍ୟପଟେ ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ, ଜରମାନପ୍ରୀତ ସିଂହ, ଅଧିନାୟକ ହରମାନପ୍ରୀତ ସିଂହ, ଯୁଗରାଜ ସିଂହ, ସଞ୍ଜୟ ଏବଂ ସୁମିତ ଡିଫେନ୍ସରେ ଖେଳିବେ । ରାଜ କୁମାର ପାଲ, ନୀଲକାନ୍ତ ଶର୍ମା, ମନପ୍ରୀତ ସିଂହ ଏବଂ ମହମ୍ମଦ ରାହିଲ ମିଡ୍ଫିଲ୍ଡର ଅଂଶ ହେବେ । ଅଭିଷେକ, ସୁଖଜିତ ସିଂହ, ଅରିଜିତ ସିଂହ ହୁନ୍ଦଲ, ଉତ୍ତମ ସିଂହ ଏବଂ ଡେବ୍ୟୁଟାଣ୍ଟ ଗୁରୁଜୋତ ସିଂହଙ୍କ ଭଳି ଯୁବ ଫରୱାର୍ଡ ଲାଇନ ବିରୋଧୀ ଦଳର ଆଟାକ୍ରୁ ଗୋଲ ରକ୍ଷା କରିବାର ଦାୟିତ୍ବ ଗ୍ରହଣ କରିବ ।
ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ବ୍ରୋଞ୍ଜ ପଦକ ଜିତିଥିବା ହକି ଦଳର 10 ଜଣ ଖେଳାଳି ଏସୀୟ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଅଂଶ ଅଟନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ହାର୍ଦ୍ଦିକ ସିଂହ, ମନଦୀପ ସିଂହ, ଲଳିତ ଉପାଧ୍ୟାୟ, ଶମଶେର ସିଂହ ଏବଂ ଗୁରୁଜନ୍ତ ସିଂହଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।
'ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ' :-
ଦଳର ଘୋଷଣା ପରେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ୍ କହିଛନ୍ତି, "ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ, ଯାହାଦ୍ବାରା ଆମେ ଆମର ରାଙ୍କିଂ ପଏଣ୍ଟ ବୃଦ୍ଧି କରିପାରିବା । ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଆମର ଭଲ ପ୍ରଦର୍ଶନ ପରେ ସମସ୍ତେ ଉତ୍ସବ ପାଳନ କରି ସାରି ଏବେ କ୍ୟାମ୍ପକୁ ଫେରିଛନ୍ତି । ଗତ କିଛି ସପ୍ତାହରେ ଦଳ ପାଇଁ ସମସ୍ତଙ୍କ ଭଲ ପାଇବା ଏବଂ ପ୍ରଶଂସା ପ୍ରକୃତରେ ଅବିଶ୍ୱସନୀୟ ଥିଲା । ଆମର ଭବିଷ୍ୟତ ଅଭିଯାନ ସମୟରେ ମଧ୍ୟ ଏଭଳି ସମର୍ଥନ ଜାରି ରହିବ ବୋଲି ଆମେ ଆଶା କରୁଛୁ ।"
ଏମିତି ରହିଛି ଭାରତର ସୂଚୀ :