ଓଡିଶା

odisha

ETV Bharat / sports

IPLରେ କମିବ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ! BCCI ନିୟମ ପକାଇବ ପ୍ରଭାବ; ଜାଣନ୍ତୁ କେମିତି

BCCI New IPL Rules : ଆଇପିଏଲ୍‌ରେ ଖେଳାଳି ରିଟେନସନ୍‌ ଓ ଅକ୍ସନ ପାଇଁ ବିସିସିଆଇ ଜାରି କରିଥିବା ନୂଆ ନିୟମ, ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣକୁ ପ୍ରଭାବିତ କରିପାରେ । ଅଧିକ ପଢ଼ନ୍ତୁ

By ETV Bharat Sports Team

Published : 4 hours ago

BCCI New IPL Rules before 2025 Edition
BCCI New IPL Rules before 2025 Edition (ETV Bharat Odisha)

ହାଇଦ୍ରାବାଦ : ଆଇପିଏଲରେ ବିଦେଶୀ ଖେଳାଳିଙ୍କ ଉପସ୍ଥିତି ସର୍ବଦା ଏକ ବିଶେଷ ଆକର୍ଷଣ ହୋଇଥାଏ । ଅବଶ୍ୟ, ବିଶ୍ବରେ ଟି20 ଲିଗ୍‌ର ବୃଦ୍ଧି ଏବଂ ଅନ୍ତର୍ଜାତୀୟ କ୍ରିକେଟର କାର୍ଯ୍ୟଭାର ବୃଦ୍ଧି ହେତୁ ଅନେକ ଥର ବିଦେଶୀ ଖେଳାଳିମାନେ ବିଶ୍ବର ଏହି ବୃହତ ଟି20 ଲିଗ୍‌କୁ ଅଣଦେଖା କରିଛନ୍ତି । ଆଇପିଏଲରେ ବିଦେଶୀ ଖେଳାଳିମାନଙ୍କୁ ଏକ ଅନୁକୂଳ ପରିବେଶ ମିଳିଛି । ସେମାନେ ନିଲାମରେ ବିପୁଳ ପରିମାଣର ଟଙ୍କା ପାଇଛନ୍ତି । ହେଲେ ବର୍ତ୍ତମାନ ଆଇପିଏଲରେ ଏହିପରି ନୂଆ ନିୟମ ଆସିଛି, ଯାହା ବିଦେଶୀ ଖେଳାଳିଙ୍କ ମନମୁଖୀ ନିଷ୍ପତ୍ତିକୁ ବନ୍ଦ କରିବାକୁ ଯାଉଛି । ଫଳରେ ଆଇପିଏଲ୍‌ରେ ବିଦେଶୀ ଖେଳାଳିଙ୍କ ପ୍ରଭାବ ଓ ଅଂଶଗ୍ରହଣ କମିଯିବ ବୋଲି ଆଶା କରାଯାଇପାରେ ।

ନଜର ପକାନ୍ତୁ, କେଉଁ ସବୁ ନିୟମ ଆଇପିଏଲ୍‌ରେ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣକୁ ପ୍ରଭାବିତ କରିପାରେ :-

ଏମିତି କଲେ 2 ବର୍ଷ ବ୍ୟାନ ହେବେ ବିଦେଶୀ ଖେଳାଳି :-

ବିସିସିଆଇ ଦ୍ବାରା ଲାଗୁ ହୋଇଥିବା ନୂତନ ସଂରକ୍ଷଣ ନୀତିରେ ବିଦେଶୀ ଖେଳାଳିଙ୍କୁ ଧ୍ୟାନରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯେକୌଣସି ବିଦେଶୀ ଖେଳାଳି, ଯିଏ ଆଇପିଏଲର ଏକ ଅଂଶ ହେବେ, ସେମାନଙ୍କୁ ଏହି ସବୁ ନିୟମ ମାନିବାକୁ ପଡ଼ିବ । ବିଦେଶୀ ଖେଳାଳିଙ୍କ ସହ ଜଡିତ ଗୋଟିଏ ନିୟମ ବିଶେଷ ଭାବରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଯଦି ଏହି ନିୟମ ଭଙ୍ଗ ହେଉଛି, ତେବେ ବିଦେଶୀ ଖେଳାଳିଙ୍କୁ ଦୁଇ ବର୍ଷ ପାଇଁ ଆଇପିଏଲ୍‌ରେ ଅଂଶଗ୍ରହଣରୁ ବାରଣ କରାଯାଇପାରେ । ଏହି ନିୟମ ଅଧୀନରେ ଯଦି କୌଣସି ବିଦେଶୀ ଖେଳାଳି ନିଲାମରେ କୌଣସି ଦଳକୁ ବିକ୍ରି ହେବା ପରେ ଲିଗ୍‌ରୁ ତାଙ୍କ ନାମ ପ୍ରତ୍ୟାହାର କରିନିଅନ୍ତି, ତେବେ ତାଙ୍କୁ ଆସନ୍ତା ଦୁଇ ଋତୁ ପାଇଁ ବ୍ୟାନ୍‌ କରାଯିବ ।

ନିଶ୍ଚିତ ଭାବରେ ଫ୍ରାଞ୍ଚାଇଜର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଯେତେବେଳେ ଏକ ଦଳ ବିଦେଶୀ ଖେଳାଳିଙ୍କୁ ଚୟନ କରେ, ଦଳ ସେହି ଅନୁଯାୟୀ ଏହାର ରଣନୀତି ପ୍ରସ୍ତୁତ କରେ । କିନ୍ତୁ ଯେତେବେଳେ ସେହି ଖେଳାଳି ଶେଷ ମୁହୂର୍ତ୍ତରେ ତାଙ୍କ ନାମ ପ୍ରତ୍ୟାହାର କରନ୍ତି, ସେହି ଦଳର ସନ୍ତୁଳନ ଏବଂ ରଣନୀତି ପ୍ରଭାବିତ ହୋଇପାରେ । ବେଳେବେଳେ ଖେଳାଳିମାନେ କାର୍ଯ୍ୟଭାର କାରଣରୁ ସେମାନଙ୍କର ନାମ ପ୍ରତ୍ୟାହାର କରନ୍ତି ଏବଂ ବେଳେବେଳେ ଅନ୍ୟ କୌଣସି ବ୍ୟକ୍ତିଗତ କାରଣରୁ ସେମାନେ ଖେଳିନଥାନ୍ତି । ବର୍ତ୍ତମାନଠାରୁ ଯଦି ବିଦେଶୀ ଖେଳାଳିମାନେ ଏପରି କରନ୍ତି, ତେବେ ସେମାନଙ୍କୁ ଦୁଇଟି ଋତୁରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ ।

ଏହି ନିୟମରୁ ସ୍ପଷ୍ଟ ଯେ କେବଳ ଯେଉଁ ବିଦେଶୀ ଖେଳାଳିମାନେ ଆଇପିଏଲ ପ୍ରତି ଗମ୍ଭୀର ଏବଂ ସେମାନଙ୍କ ଦଳ ପାଇଁ ପ୍ରତିବଦ୍ଧ, ସେମାନେ ହିଁ ନିଲାମରେ ସେମାନଙ୍କର ନାମ ଦେବେ । ଏହାର ଅନ୍ୟ ଦିଗଟି ହେଉଛି ଦୁଇ ବର୍ଷର ପ୍ରତିବନ୍ଧକକୁ ଏଡାଇବା ପାଇଁ କିଛି ବିଦେଶୀ ଖେଳାଳି ସେମାନଙ୍କ ନାମ ଦେଇ ନପାରନ୍ତି । ଅର୍ଥାତ ବର୍ତ୍ତମାନ ମାର୍କ ଉଡ୍‌, ଗଟ୍ ଆଟିଂସନ୍‌, ଜାସନ୍ ରୟ ଓ ବେନ ଷ୍ଟୋକ୍ସଙ୍କ ପରି ଖେଳାଳିମାନେ ଅତି ଯତ୍ନର ସହ ଚିନ୍ତା କରିବା ପରେ ଆଇପିଏଲରେ ଅଂଶଗ୍ରହଣ କରିବେ । ଏହି ଖେଳାଳିମାନେ ଆଇପିଏଲରେ ଅଂଶଗ୍ରହଣ କରିବେ ନାହିଁ କିମ୍ବା ସମ୍ପୂର୍ଣ୍ଣ ସିଜିନ ଖେଳିବାକୁ ଉପଲବ୍ଧ ହେବେ । ଉଲ୍ଲେଖଯୋଗ୍ୟ, ଯଦି ଖେଳାଳି ଆହତ ହୋଇ ଖେଳିବା ପାଇଁ ଉପଲବ୍ଧ ହୋଇନପାରନ୍ତି, ତେବେ ଏହି ନିୟମ ତାଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ତେବେ ଏହି ଆଘାତକୁ ମଧ୍ୟ ବିଦେଶୀ ଖେଳାଳିଙ୍କ ଘରୋଇ କ୍ରିକେଟ୍ ବୋର୍ଡ ଦ୍ବାରା ମଧ୍ୟ ଯାଞ୍ଚ କରାଇବାକୁ ପଡିବ ।

ମେଗା-ଅକ୍ସନରେ ପଞ୍ଜିକରଣ ବାଧ୍ୟତାମୂଳକ :-

ଏହା ବ୍ୟତୀତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଛି, ଯାହା ଆଇପିଏଲରେ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ଉପରେ ଏକ ବଡ ପ୍ରଭାବ ପକାଇପାରେ । ବର୍ତ୍ତମାନ ଏହି ଖେଳାଳୀମାନଙ୍କୁ ଆଇପିଏଲ୍‌ ଖେଳିବାକୁ ହେଲେ ମେଗା ଅକ୍ସନରେ ନାମ ପଞ୍ଜିକରଣ କରିବାକୁ ହିଁ ପଡ଼ିବ । ଯଦି କୌଣସି ବିଦେଶୀ ଖେଳାଳି ମେଗା ଅକ୍ସନରେ ପଞ୍ଜିକରଣ ନକରନ୍ତି, ତେବେ ସେ ଆଗାମୀ ସିଜନରେ ଅନୁଷ୍ଠିତ ହେବାକୁ ଥିବା ମିନି-ଅକ୍ସନରେ ମଧ୍ୟ ଅଂଶଗ୍ରହଣ କରିପାରିବେ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ମିନି-ନିଲାମରେ ବିଦେଶୀ ଖେଳାଳିମାନେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସଙ୍କ ପରି ଉଦାହରଣ ସମସ୍ତଙ୍କ ସାମ୍ନାରେ ଅଛି, ଯେଉଁମାନେ ନିଲାମରେ ବିକ୍ରି ହୋଇଥିବା ପରିମାଣ ଦୃଷ୍ଟିରୁ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ଆଇପିଏଲର ମେଗା-ନିଲାମରେ ଫ୍ରାଞ୍ଚାଇଜଗୁଡ଼ିକୁ ଅନେକ ଖେଳାଳିଙ୍କ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ । ଏହି ନିଲାମରେ ଫ୍ରାଞ୍ଚାଇଜଗୁଡ଼ିକ ସେମାନଙ୍କର ମୂଳ ଦଳ ଗଠନ କରନ୍ତି । କିନ୍ତୁ ମିନି-ନିଲାମରେ କେବଳ ମନୋନୀତ ଖେଳାଳି ବଛାଯାଏ ଏବଂ ପ୍ରାୟତଃ ଏହି ମିନି ନିଲାମରେ ହିଁ ଜଣେ ଜଣେ ଖେଳାଳି ବିପୁଳ ମୂଲ୍ୟରେ ବିକ୍ରି ହେବାର ରେକର୍ଡ କରିଥାନ୍ତି । ଗତଥର ଅଷ୍ଟ୍ରେଲୀୟ ପେସର ମିଚେଲ ଷ୍ଟାର୍କ କେବଳ ମିନି-ନିଲାମରେ ଆସିଥିଲେ । ଏହା ପୂର୍ବ ମେଗା-ଅକ୍ସନରେ ସେ ଉପଲବ୍ଧ ନଥିଲେ । ବର୍ତ୍ତମାନ ସେ ଏପରି କରିପାରିବେ ନାହିଁ । ଏଭଳି ପରିସ୍ଥିତିରେ, ଷ୍ଟାର୍କଙ୍କ ଭଳି ଖେଳାଳି, ଯେଉଁମାନଙ୍କର ଆଇପିଏଲ୍‌ ଅଂଶଗ୍ରହଣ କମ୍, ସେଭଳି ଖେଳାଳିଙ୍କ ସଂଖ୍ୟା ଆହୁରି ହ୍ରାସ ପାଇପାରେ ।

ଅଧିକ ଅର୍ଥରେ ବିକ୍ରି ହେଲେ ଟଙ୍କା ନେଇଯିବ BCCI :-

ଏହି ନିୟମ ବ୍ୟତୀତ, ବିଦେଶୀ ଖେଳାଳିଙ୍କ ପାଇଁ ସବୁଠାରୁ ବଡ ଝଟକା ହେଉଛି ସର୍ବାଧିକ ଫି' ସ୍ଥିର କରିବାର ନିୟମ । ମିନି-ନିଲାମରେ ବିଦେଶୀ ଖେଳାଳିଙ୍କ ପାଇଁ ସର୍ବାଧିକ ମୂଲ୍ୟ ସ୍ଥିର କରିବାକୁ ଆଇପିଏଲ୍ ନିଷ୍ପତ୍ତି ନେଇଛି । ଏହି ନିୟମ ଅନୁଯାୟୀ ମିନି-ନିଲାମରେ କୌଣସି ବିଦେଶୀ ଖେଳାଳିଙ୍କ ସର୍ବାଧିକ ମୂଲ୍ୟ 18 କୋଟିରୁ ଅଧିକ ହେବ ନାହିଁ । ମିନି-ନିଲାମରେ ଜଣେ ବିଦେଶୀ ଖେଳାଳିଙ୍କ ବିକ୍ରୟ ମୂଲ୍ୟ ଦୁଇଟି ଉପାୟରେ ସ୍ଥିର ହେବ, ରିଟେନ ରହିଥିବା ଖେଳାଳିଙ୍କ ସର୍ବାଧିକ ମୂଲ୍ୟ ଏବଂ ମେଗା-ଅକ୍ସନରେ କୌଣସି ଖେଳାଳିଙ୍କ ସର୍ବାଧିକ ବିକ୍ରୟ ମୂଲ୍ୟ । ଉଭୟଟିରୁ ଯାହା କମ୍ ହେବ, ଜଣେ ବିଦେଶୀ ଖେଳାଳି ମିନି-ଅକ୍ସନରେ ସର୍ବାଧିକ ସେହି ମୂଲ୍ୟ ହିଁ ପାଇପାରିବେ ।

ଅର୍ଥାତ୍ ଅକ୍ସନ ପୂର୍ବରୁ ଯଦି ଜଣେ ଖେଳାଳିଙ୍କୁ କୌଣସି ଦଳ ସର୍ବାଧିକ 18 କୋଟି ଟଙ୍କାରେ ରିଟେନ ରଖିଛି, କିନ୍ତୁ ମେଗା-ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି 15 କୋଟିରେ ବିକ୍ରି ହୋଇଛନ୍ତି, ତେବେ ମିନି-ନିଲାମରେ ଜଣେ ବିଦେଶୀ ଖେଳାଳିଙ୍କୁ 15 କୋଟିରୁ ଅଧିକ ଟଙ୍କା ମିଳିପାରିବ ନାହିଁ । କିନ୍ତୁ ହଁ, ଗୋଟିଏ ଫ୍ରାଞ୍ଚାଇଜ୍ ଚାହିଁଲେ, ଏହା ଯେକୌଣସି ବିଦେଶୀ ଖେଳାଳିଙ୍କ ଉପରେ କେତେ ବି ବଡ ବିଡ୍ ଲଗାଇପାରେ, କିନ୍ତୁ ଖେଳାଳି ସେହି ବିଡରୁ ସର୍ବାଧିକ 18 କୋଟି ଟଙ୍କା ହିଁ ପାଇପାରିବେ । ଅବଶିଷ୍ଟ ପରିମାଣ ବିସିସିଆଇକୁ ଚାଲିଯିବ, ଯାହା ଖେଳାଳିଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହେବ ।

ତେବେ ଏହି ସମସ୍ତ ନିୟମ ଆଇପିଏଲରେ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣକୁ ବହୁତ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details