ପୁରୀ: ଶିକ୍ଷାର ମୂଳଦୂଆ ସଶକ୍ତ ହେଲେ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହେବେ । ଆଉ ଏହି ମେଧାବୀ ଛାତ୍ରଛାତ୍ରୀ ବିକଶିତ ଓଡ଼ିଶା ଏବଂ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ତେଣୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି କରଣ ପାଇଁ ନୂଆ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ବେଳେ ଏଥିପାଇଁ ବଜେଟରେ ସ୍ବତନ୍ତ୍ର ଅର୍ଥ ବରାଦ କରାଯାଇଛି । ସ୍କୁଲ, କେଲଜର ଉନ୍ନତିକରଣ ପାଇଁ ଯାହା ଭିତ୍ତିଭୂମି ଆବଶ୍ୟକତା ରହିଛି, ତାହା ପୂରଣ କରିବା ପାଇଁ ନୂଆ ସରକାର ବଦ୍ଧପରିକର । ପୁରୀର ସୁରଜମଲ ସାହା କଲେଜର ୪୫ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ଅଭିଭାଣରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
- ରାଜ୍ଯରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ:
ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ସୂରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମହାବିଦ୍ୟାଳୟ ପରିସରରେ ନବ ନିର୍ମିତ ପ୍ରଶାସନିକ ଗୃହ, ନୂତନ ଶ୍ରେଣୀଗୃହର ଶୁଭ ଉଦଘାଟନ କରିଛନ୍ତି । ଏହାସହ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଗୃହର ଶିଳାନ୍ୟାସ କରିଛି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ । ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ସହ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ଏଭଳି ଅନୁଷ୍ଠାନର ଏକ ବଡ ଭୂମିକା ରହିଛି । ରାଜ୍ଯରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଲୋକଙ୍କ ସରକାର ପ୍ରତିଶ୍ରୁତିବଦ୍ଧ । ଜାତୀୟ ଶିକ୍ଷା ନୀତିକୁ ଆଧାର କରି ବର୍ତ୍ତମାନ ସହ ଆଗାମୀ ଭବିଷ୍ୟତକୁ ଆଖି ଆଗରେ ରଖି ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରାଯାଉଛି । ଭିତ୍ତିଭୂମିରେ ଉନ୍ନତି, ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗ, ମାନବ ସମ୍ବଳ ସୁନିଶ୍ଚିତ କରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସହଯୋଗ ଯୋଗାଇଦିଆଯାଉଛି । ଯାହାକି କେବଳ ଶିକ୍ଷା ନୁହେଁ, ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ବିକାଶକୁ ପ୍ରୋତ୍ସାହିତ କରୁଛି । ଏହାକୁ ଆହୁରି ସର୍ବବ୍ୟାପୀ କରିବା ପାଇଁ ଏଭଳି ଅନୁଷ୍ଠାନର ବିଶେଷ ଯୋଗଦାନ ସହ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । ସମସ୍ତଙ୍କ ସହଯୋଗରେ ଓଡ଼ିଶାର ଆଗାମୀ ଦିନର ଭବିଷ୍ୟତ ନିଶ୍ଚୟ ଉନ୍ନତ ହେବ ଏବଂ ଆମ ଛାତ୍ରଛାତ୍ରୀଙ୍କ ପ୍ରତ୍ଯେକ୍ଷ ଯୋଗଦାନରେ 'ବିକଶିତ ଓଡ଼ିଶା' ନିର୍ମାଣ ହେବ ।"
- ପ୍ରାଥମିକ ଶିକ୍ଷାର ଭିତ୍ତିକୁ ସୁଦୃଢ:
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ମଧ୍ୟ କହିଛନ୍ତି, "ମୋଦିଙ୍କ ଦିଗ୍ଦର୍ଶନରେ ଦେଶରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରାଯାଇଛି । ଏହାକୁ ଆଧାର କରି ଶିକ୍ଷା ବ୍ୟବସ୍ଥାରେ ଧିରେ ଧିରେ ପରିବର୍ତ୍ତନ ହେଉଛି । ଏହାର ଲକ୍ଷ ହେଉଛି, ଯୋଗ୍ୟ ଛାତ୍ରଛାତ୍ରୀ ନିର୍ମାଣ କରିବା । ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ଗୋଦାବରୀଶ ମିଶ୍ର ମଡେଲ ସ୍କୁଲ ସ୍ଥାପନ କରାଯିବ । ସେଠାରେ ଉନ୍ନତ ଶିକ୍ଷା ଭିତ୍ତିଭୂମି ସହ ଶିକ୍ଷାଦାନ ମଧ୍ୟ କରାଯିବ । ଯାହାଫଳରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅନ୍ୟ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଭଳି ଭଲ ଶିକ୍ଷାଗ୍ରହଣ କରି ଭବିଷ୍ୟତରେ ଦେଶର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ।"
- ଭିତ୍ତିଭୂମିର ଉନ୍ନତି ପାଇଁ ୧ କୋଟି ଘୋଷଣା :
ଏହି ଉତ୍ସବରେ ଯୋଗ ଦେଇଥିବା ଅନ୍ୟତମ ଅତିଥି ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ସୁରଜମଲ ସାହା କଲେଜ ଭିତ୍ତିଭୂମିର ଉନ୍ନତି ପାଇଁ ୧ କୋଟି ଟଙ୍କା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । କଲେଜର ଥିବା ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରାଯିବ । ରାଜ୍ୟର ପ୍ରତ୍ୟେକ ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଅର୍ଥର ଅଭାବ ରହିବ ନାହିଁ ।" ସେ ଆହୁରି କହିଛନ୍ତି, "ଓଡ଼ିଶାର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ୨ ଶହ କୋଟି ଟଙ୍କାର କର୍ପସ ଫଣ୍ଡର ବ୍ୟବସ୍ଥା କରାଯାଇଛି । ଏହି ଅର୍ଥକୁ ବିନିଯୋଗ କରାଯାଇ ଓଡ଼ିଶାର ବିଭିନ୍ନ ଅଞ୍ଚଳର ନୃତ୍ୟ କଳା ସଂସ୍କୃତିକୁ ଅଧିକ ପ୍ରଚାର ପ୍ରସାର କରାଯିବ ।" ସେହିପରି ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବା ବ୍ୟକ୍ତିମାନେ ଏଥିରୁ ନିବୃତ୍ତ ରୁହନ୍ତୁ । ଯେଉଁ ପର୍ବପର୍ବାଣୀ ପାଳନ ହୋଇଥାଏ ସେହିଦିନର ସ୍ବତନ୍ତ୍ର ମହତ୍ବ ଥାଏ । ଏଣୁ ବିଦେଶରେ ଯେଉଁ ଅନୁଷ୍ଠାନମାନେ ଅଦିନିଆ ରଥଯାତ୍ରା ପାଳନ କରୁଛନ୍ତି ସେମାନେ ମହାପ୍ରଭୁଙ୍କ ପରମ୍ପରାକୁ ଅନୁସରଣ କରିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ସେହିପରି ପୁରୀ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍ର ଉନ୍ନତିକରଣ ପାଇଁ ମଧ୍ୟ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ମନ୍ତ୍ରୀ କହିଛନ୍ତି ।
ସୂରଜମଲ ସାହା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍ଗର ସ୍ବାଇଁ ଓ ଏଡିଏମ୍ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା କଲେଜର ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।