ଗାନ୍ଧିନଗର : କେନ୍ଦ୍ରୀୟ କ୍ରିକେଟ୍ ବୋର୍ଡ (ସିବିସି) ଦ୍ବାରା ଖେଳାଯାଉଥିବା ଦିୱାନ୍ ବଲ୍ଲୁଭାଇ ଅଣ୍ଡର-19 ମଲ୍ଟି ଡେ କପ୍ ଟୁର୍ଣ୍ଣାମେଣ୍ଟରେ ଦ୍ରୋଣ ଦେଶାଇ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ଏକ ଆନ୍ତଃ-ବିଦ୍ୟାଳୟ କ୍ରିକେଟ୍ ମ୍ୟାଚରେ ଦ୍ରୋଣ ଦେଶାଇ 498 ରନ୍ ସ୍କୋର କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର 30 ବର୍ଷ ଇତିହାସରେ ଏହିପରି ରେକର୍ଡ କେହି ମଧ୍ୟ କରି ମଧ୍ୟ କରିନାହାନ୍ତି । ମଙ୍ଗଳବାର ଦିନ ଗାନ୍ଧିନଗରର ଶିବାୟ କ୍ରିକେଟ୍ ଗ୍ରାଉଣ୍ଡରେ ଜେଏଲ୍ ଇଂରାଜୀ ବିଦ୍ୟାଳୟ ଏବଂ ଜାଭିୟର୍ସ ସ୍କୁଲ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଏହି ରେକର୍ଡ କରିଛନ୍ତି ଦ୍ରୋଣ ।
ଗୋଟିଏ ପାଳିରେ 498 ବ୍ୟକ୍ତିଗତ ସ୍କୋର :-
ଏହି ଟୁର୍ଣ୍ଣାମେଣ୍ଟର 30 ବର୍ଷ ଇତିହାସରେ ଏହିପରି ରେକର୍ଡ କେହି ମଧ୍ୟ କରିପାରିନାହାନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସେଣ୍ଟ ଜାଭିୟର୍ସ ଦଳ ଜେଏଲ୍ ଇଂରାଜୀ ବିଦ୍ୟାଳୟକୁ ଗୋଟିଏ ଇନିଂସ ଏବଂ 712 ରନ୍ ବ୍ୟବଧାନରେ ପରାସ୍ତ କରିଛି । ଏହି ଆନ୍ତଃ-ବିଦ୍ୟାଳୟ କ୍ରିକେଟ୍ ମ୍ୟାଚରେ ଜେଏଲ୍ ଇଂରାଜୀ ବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି 48 ରନ୍ ସଂଗ୍ରହ କରିଥିଲା । ଜାଭିୟର୍ସ ସ୍କୁଲ ପକ୍ଷରୁ ୟଶ ଦେଶାଇ ଏବଂ ଦାଶିନ ଶର୍ମା 4ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହାପରେ ଜେଏଲ୍ ଇଂରାଜୀ ବିଦ୍ୟାଳୟର ବୋଲରମାନଙ୍କୁ ଜାଭିୟର୍ସ ସ୍କୁଲ୍ ବ୍ୟାଟରମାନେ ନିର୍ଦ୍ଧୁମ ଛେଚିଥିଲେ ।
ଜାଭିୟର ସ୍କୁଲ ଦଳ 7 ୱିକେଟ୍ ହରାଇ 844 ରନ୍ ସଂଗ୍ରହ କରିଥିଲା । ଯେଉଁଥିରେ ଦ୍ରୋଣ ଦେଶାଇ 320 ବଲରେ 498 ରନ୍ ସଂଗ୍ରହ କରିଥିଲେ । ଏହି ଜବରଦସ୍ତ ଇନିଂସରେ ସେ 86 ଚୌକା ଓ 7 ଛକା ମାରିଥିଲେ । ଏହାପରେ ଦ୍ବିତୀୟ ଇନିଂସରେ ଜେଏଲ୍ ଇଂରାଜୀ ବିଦ୍ୟାଳୟ ଦଳ ମାତ୍ର 92 ରନ୍ ସ୍କୋର କରିପାରିଥିଲା ଏବଂ ଦଳ ଇନିଂସରେ ହାରି ଯାଇଥିଲା । ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ଅଧୀନରେ ଆସୁଥିବା କେନ୍ଦ୍ରୀୟ କ୍ରିକେଟ୍ ବୋର୍ଡ ଅହମ୍ମଦାବାଦ ଦ୍ବାରା ଏହି ବାର୍ଷିକ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ।
କିଏ ଏହି ଦ୍ରୋଣ ଦେଶାଇ ? :-
ଅହମ୍ମଦାବାଦର ଦ୍ରୋଣ ଦେଶାଇ ଯୁବ କ୍ରିକେଟରେ କ୍ରମାଗତ ଭାବରେ ଅଗ୍ରଗତି କରୁଛନ୍ତି । ଅଣ୍ଡର-14 ସ୍ତରରେ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିବା ଦେଶାଇ ନିଶ୍ଚିତ ଭାବରେ ତାଙ୍କର ଏଭଳି ସଫଳତା ପାଇଁ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବେ, କାରଣ ଏହି ପ୍ରଭାବଶାଳୀ ପ୍ରଦର୍ଶନ ପରେ ସେ ଗୁଜରାଟର ଅଣ୍ଡର-19 ଦଳରେ ସ୍ଥାନ ପାଇବାକୁ ବିବାଦରେ ରହିପାରନ୍ତି । ଦ୍ରୋଣ କହିଛନ୍ତି ଯେ, କ୍ରିକେଟରେ ତାଙ୍କର ଯାତ୍ରା 7 ବର୍ଷ ବୟସରୁ ଆରମ୍ଭ ହୋଇଥିଲା, ସେ ସଚିନ ତେନ୍ଦୁଲକରଙ୍କ ବ୍ୟାଟିଂ ଦେଖି କ୍ରିକେଟ୍ ଖେଳିବାକୁ ପ୍ରେରଣା ପାଇଥିଲେ ।
ଦେଶାଇ ତାଙ୍କ ଅଗ୍ରଗତି ପାଇଁ ତାଙ୍କ ପିତାଙ୍କୁ ଶ୍ରେୟ ଦେଇଛନ୍ତି, ଯିଏକି ତାଙ୍କ ମଧ୍ୟରେ ଥିବା ସମ୍ଭାବନାକୁ ଖୁବଶୀଘ୍ର ଚିହ୍ନିଥିଲେ ଏବଂ ଜୟପ୍ରକାଶ ପଟେଲଙ୍କ ନିର୍ଦ୍ଦେଶନାରେ ତାଙ୍କୁ ଗୁଣାତ୍ମକ କୋଚିଂ ପାଇବାକୁ ପଠାଇଥିଲେ । ଜୟପ୍ରକାଶ ପଟେଲ ଜଣେ ପ୍ରସିଦ୍ଧ ପ୍ରଶିକ୍ଷକ, ଯିଏ ଦ୍ରୋଣଙ୍କୁ କ୍ରିକେଟରେ ପ୍ରସିକ୍ଷଣ ଦେଇଥିଲେ ଏବଂ ଗୁଜରାଟର 40ରୁ ଅଧିକ କ୍ରିକେଟରଙ୍କୁ ସେ ପ୍ରଶିକ୍ଷଣ ଦେଇଛନ୍ତି ।