କଟକ: ଆରମ୍ଭ ହୋଇଛି ଅଫଲାଇନ୍ ଟିକେଟ ବିକ୍ରି । ଆସନ୍ତା ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ ପାଇଁ ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ଅଲାଇନ ଟିକେଟ ମାତ୍ର କେଇ ମିନିଟରେ ଶେଷ ହୋଇଯିବା ପରେ ଅଫଲାଇଟନ ଟିକେଟ ପାଇଁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ । ଦଳଚକଟା ପରିସ୍ଥିତି ଉପୁଜିଛି । ଉତ୍ସାହିତ ଫ୍ୟାନ୍ସଙ୍କ ଅସମ୍ଭବ ଭିଡ ପାଇଁ ନାକେଦମ ପୋଲିସ । ହଜାର ହଜାର କ୍ରିକେଟ ଫ୍ୟାନ୍ସ କାଉଣ୍ଟର ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଗତକାଲି ରାତିଠୁ । ଏପଟେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଫେବୃଆରୀ 9 ତାରିଖରେ ଖେଳାଯିବ ବହୁ ପ୍ରତିକ୍ଷୀତ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ତେବେ ଦଳଚକଟାରେ 10ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ବୁଧବାରଠୁ ଆରମ୍ଭ ହୋଇଥିବା ଅଫଲାଇନ ଟିକେଟ ପାଇଁ ଗତକାଲିଠୁ ମହିଳାଙ୍କ ସମେତ ପୁରୁଷମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ୪ଟି କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲା ଓସିଏ ଓ କମିଶନରେଟ ପୋଲିସ । ଜଣେ ବ୍ୟକ୍ତି ପିଛା 2ଟି ଲେଖାଏଁ ଟିକେଟ ବିକ୍ରି କରିବାକୁ ଥିବାବେଳେ ଏଥିପାଇଁ ଫଟୋ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଜି ଏବଂ କାଲି ( 5 ଏବଂ 6 ତାରିଖ) ଦୁଇ ଦିନ ଧରି ଚାଲିବ ଅଫଲାଇନ ଟିକେଟ ବିକ୍ରି ।
12 ହଜାର ଟିକଟ ବିକ୍ରି ଲକ୍ଷ୍ୟ-
ବୁଧବାରଠୁ ଆରମ୍ଭ ହୋଇଛି ଅଫ୍ଲାଇନ ଟିକଟ ବିକ୍ରି । କାଉଣ୍ଟରରେ ପ୍ରାୟ 12 ହଜାର ଟିକଟ ବିକ୍ରି ହେବ । ବିରାଟ କୋହଲି, ରୋହିତ ଶର୍ମା, ଜୋସ ବଟଲରଙ୍କ ଭଳି ଖେଳାଳି ଆସୁଥିବାରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଅନଲାଇନ୍ରେ ଟିକଟ କିଣିପାରିନଥିବା କ୍ରିକେଟ୍ପ୍ରେମୀ ଅଫ୍ଲାଇନ୍ରେ କିଣିବାକୁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ଟିକେଟ ବିକ୍ରି ପାଇଁ ଚଳିତଥର 4ଟି ଟିକେଟ କାଉଣ୍ଟର କରାଯାଇଛି । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଟିକେଟ ପାଇଁ ଦଳାଚକଟା ସ୍ଥିତି
- ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଟିକେଟ ପାଇଁ ଧସ୍ତାଧସ୍ତି
- ଅଫଲାଇନ ଟିକେଟ କାଉଣ୍ଟର ଆଗରେ ଧସ୍ତାଧସ୍ତି ପରିସ୍ଥିତି
- ଅସମ୍ଭାଳ ଭିଡ ଏଡାଇବାରେ ପୋଲିସ ନାକେଦମ
- ଲୋକଙ୍କ ଉପରେ ଚଢିଗଲେ କ୍ରିକେଟ ପ୍ରେମୀ
- ଯିଏ ଯେମିତି ପାରିଲା ଧସେଇ ହୋଇ ପସିଲେ
- ବାଉଁଶ ବ୍ୟାରିକେଡ ଥିଲେ ବି ମାନେଲେନି ଲୋକେ
- ମିଳୁନି ପାଣି, ନାହିଁ ଏକଜିଟ ପଏଣ୍ଟ
- ଅଫଲାଇନ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼
- ଟିକେଟ୍ କାଉଣ୍ଟରରେ ଠେଲାପେଲା, ଦଳାଚକଟା
- ଗତକାଲି ସନ୍ଧ୍ୟାରୁ ଧାଡ଼ି ଦେଇଛନ୍ତି କ୍ରିକେଟ୍ ପ୍ରେମୀ
- ବ୍ୟାରିକେଡ୍ କାଟି ଲୋକଙ୍କୁ ବାହାର କରାଗଲା
17 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ-
ଅଫଲାଇନ ଟିକେଟ ବିକ୍ରି ସମୟରେ ଯେ କୌଣସି ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ 17 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
କେଇ ମିନିଟରେ ସରିଗଲା ଅନଲାଇନ ଟିକେଟ-
ଗତ ଦୁଇ ତାରିଖ ଅପରାହ୍ଣ 4ଟାରୁ ଆରମ୍ଭ ହୋଇଥିଲା ଅନଲାଇନ ଟିକେଟ ବିକ୍ରି । ଏହାର ମାତ୍ର କେଇ ମିନିଟରେ ସରିଗଲା ଅନଲାଇନ ଟିକେଟ । 4 ହଜାର ଟିକେଟ ଅନଲାଇନରେ ବିକ୍ରି ହୋଇଛି ।
କେଉଁ ଗ୍ୟାଲେରୀ ଟିକେଟ କେତେ ଟଙ୍କା-
- ଗ୍ୟାଲେରୀ -1 - 1100 ଟଙ୍କା
- ଗ୍ୟାଲେରୀ 2- 900 ଟଙ୍କା
- ଗ୍ୟାଲେରୀ 3 - 1100 ଟଙ୍କା
- ଗ୍ୟାଲେରୀ 4- 900 ଟଙ୍କା
- ଗ୍ୟାଲେରୀ 5- 1200 ଟଙ୍କା
- ଗ୍ୟାଲେରୀ 6- 700 ଟଙ୍କା
- ଗ୍ୟାଲେରୀ 7 - 700 ଟଙ୍କା
- ସ୍ପେଶାଲ ଏନକ୍ଲୋଜର- 6 ହଜାର ଟଙ୍କା
- ଏସି ବକ୍ସ- 8 ହଜାର ଟଙ୍କା
- ନ୍ୟୁ ପାଭିଲିଅନ- 10 ହଜାର ଟଙ୍କା
- କର୍ପୋରେଟ ବକ୍ସ- 20 ହଜାର ଟଙ୍କା
"ଏକଜିଟ୍ ପଏଣ୍ଟ ନାହିଁ । ଯିଏ ଲାଇନରେ ଟିକେଟ ପାଇଁ ଠିଆ ହୋଇଛି, ତାର ବାହାରିବାର କୌଣସି ବ୍ୟବସ୍ଥା ନାହିଁ । ଅବ୍ୟବସ୍ଥା ପାଇଁ ଲୋକେ ବେହୋସ ହେଉଛନ୍ତି । ମୁଁ ଲାଇନରେ ଥିଲି କିନ୍ତୁ ଟିକେଟ ନ ନେଇ ଫେରୁଛି । ଏତେ ଅବ୍ୟବସ୍ଥାରେ ଟିକେଟ ନେଇ ମ୍ୟାଚ ଷ୍ଟାଡିୟମରେ ଦେଖିବା ଅପେକ୍ଷା ଘରେ ମ୍ୟାଚ ଦେଖିବା ବହୁତ ଭଲ," ବୋଲି କହିଛନ୍ତି ଜଣେ ଫ୍ୟାନ୍ସ ।
ଏପଟେ କଟକ ଡିସିପି ଜଗମୋହନ ମିନା କହିଛନ୍ତି କି, "ଧିରେ ଧିରେ ସମସ୍ତ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଯାଉଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଲୋକଙ୍କ ଉପରେ ପାଣି ଛିଞ୍ଚୁଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ।"
ଟିକେଟ ନ ପାଇ ନିରାଶ ମହିଳା କ୍ରିକେଟ ଫ୍ୟାନ୍ସ-
"ଏଠାରେ କୌଣସି ବି ଗୋଟିଏ ଜିନିଷ ସୁବନ୍ଦୋବସ୍ତ ହୋଇନାହିଁ । ଟିକେଟ କାଉଣ୍ଟର ଆଗରେ ଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ପୋଲିସ ପ୍ରଶାସନ ଏବଂ ଓସିଏ । ପୋଲିସ ଠିଆ ହୋଇ ସବୁ ଦେଖୁଛି କିନ୍ତୁ ଲୋକଙ୍କ ଭିଡ ଏଡାଇପାରୁନି କି ଠେଲାପେଲା ରୋକିବାରେ ସଫଳ ହୋଇନାହିଁ," ବୋଲି କହିଛନ୍ତି ଜଣେ ମହିଳା କ୍ରିକେଟ ଫ୍ୟାନ୍ସ ।
6 ବର୍ଷ ପରେ ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ । ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆର ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବା ପରେ ଦ୍ୱିତୀୟ ମ୍ୟାଚ ଆସନ୍ତା 9 ତାରିଖରେ ବାରବାଟୀରେ ଖେଳାଯିବ ।