ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆରେ ଉଦଘାଟନ ହେଲା ତିନିଦିନିଆ କୃଷି ଓଡିଶା-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମଞ୍ଚ ଉପରୁ ପୂର୍ବ ସରକାରକୁ ଟାର୍ଗେଟ କରିବା ସହ ଚାଷୀଙ୍କୁ ସହଯୋଗ ପ୍ରତିଶ୍ରୁତି ଦେଇଛନ୍ତି ।
'କୋଭିଡ ବେଳେ କେବଳ କୃଷକମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ରଖିଥିଲେ'
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "କୃଷି ଓଡିଶା-୨୦୨୫ କାର୍ଯ୍ୟକ୍ରମ ରାଜ୍ୟର କୃଷକ ଭାଇଭଉଣୀ, ଆମର ଅନ୍ନଦାତାମାନଙ୍କ ପାଇଁ ଉତ୍ସର୍ଗୀକୃତ । ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି । ତେଣୁ ଯେଉଁଠି ଏତେ ସଂଖ୍ୟକ ଲୋକେ ଗୋଟିଏ ବୃତ୍ତିରେ କାମ କରନ୍ତି, ସେମାନଙ୍କ ବିକାଶ କରିବା ସହ ସୁଖ ଦୁଃଖରେ ଠିଆ ହେବା ସରକାରଙ୍କ ନୈତିକ ଦାୟିତ୍ଵ । କୋଭିଡ ମହାମାରୀ ବେଳେ କେବଳ କୃଷକମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ସମସ୍ତଙ୍କ ମୁହଁରେ ଆହାର ଦେଇଥିଲେ । ଏହି ମହତ କାର୍ଯ୍ୟ ପାଇଁ ଆପଣ ସମସ୍ତେ ଧନ୍ୟବାଦ ଏବଂ ପ୍ରଶଂସାର ପାତ୍ର ।"
'ଓଡିଶାରେ କୃଷି ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ'
'ସ୍ଵାଭିମାନ ଅଞ୍ଚଳରେ ରସାୟନମୁକ୍ତ ପ୍ରାକୃତିକ ଚାଷ ପ୍ରଚଳନ'
ଓଡିଶାରେ ବଳଭଦ୍ର ଜୈବିକ ଚାଷ ମିଶନରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଏବଂ ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ରସାୟନମୁକ୍ତ ପ୍ରାକୃତିକ ଚାଷ ପ୍ରଚଳନ କରାଯିବ । ମୃତ୍ତିକାର ଜୈବିକ ଅଙ୍ଗାର ବୃଦ୍ଧି ନିମନ୍ତେ ରାଜ୍ୟରେ ମୃତ୍ତିକା ସ୍ଵାସ୍ଥ୍ୟ ମିଶନ ମଧ୍ୟ କାର୍ଯ୍ୟକାରୀ କରାଯିବ । ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୩ ହଜାର ଚାଷୀଙ୍କୁ ୩ ହଜାର କୋଟିରୁ ଅଧିକ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଓ ୧ ହଜାର କୋଟି ଟଙ୍କାର ଇନପୁଟ୍ ସହାୟତା ପ୍ରଦାନ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
'ଚାଷୀଙ୍କୁ ଯୋଜନାରେ ଯୋଡିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ'
ସେହିପରି ସି.ଏମ କିଷାନ ଯୋଜନାରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯ ହଜାର ୩୦୩ ଜଣ ଭୂମିହୀନ କୃଷି ପରିବାରକୁ ରବି ଫସଲ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ପି.ଏମ କିଷାନ ଯୋଜନାରେ ପ୍ରତ୍ୟେକ ଭୂମିଧାରୀ ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ଗତ ଅକ୍ଟୋବର ମାସ ୫ ତାରିଖରେ ପ୍ରଦାନ କରାଯାଇଥିବା ପି.ଏମ କିଷାନ ଯୋଜନାର ୧୮ତମ କିସ୍ତିରେ ରାଜ୍ୟର ୩୧ ଲକ୍ଷ ୫୧ ହଜାର ଜଣ ଚାଷୀ ଉପକୃତ ହୋଇଛନ୍ତି । ଏଥିରେ ଅଧିକ ଚାଷୀଙ୍କୁ ଯୋଡିବା ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇ ୩.୬୨ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ମୋହନ ଚରଣ ମାଝୀ କହିଛନ୍ତି ।
କୃଷି ଓଡ଼ିଶା ମଞ୍ଚରୁ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ :-
ଅନ୍ୟପଟେ କୃଷି ଓଡ଼ିଶା ମଞ୍ଚରେ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, "ରାଜ୍ୟରେ ଆଳୁ ଚାଷକୁ ବୃଦ୍ଧି କରିବା ପାଇଁ ବିଜେପି ସରକାର ବଦ୍ଧପରିକର । ଚଳିତ ରବି ଋତୁରେ ୧.୮୦ ଲକ୍ଷ ଚାଷୀଙ୍କୁ ରିହାତି ଦରରେ ୧.୬୦ ଲକ୍ଷ କ୍ଵିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଯୋଗାଇ ଦିଆଯାଇଛି । ଏହା ବିଗତ ବର୍ଷଠାରୁ ୩ ଗୁଣ ଅଧିକ । ଚଳିତ ବର୍ଷ ୨.୪ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରଚାର ସର୍ବସ୍ୱ ଓ ଭୋଟ ବ୍ୟାଙ୍କ ପାଇଁ ପୂର୍ବ ସରକାର ଚାଷୀଙ୍କୁ ଠକିଥିଲେ । ଆଳୁ ମିଶନ ଓ ପଣସ ମିଶନ ନାଁରେ ଚାଷୀଙ୍କୁ ଠକିଥିଲେ । କେଉଁଠୁ ଆଳୁ ବିହନ ଆସିଲା ଓ କେଉଁଠି ଚାଷ ହେଲା ଆଉ କେତେ ଉତ୍ପାଦନ ହେଲା ? ମିଶନ ପରେ ମିଶନ କିନ୍ତୁ ରେଜଲ୍ଟ ନାହିଁ । ମମତା ଦିଦିଙ୍କ ପାଖରେ ଆଉ ମମତା ନାହିଁ । ଆମ ଉପରେ ଠିକ ସମୟରେ ଦାଉ ସାଝିବେ । ଆଳୁ ମିଶନ ଫେଲ ପାଇଁ ଏଦିନ ଭୋଗିବାକୁ ପଡୁଛି । ପୂର୍ବ ସରକାର ଶୀତଳ ଭଣ୍ଡାର କରିବା ପାଇଁ ପ୍ରତିଶୃତି ଦେଇ କେତେ କଲେ । ଚାଷୀଙ୍କ ସୁଖଦୁଃଖରେ ଛିଡା ହେଲେନି, ତେଣୁ ସେଥିପାଇଁ ତାଙ୍କୁ ବିରୋଧୀ ଦଳରେ ବସାଇଲେ ।"
'ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛି ବିଜେପି'
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, "ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର କୃଷକଙ୍କୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ଅତିରିକ୍ତ ଇନପୁଟ ସହାୟତା ୮୦୦ ଟଙ୍କା ପ୍ରଦାନ କରୁଛୁ । ପଶ୍ଚିମବଙ୍ଗର ଆଳୁ ଉପରେ ମନମାନିକୁ ଦେଖି ଆମେ ରାଜ୍ୟରେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦେଇଛୁ । ରାଜ୍ୟରେ ୫୮ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ । ରାଜ୍ୟର କୃଷକମାନଙ୍କୁ କେବଳ ଧାନ ଉପରେ ନିର୍ଭର ନକରି ନୂଆ ଟେକନିକ୍ ପ୍ରୟୋଗରେ ଅନ୍ୟାନ୍ୟ ଫସଲ କରିବା ପାଇଁ ପରାମର୍ଶ ଦେଇଛୁ ।"
'୨୦୩୬ ବେଳକୁ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହେବ ଓଡିଶା'
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡିଶାରେ କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ କରାଯାଉଛି । ଭାରତ ବର୍ଷରେ କୃଷକମାନଙ୍କୁ ଅନ୍ୟ କୌଣସି ରାଜ୍ୟରେ ଏତେ ପରିମାଣର ଅର୍ଥ ଦିଆଯାଉନାହିଁ । ପ୍ରାକୃତିକ ବିପର୍ଯ୍ୟୟ ପରେ ରାଜ୍ୟ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଛି । ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ହେବ ରାଜ୍ୟ ସରକାର ତାହା ଯୋଗାଇଦେବେ । ଆମର ଲକ୍ଷ୍ୟ ରହିଛି ୨୦୩୬ ବେଳକୁ ଓଡିଶା କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଥିବ । ସେହି ଲକ୍ଷ୍ୟ ନେଇ ଆମେ କାମ କରୁଛୁ ।"
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ରାଜ୍ୟର କୃଷି ଓ କୃଷକ ସଶକ୍ତ ହେଲେ ଆମ ଅର୍ଥନୀତି ସୁଦୃଢ ହେବ । କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇଛନ୍ତି । ରାଜ୍ୟର ପ୍ରାୟ ୧୦ ହଜାର କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, କୃଷି ବିଜ୍ଞାନୀ, କୃଷି ଉତ୍ପାଦନ ସଂସ୍ଥାର ପ୍ରତିନିଧି, ଗବେଷକ ଓ ଛାତ୍ରଛାତ୍ରୀ ଏହି ତିନି ଦିନିଆ କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସେ କହିଛନ୍ତି । କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଛନ୍ତି ।
୧୦ ସଫଳ ଚାଷୀ ଓ ୯ ଉଦ୍ୟାନ କୃଷି ଚାଷୀ ସମ୍ବର୍ଦ୍ଧିତ:
କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟର ୧୦ ଜଣ ସଫଳ ଚାଷୀ ଓ ୯ ଜଣ ଉଦ୍ୟାନ କୃଷି ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ବିଭାଗ ପକ୍ଷରୁ ପ୍ରକାଶିତ ଅମଳ ଉତ୍କଳ ପୁସ୍ତକ, ଇମେଜର ଅଫିସିଆଲ ୱେବସାଇଟ ଉନ୍ମୋଚନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର