ଭୁବନେଶ୍ବର:ଆସନ୍ତା ସାଧାରଣ ନିର୍ବାଚନରେ ମହିଳା ମତଦାନ ହାର ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ବାରା ପରିଚାଳିତ ବୁଥ 'ସଖି ବୁଥ'ର ବ୍ୟବସ୍ଥା କରାଯାଇଛି । ଏହି ସଖି ବୁଥରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ସୁରକ୍ଷା କର୍ମୀ ଓ ଅନ୍ୟ କର୍ମଚାରୀ ସମସ୍ତେ ଜଣେ ଜଣେ ମହିଳା । ସଖି ବୁଥରେ ପୋଲିଂ ଏଜେଣ୍ଟ ଭାବରେ ମହିଳାମାନଙ୍କୁ ନିୟୋଜିତ କରିବା ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଏହି ‘ସଖି ବୁଥ’ଗୁଡ଼ିକ ସମଗ୍ର ବିଶ୍ବ ପାଇଁ ଉଦାହରଣ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
‘ନିର୍ବାଚନର ପର୍ବ, ଆମ ଦେଶର ଗର୍ବ’ । ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଭାରତ ନିର୍ବାଚନ କମିଶନଙ୍କ ଏହି ଥିମ ରହିଛି । ଏହାକୁ ଗ୍ରହଣ କରି କମିଶନ ନିର୍ବାଚନରେ ଦେଶର ସମସ୍ତ ବର୍ଗର ଅଂଶଗ୍ରହଣକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ନିର୍ବାଚନକୁ ଭାରତୀୟ ଗଣତନ୍ତ୍ରର ମହାପର୍ବ ରୂପେ ପାଳନ କରିବା ପାଇଁ ଦେଶର ସମସ୍ତ ବର୍ଗକୁ ମତଦାନର ମହାସ୍ରୋତରେ ସାମିଲ କରିବାର ମହତ୍ତର ଲକ୍ଷ୍ୟ ନେଇ କମିଶନଙ୍କ କାର୍ଯ୍ୟ ଚାଲିଛି । ସେହି ମଧ୍ୟରେ ଏକ ଅନନ୍ୟ ଚେଷ୍ଟା ହେଉଛି ‘ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ବାରା ପରିଚାଳିତ ବୁଥ - ସଖି ବୁଥ’ । ସଖି ବୁଥ ହେଉଛି ଏକ ମଡେଲ ବୁଥ । ଯାହା ସଂପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ବାରା ପରିଚାଳିତ । ଯେଉଁ ଅଞ୍ଚଳରେ ମହିଳାମାନଙ୍କ ମତଦାନ ହାର କମ ରହୁଥିବାର ଲକ୍ଷ୍ୟ କରାଯାଉଛି, ସେଠି ‘ସଖି ବୁଥ’ କରାଯାଇ ମହିଳା ମତଦାନ ହାର ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ 2024: କେମିତି ହୋଇଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ