କଟକ: ଅଲିମ୍ପିକ୍ସରେ ନିରାଶ ହେଉଛି ଓଡିଶା । ଦିନକୁ ଦିନ କମୁଛି ଓଡ଼ିଆ ଖେଳାଳିଙ୍କ ସଂଖ୍ୟା । ଗତ ଟୋକିଓ ଅଲିମ୍ପିକ୍ସ 2020ରେ 4 ଜଣ ଖେଳାଳି ଚୟନ ହୋଇଥିବାବେଳେ ପ୍ୟାରିସ ଅଲମ୍ପିକ୍ସକୁ ଯାଇଥିଲେ ଓଡ଼ିଶାରୁ ମାତ୍ର 2 ଖେଳାଳି । ତେବେ ତ୍ରୁଟି ରହୁଛି କେଉଁଠି ? କାହିଁକି ସମାଧାନର ବାଟ ପାଉନାହିଁ ରାଜ୍ୟ ଅଲିମ୍ପିକ ସଂଘ ? ଅନ୍ୟପଟେ ରାଜ୍ୟରେ କ୍ରୀଡାର ଭବିଷ୍ୟତ ବର୍ତ୍ତମାନ ଅନ୍ଧକାର ମୁହାଁ ବୋଲି କହିଛନ୍ତି କ୍ରୀଡ଼ା ସମୀକ୍ଷକ ।
Number of Odia Players Decreasing in Olympics (ETV Bharat Odisha) ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କ ମରୁଡି :-
ବିଶ୍ବର ସବୁଠାରୁ ବଡ଼ କ୍ରୀଡା ମହାକୁମ୍ଭରେ କମୁଛି ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ବ । ରାଜ୍ୟ କ୍ରୀଡା ସଂଘର ଅପାରଗତା ଯୋଗୁଁ ଏଭଳି ଚିତ୍ର ଅନ୍ତର୍ଜାତୀୟସ୍ତରରେ ଦେଖିବାକୁ ମିଳୁଛି ବୋଲି କୁହାଯାଉଛି । ଉଚିତ ପ୍ରଶିକ୍ଷଣ, କ୍ୟାମ୍ପ, କୋଚ୍, ମେଗା ଇଭେଣ୍ଟ ଭଳି ଆୟୋଜନରେ ବଡ଼ ଗ୍ୟାପ୍ ଯୋଗୁଁ ବର୍ତ୍ତମାନ ବିଶ୍ବର ସବୁଠାରୁ ବଡ଼ କ୍ରୀଡା ମହାକୁମ୍ଭରେ ଓଡ଼ିଶାର ଅବସ୍ଥା ଏପରି ବୋଲି କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରା କହିଛନ୍ତି ।
ତେବେ କେଉଁ ମସିହାରେ କେତେ ଓଡ଼ିଆ ଖେଳାଳି ଯାଇଥିଲେ ଅଲିମ୍ପିକ୍ସ ? ନଜର ପକାନ୍ତୁ ଏହି ତଥ୍ୟ ଉପରେ,
1996 :
ଦିଲୀପ ତିର୍କୀ (ହକି)
2000 :
ଦିଲୀପ ତିର୍କୀ, ଲାଜରୁସ ବାର୍ଲା (ହକି)
ରଚିତା ପଣ୍ଡା, ଅନୁରାଧା ବିଶ୍ୱାଳ (ଆଥଲେଟିକ୍ସ)
2004 :
ଦିଲୀପ ତିର୍କୀ ଓ ଇଗ୍ନେସ ତିର୍କୀ (ହକି)
2008 :
କୌଣସି ଓଡ଼ିଆ ଖେଳାଳି ଯାଇନାହାନ୍ତି
2012 :
ଇଗ୍ନେସ ତିର୍କୀ, ବିରେନ୍ଦ୍ର ଲାକ୍ରା (ହକି)
କେ ରବି କୁମାର (ଭାରୋତ୍ତୋଳନ)
2016 :
ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲୀଳିମା ମିଞ୍ଜ (ମହିଳା ହକି)
ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ (ଆଥଲେଟିକ)
2020 :
ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା (ପୁରୁଷ ହକି)
ଦୀପଗ୍ରେସ ଏକ୍କା (ମହିଳା ହକି)
ଦୂତି ଚାନ୍ଦ (ଆଥଲେଟିକ୍ସ)
2024 :
ଅମିତ ରୋହଦାସ (ହକି)
କିଶୋର ଜେନା (ଜାଭେଲିନ)
'ଓଡିଶା କ୍ରୀଡା ବିକାଶର ବିକଳ ଚିତ୍ର' :-
କ୍ରୀଡା ସମୀକ୍ଷକ ସୁଶାନ୍ତ କୁମାର ବେହେରାଙ୍କ କହିବା କଥା, "କେବଳ ହକି ଖେଳକୁ ଛାଡିଦେଲେ ଅନ୍ୟ କୌଣସି ଇଭେଣ୍ଟରେ ଏଯାବତ ପଦକ ଜିତିବାରେ ବିଫଳ ରହିଛନ୍ତି ଓଡ଼ିଆ ଖେଳାଳି । ଯାହା ଓଡିଶା କ୍ରୀଡା ବିକାଶର ବିକଳ ଚିତ୍ରକୁ ଅବଲୋକନ କରାଉଛି ।"
'ନିର୍ମାଣ ହେବ ଆଉ ଏକ ବଡ଼ ବହୁମୁଖୀ ଷ୍ଟାଡିୟମ' :-
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ହକି ଓ ଆଥଲେଟିକ୍ସକୁ ଛାଡିଦେଲେ ଅନ୍ୟ କୌଣସି କ୍ରୀଡାରେ ଓଡ଼ିଆ ଖେଳାଳି ଅଲିମ୍ପିକ୍ସର ସ୍ୱାଦ ଚାଖି ପାରିନାହାନ୍ତି । ଯାହା ରାଜ୍ୟର କ୍ରୀଡା ବିଭାଗକୁ ଏକ ଶକ୍ତ ଝଟକା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ବିଗତ ସରକାରଙ୍କ ସମୟରେ ରାଜ୍ୟରେ ଯେତିକି କ୍ରୀଡାର ବିକାଶ ହେଇଛି, ନୂଆ ସରକାର ଆସିବା ପରେ ତାହା ଆହୁରି ଅଧିକ ହେବ ବୋଲି ଆଶା ରଖିଛି ରାଜ୍ୟ ଅଲିମ୍ପିକ୍ ସଂଘ । ରାଜ୍ୟ ଅଲିମ୍ପିକ ସଂଘର ସମ୍ପାଦକ ଅଭିଜିତ ପାଲ କହିଛନ୍ତି, "ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମ ରହିଥିଲାବେଳେ ଆଉ ଏକ ବଡ଼ ବହୁମୁଖୀ ଷ୍ଟାଡିୟମ ନିର୍ମାଣ ହେବା ପାଇଁ ଯାଉଛି । ଯାହାଦ୍ବାରା ଆଗାମୀ ଅଲିମ୍ପିକ୍ସ ପୂର୍ବରୁ ଓଡିଶାର ତୃଣମୂଳସ୍ତରରୁ ଅନେକ ନୂଆ ପ୍ରତିଭା ମିଳିପାରିବେ ।"
ତେବେ ଓଡିଶାକୁ କ୍ରୀଡ଼ାର ରାଜଧାନୀ ବୋଲି କୁହାଯାଉଛି । ପୂର୍ବ ସରକାରଙ୍କ ସମୟରୁ ବିଶ୍ବସ୍ତରର କ୍ରୀଡ଼ା ଭିତ୍ତିଭୂମି ଥିବା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଏଭଳି ସ୍ଥିତିରେ ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା କମିବା ରାଜ୍ୟରେ କ୍ରୀଡା ବିକାଶ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ବଢୁଛି କ୍ରୀଡା ଭିତ୍ତିଭୂମି କମୁଛି କ୍ରୀଡାବିତଙ୍କ ସଂଖ୍ୟା, କାରଣ କହିଲେ ଦୂତୀ ଚାନ୍ଦ - Odia Player in Paris Olympics
ଇଟିଭି ଭାରତ, କଟକ