ମୁମ୍ବାଇ : ମହିଳା ଟି20 ବିଶ୍ବକପ 2024 ପାଇଁ ମଙ୍ଗଳବାର 15 ଜଣିଆ ଦଳ ଘୋଷଣା କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) । ଏହି ଦଳର ନେତୃତ୍ବ ହରମାନପ୍ରୀତ କୌରଙ୍କ କାନ୍ଧରେ ଦିଆଯାଇଛି । ସେପଟେ ଓପନିଂ ବ୍ୟାଟର ସ୍ମୃତି ମାନ୍ଧାନାଙ୍କୁ ଉପ-ଅଧିନାୟକ କରାଯାଇଛି ।
ଶକ୍ତିଶାଳୀ ବ୍ୟାଟିଂ ଅର୍ଡର :-
ବିସିସିଆଇ ଦ୍ୱାରା ଚୟନ କରାଯାଇଥିବା ଦଳରେ ଏକ ଦୃଢ଼ ବ୍ୟାଟିଂ ଲାଇନ୍ ଅପ୍ ରହିଛି । ଶେଫାଳି ବର୍ମାଙ୍କ ସହ ସ୍ମୃତି ମାନ୍ଧାନା ଓପନିଂ କରିବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ଭାରତ ପାଖରେ ଦୟାଲନ ହେମଲତାଙ୍କ ଭଳି ଆଉ ଏକ ଟପ୍ ଅର୍ଡର ବ୍ୟାଟର ବିକଳ୍ପ ମଧ୍ୟ ରହିଛନ୍ତି, ଯିଏକି ଅନ୍ୟପଟେ ବାଂଲାଦେଶ ସିରିଜ ସମୟରେ ୟସ୍ତିକାଙ୍କ ସମୟରେ 3 ନଂରେ ବ୍ୟାଟିଂ କରିଥିଲେ । ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ ଏବଂ ଅଧିନାୟକ ହରମାନପ୍ରୀତ କୌର ଭାରତର ବ୍ୟାଟିଂ ଲାଇନକୁ ମଜବୁତ କରିବେ ।
ରିଚା ଘୋଷ ଭାରତର ପ୍ରଥମ ୱିକେଟ୍ କିପିଂ ବିକଳ୍ପ ହେବେ । ତେବେ ୟସ୍ତିକାଙ୍କୁ ତାଙ୍କ ବ୍ୟାକ୍ଅପ୍ ଭାବରେ 15 ଜଣିଆ ଦଳରେ ସାମିଲ କରାଯାଇଛି । ବୋଲିଂ ୟୁନିଟରେ ରେଣୁକା ସିଂ, ପୂଜା ବସ୍ତ୍ରକାର, ଦୀପ୍ତି ଶର୍ମା, ରାଧା ଯାଦବ, ଆଶା ଶୋଭନା, ସଜନା ସଜୀବନ ଏବଂ ଶ୍ରେୟଙ୍କା ପାଟିଲ ସାମିଲ ଅଛନ୍ତି ।
ୟସ୍ତିକା ଓ ଶ୍ରେୟଙ୍କାଙ୍କୁ ଆବଶ୍ୟକ ହେବ ଫିଟନେସ୍ କ୍ଲିୟରାନ୍ସ :-
ଗତ ମାସରେ ଖେଳାଯାଇଥିବା ମହିଳା ଏସିଆ କପ୍ ପାଇଁ ମନୋନୀତ 15 ଜଣିଆ ଭାରତୀୟ ଦଳରେ ବିଶ୍ବକପ୍ ପାଇଁ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ଉମା ଛତ୍ରୀଙ୍କ ସ୍ଥାନରେ ୱିକେଟ୍ କିପର ୟସ୍ତିକା ଭାଟିଆଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ତଥାପି, ୟସ୍ତିକାଙ୍କୁ ଫିଟନେସ୍ କ୍ଲିୟରାନ୍ସ ଆବଶ୍ୟକ ରହିଛି । ଗତ ବାଂଲାଦେଶ ବିପକ୍ଷ ଟି20 ସିରିଜରେ ଆହତ ହୋଇଥିଲେ ୟସ୍ତିକା । ଯେଉଁଥିପାଇଁ ତାଙ୍କୁ ଏସିଆ କପରୁ ବାଦ୍ ଦିଆଯାଇଥିଲା ।