ନୂଆଦିଲ୍ଲୀ:13 ବର୍ଷ ପରେ ରଣଜୀ କମବ୍ୟାକରେ ଫ୍ଲପ୍ ହେଲେ ଷ୍ଟାର ବ୍ୟାଟର ବିରାଟ କୋହଲି । ଇନସ୍ୱିଇଂ ବଲକୁ ଡ୍ରାଇଭ୍ ମାରିବାକୁ ଯାଇ ହେଲେ କ୍ଲିନ୍ ବୋଲ୍ଡ । ନିରାଶ ହେଲେ ଫ୍ୟାନ୍ସ । ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ଡି ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରେଳବାଇ ଏବଂ ଦିଲ୍ଲୀ ମଧ୍ୟରେ ଚାଲିଛି । ଶୁକ୍ରବାର, ମ୍ୟାଚ୍ର ଦ୍ୱିତୀୟ ଦିନରେ, ଷ୍ଟାଡିୟମ୍ରେ ଉପସ୍ଥିତ ହଜାର ହଜାର ଦର୍ଶକ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାର ସୁଯୋଗ ପାଇଲେ । ହେଲେ ଭେଟେରାନ ବ୍ୟାଟର ସମସ୍ତ ପ୍ରଶଂସକଙ୍କୁ ନିରାଶ କରିଥିଲେ ଏବଂ ଶସ୍ତାରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।
କୋହଲି 6 ରନ ଆଉଟ ହୋଇଥିଲେ-
13 ବର୍ଷ ପରେ ବିରାଟ କୋହଲିଙ୍କ ରଣଜୀ ଟ୍ରଫି କମବ୍ୟାକ୍ ମାତ୍ର ୧୫ ବଲରେ ଶେଷ ହୋଇଗଲା । ଘରୋଇ ଦର୍ଶକଙ୍କ କରତାଳି ଏବଂ ଜବରଦସ୍ତ ପରିବେଶ ମଧ୍ୟରେ କୋହଲିଙ୍କ ଆରମ୍ଭ ଖରାପ ଥିଲା । ରେଳବାଇର ଦ୍ରୁତ ବୋଲର ହିମାଂଶୁ ସାଙ୍ଗୱାନ ତାଙ୍କ ଅଫ୍-ଷ୍ଟମ୍ପକୁ ଉପାଡ଼ି ଦେଇଥିଲେ ।କୋହଲି ଆଗକୁ ବଢ଼ି ଅଫ୍ ସାଇଡ୍ରେ ସାଙ୍ଗୱାନଙ୍କ ଏକ ଫୁଲର୍ ଲେନ୍ଥ ବଲ୍ରେ ଏକ ଡ୍ରାଇଭ୍ ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଫ୍-ଷ୍ଟମ୍ପରେ ବାଜିଥିଲା ବଲ୍ । ସେ ୧୫ ବଲ୍ ରେ ୧ ଚୌକା ସହାୟତାରେ ୬ ରନ୍ କରିବା ପରେ ଆଉଟ୍ ହୋଇଥିଲେ କୋହଲି ।
ଦ୍ରୁତ ବୋଲରଙ୍କ ଟାଇଟ୍ ଲାଇନ ଏବଂ ଲେନ୍ଥ-
ଆଉଟ୍ ହେବା ପୂର୍ବରୁ, କୋହଲିଙ୍କୁ ଉଭୟ ପାର୍ଶ୍ୱର ଦ୍ରୁତ ବୋଲରମାନେ ଅଫ୍ ଷ୍ଟମ୍ପ ବାହାରେ ବଲ ଦେଇ ବହୁତ ଅସୁବିଧାରେ ପକାଇଥିଲେ। ନିକଟରେ, ଅଷ୍ଟ୍ରେଲିଆରେ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ସମୟରେ, ସେ ଅଫ୍ ଷ୍ଟମ୍ପ ବାହାରକୁ ଯାଉଥିବା ବଲରେ ଆଉଟ ହୋଇଥିଲେ। ଯାହା ଏବେ କୋହଲିଙ୍କ ସବୁଠାରୁ ବଡ଼ ଦୁର୍ବଳତା ପାଲଟିଛି । ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କୋହଲିଙ୍କ ଖରାପ ଫର୍ମ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ।