ଓଡିଶା

odisha

ପୁଣି ଗୋଟିଏ ଓଭରରେ ଲାଗିଲା 6 ଛକା; ଭାରତକୁ ମିଳିଲେ ଦ୍ବିତୀୟ ଯୁବରାଜ ! - Six Sixes In an Over

By ETV Bharat Sports Team

Published : Aug 31, 2024, 7:01 PM IST

Delhi Premier League T20 Six Sixes In an Over : ପୁଣି ଗୋଟିଏ ଓଭରରେ ଦେଖିବାକୁ ମିଳିଲା 6ଟି ଛକା । ଗୋଟିଏ ଓଭରରେ 36 ରନର ଧୂଆଁଧାର ପାଳି ଖେଳିଲେ ଭାରତୀୟ ଯୁବ ବ୍ୟାଟର ପ୍ରିୟଂଶ ଆର୍ଯ୍ୟ । ଭାରତକୁ ଦ୍ବିତୀୟ ଯୁବରାଜ ସିଂହ ମିଳିଗଲା କହୁଛନ୍ତି ଲୋକେ । ଅଧିକ ପଢ଼ନ୍ତୁ

Priyansh Arya
Priyansh Arya (IANS Photo)

ନୂଆଦିଲ୍ଲୀ : ଦିଲ୍ଲୀ ପ୍ରିମିୟର ଲିଗ୍ (ଡିପିଏଲ୍) 2024ରେ ଦେଖିବାକୁ ମିଳିଲା ଯୁବରାଜ ଶୋ' । ପୁଣି ଗୋଟିଏ ଓଭରରେ ଲାଗିଲା 6 ଛକା । ଜଣେ ଯୁବ ବ୍ୟାଟରଙ୍କ ଏଭଳି ରେକର୍ଡ ଏବେ ବେଶ ଚର୍ଚ୍ଚାରେ । ଶନିବାର ସାଉଥ ଦିଲ୍ଲୀ ଏବଂ ନର୍ଥ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ଟି20 ମ୍ୟାଚରେ ପ୍ରିୟଂଶ ଆର୍ଯ୍ୟ ଗୋଟିଏ ଓଭରରେ 6ଟି ଛକା ମାରି ରେକର୍ଡ ସୃଷ୍ଟି କରିଛନ୍ତି । ଏହା ସହିତ ଏହି ଇନିଂସ୍‌ରେ ଟି20 କ୍ରିକେଟ୍ ଇତିହାସର ଦ୍ବିତୀୟ ସର୍ବାଧିକ ସ୍କୋର ମଧ୍ୟ ହୋଇଥିଲା ।

ଗୋଟିଏ ଓଭରରେ 6 ଛକା ମାରିଲେ ପ୍ରିୟଂଶ ଆର୍ଯ୍ୟ :-

ନର୍ଥ ଦିଲ୍ଲୀ ବିପକ୍ଷରେ ସାଉଥ ଦିଲ୍ଲୀର ପ୍ରିୟଂଶ ଆର୍ଯ୍ୟ ଯୁବରାଜ ସିଂଙ୍କ ଭଳି ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରିଛନ୍ତି । ଯେତେବେଳେ ମନନ୍ ଭରଦ୍ବାଜ ମ୍ୟାଚ୍‌ର ଦ୍ବାଦଶ ଓଭରରେ ବୋଲିଂ କରୁଥିଲେ, ସେତେବେଳେ ଆର୍ଯ୍ୟ ବିସ୍ଫୋରକ ବ୍ୟାଟିଂ କରି ଗୋଟିଏ ଓଭରରେ 6 ଛକା ସହିତ 36 ରନ୍ ସ୍କୋର କରିଥିଲେ । ଓଭରର ପ୍ରଥମ ବଲରେ ହିଁ ସେ ଲଙ୍ଗ ଅଫ୍ ସୀମା ଉପରେ ପ୍ରଥମ ଛକା ମାରିଥିଲେ । ଦ୍ୱିତୀୟ ବଲରେ ସେ ଡିପ ମିଡୱିକେଟ୍ ଉପରେ ଏବଂ ତୃତୀୟ ବଲରେ ସେ ଲଙ୍ଗ ଅନ୍‌ ଉପରେ ମାରିଥିଲେ ଛକା । ଏହାପରେ ଚତୁର୍ଥ ଏବଂ ପଞ୍ଚମ ବଲରେ ମଧ୍ୟ ବର୍ତ୍ତି ପାରିନଥିଲେ ବୋଲର । ଏହାପରେ ଶେଷ ବଲରେ ମଧ୍ୟ ଲଙ୍ଗ ଅଫ୍‌ ଉପରେ ଛକା ମାରି ଗୋଟିଏ ଓଭରରେ 6ଟି ଛକା ପୂରଣ କରିଥିଲେ ପ୍ରିୟଂଶ ଆର୍ଯ୍ୟ ।

ଇତିହାସ ରଚିଲେ ପ୍ରିୟଂଶ ଆର୍ଯ୍ୟ :-

ଗୋଟିଏ ଓଭରରେ 6ଟି ଛକା ମାରି ପ୍ରିୟଂଶ ଆର୍ଯ୍ୟ DPLରେ ଇତିହାସ ସୃଷ୍ଟି କରିଥିଲେ । ସେ ଗୋଟିଏ ଓଭରରେ 6ଟି ଛକା ମାରିବାରେ 5ମ ଭାରତୀୟ କ୍ରିକେଟର ହୋଇଛନ୍ତି । ସମାନ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ ଜାରି ରଖି ପ୍ରିୟଂଶ ନିଜ ଶତକ ମଧ୍ୟ ପୂରଣ କରିଥିଲେ । ସେ ଏହି ଇନିଂସ୍‌ରେ 10 ଛକା ଓ 10 ଚୌକା ସହାୟତାରେ 39 ବଲରେ 120 ରନ୍ ସ୍କୋର କରିଥିଲେ ।

ଟି20 କ୍ରିକେଟ ଇତିହାସର ଦ୍ବିତୀୟ ସର୍ବାଧିକ ଇନିଂସ୍‌ ସ୍କୋର :-

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସାଉଥ ଦିଲ୍ଲୀ 20 ଓଭରରେ 5 ୱିକେଟ୍ ହରାଇ 308 ରନ୍ ସଂଗ୍ରହ କରିଥିଲା । ଟି20 କ୍ରିକେଟ୍ ଇତିହାସରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ଇନିଂସ୍‌ ସ୍କୋର । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ଗୋଟିଏ ଇନିଂସ୍‌ରେ 314 ରନ୍ ସଂଗ୍ରହ କରିଥିଲା, ଯାହା ଟି20 କ୍ରିକେଟରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର ଥିଲା । ଏହା ସହିତ ସାଉଥ ଦିଲ୍ଲୀ ସ୍କୋର କରିଥିବା 308 ରନ୍ ହେଉଛି ଫ୍ରାଞ୍ଚାଇଜ୍ କ୍ରିକେଟର ସବୁଠାରୁ ବଡ ସ୍କୋର । ଅନ୍ୟପଟେ ଏହି ମ୍ୟାଚ୍‌ରେ ଦଳର ଅଧିନାୟକ ଆୟୁଷ ବାଡୋନୀ 165 ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ସେ 55 ବଲରେ 8 ଚୌକା ଓ 19 ଛକା ସହ ଏହି ଧୂଆଁଧାର ପାଳି ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସଚିନ କି କୋହଲି ନୁହଁନ୍ତି, ଏହି ଭାରତୀୟ କ୍ରିକେଟର ହେଉଛନ୍ତି ବିଶ୍ବର ସବୁଠାରୁ ଧନୀ କ୍ରିକେଟର - Richest Cricketer in The World

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details