ଭୁବନେଶ୍ୱର:ବିଶ୍ୱର ଏକ ନମ୍ବର ମହିଳା ହକି ଟିମ ନେଦରଲାଣ୍ଡ୍ସକୁ ହରାଇଲା ଭାରତ । ଭୁବନେଶ୍ୱରରେ ଆୟୋଜିତ ଏଫଆଇଏଚ ପ୍ରୋ ଲିଗରେ ଦ୍ୱିତୀୟ ଚରଣ ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ମ୍ୟାଚ ଡ୍ର ରହିବା ପରେ ସୁଟଆଉଟରେ ଭାରତ ୨-୧ରେ ନେଦରଲାଣ୍ଡ୍ସକୁ ହରାଇଛନ୍ତି । ସେପଟେ ଘରୋଇ ପୁରୁଷ ଟିମ ମଧ୍ୟ ଇଂଲଣ୍ଡକୁ ହରାଇ ପୂର୍ବ ମ୍ୟାଚର ପ୍ରତିଶୋଧ ନେଇଛି ।
ନେଦରଲାଣ୍ଡ୍ସକୁ ହରାଇଲା ଭାରତୀୟ ମହିଳା ଟିମ୍:
ଏଫଆଇଏଚ ମହିଳା ପ୍ରୋ ଲିଗରେ ମଙ୍ଗଳବାର ଭାରତ- ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଆୟୋଜିତ ହୋଇଥିଲା । ଏଥିରେ ବିଶ୍ୱର ଏକ ନମ୍ବର ମହିଳା ହକି ଟିମ ନେଦରଲାଣ୍ଡ୍ସକୁ ହରାଇଛି ଭାରତ । ସୁଟଆଉଟରେ ନେଦରଲାଣ୍ଡ୍ସ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି ଭାରତୀୟ ମହିଳା ଟିମ । ମ୍ୟାଚର ପ୍ରଥମ ଚରଣରେ ଡ଼ଚ ଟିମ ଡୋମିନେଟ କରିବା ସହ ପ୍ରଥମ ଚରଣ ସୁଦ୍ଧା ୨-୦ ଗୋଲରେ ଆଗୁଆ ରହିଥିଲା । ମ୍ୟାଚର ଦ୍ଵିତୀୟ ହାଲ୍ଫରେ ଭାରତୀୟ ଦଳ କମବ୍ୟାକ କରି ଉଭୟ ଗୋଲ ପରିଶୋଧ କରିବା ସହ ମ୍ୟାଚକୁ ୨-୨ରେ ବରାବର ରଖିଥିଲା । ପରବର୍ତ୍ତୀ ସମୟରେ ସୁଟ ଆଉଟରେ ଗୋଲକିପର ସବିତା ପୁନିଆଙ୍କ ଭଲ ପ୍ରଦର୍ଶନ ବଳରେ ମ୍ୟାଚକୁ ଜିତି ନେଇଛି ଭାରତ ।
ଖେଳାଳିଙ୍କ ଉପରେ ପୁରସ୍କାର ବର୍ଷା:
ବିଶ୍ୱର ଏକ ନମ୍ବର ମହିଳା ମାନ୍ୟତାରେ ଥିବା ନେଦରଲାଣ୍ଡ୍ସକୁ ହରାଇବା ପରେ ଭାରତୀୟ ମହିଳା ହକି ଦଳ ଉପରେ ହୋଇଛି ପୁରସ୍କାର ବର୍ଷା ।ହକି ଇଣ୍ଡିଆ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ 1 ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ 50 ହଜାର ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଛି ।
ଇଂଲଣ୍ଡକୁ ହରାଇ ପ୍ରତିଶୋଦ ନେଲା ଇଣ୍ଡିଆ:
ସେପଟେ ପୁରୁଷ ବର୍ଗରେ ମଧ୍ୟ ଘରୋଇ ଟିମର ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମଙ୍ଗଳବାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡକୁ ହରାଇ ଗତ ମ୍ୟାଚର ପ୍ରତିଶୋଧ ନେଇ ଭାରତୀୟ ପୁରୁଷ ହକି ଟିମ୍ । ପୂର୍ବରୁ ପେନାଲଟି କର୍ନରର ସୁଯୋଗ ହାତଛଡ଼ା କରୁଥିବା ଭାରତ ଏହି ମ୍ୟାଚରେ ଉଭୟ ଗୋଲ ପେନାଲଟି କର୍ନରରୁ କରିଥିଲେ ଏହି ମ୍ୟାଚରେ ଇଂଲଣ୍ଡକୁ 2-1 ଗୋଲରେ ହରାଇଛି ଭାରତ ।