ବ୍ରହ୍ମପୁର: ଗୁରୁବାରଠାରୁ (ଜାନୁଆରୀ ୯) ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ଜାତୀୟ ମହିଳା ଭାରତ୍ତୋଳନ ଲିଗ୍ । ପ୍ରଥମ ଦୁଇଦିନରେ ଓଡିଶାକୁ ମିଳିଛି ୪ ସ୍ୱର୍ଣ୍ଣ ପଦକ ସମେତ ଗୋଟିଏ ରୌପ୍ୟ ପଦକ ।
ପ୍ରଥମ ଦିନରେ ଓଡ଼ିଶାକୁ ସ୍ବର୍ଣ୍ଣ ଓ ରୌପ୍ୟ :
ରାଜ୍ୟ ଭାରୋତ୍ତୋଳନ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାର ପ୍ରଥମ ଦିନରେ ମହିଳା ୪୦ କେଜି ୟୁଥ ବର୍ଗରେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଥିଲେ । ଜ୍ୟୋତ୍ସ୍ନା ମୋଟ ୧୧୮ କିଲୋଗ୍ରାମ ଭାରୋତ୍ତୋଳନ କରିଥିଲେ । ଯେଉଁଥିରେ ସ୍ନାଚରେ ୫୫ ଓ କ୍ଲିନ ଆଣ୍ଡ ଜର୍କରେ ୬୩ କିଗ୍ରା ରହିଛି । ସେହିପରି ଏହି ବିଭାଗରେ ତାମିଲନାଡ଼ୁର କେ ଇଶ୍ୱରିୟା ମୋଟ ୧୧୨ କିଗ୍ରା ଭାରୋତ୍ତୋଳନ କରି ରୌପ୍ୟ ପଦକ ଓ ହରିୟାଣାର ହିମାଂଶୀ କାଂସ୍ୟ ପଦକ ପାଇଥିଲେ । ମହିଳା ୪୫ କିଗ୍ରା ୟୁଥ ଇଭେଣ୍ଟରେ ଅନ୍ୟତମ ଓଡ଼ିଆ ଭାରୋତ୍ତୋଳିକା ତୁଳସୀ ଶବର ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ମୋଟ ୧୪୯ କିଗ୍ରା ଭାର ଉଠାଇ ମହାରାଷ୍ଟ୍ରର ଆକାଂକ୍ଷା ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ତୁଳସୀ ମୋଟ ୧୨୦ କିଗ୍ରା ଭାରୋତ୍ତୋଳନ କରି ରୌପ୍ୟ ପଦକ ଜିତିଛନ୍ତି । ଯେଉଁଥିରେ ସ୍ନାଚରେ ୫୫ ଓ କ୍ଲିନ୍ ଆଣ୍ଡ ଜର୍କ ୬୫ କିଗ୍ରା ରହିଛି ।
ଦ୍ବିତୀୟ ଦିନରେ ୩ ସ୍ବର୍ଣ୍ଣ-୧ ରୌପ୍ୟ:
ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଯୁବ ମହିଳା କ୍ରୀଡାବିତମାନେ 3ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଥିବା ଦେଖିବାକୁ ମିଳିଥିଲା । ମୀନା ସାନ୍ତା ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିବା ବେଳେ ସ୍ନେହା ସୋରନ ଗୋଟିଏ ସ୍ବର୍ଣ୍ଣ ଜିତିଛନ୍ତି । 55 କୋଜି ସିନିୟରରେ ସ୍ନେହା ସୋରନ୍ ୧୮୪ କିଗ୍ରା ଭାରତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଯେଉଁଥିରେ ସ୍ନାଚରେ ୭୮ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୦୬ କେଜି ରହିଥିଲା । ମୀନା ଏହି ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲା । 55 କୋଜି ଜୁନିଅରରେ ମୀନା ସାନ୍ତା ମୋଟ୍ ୧୭୯ କିଗ୍ରା ଭାର ଉଠାଇ ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ମୀନା ସ୍ନାଚରେ ୭୮ କେ.ଜି ଏବଂ କ୍ଲିନ ଆଣ୍ଡ୍ ଜର୍କରେ ୧୦୧ କିଗ୍ରା ଭାରତ୍ତୋଳନ କରିଥିଲେ । ଯୁବ ବର୍ଗରେ ମୀନା ୧୭୯ କେଜିର ଭାରୋତ୍ତୋଳନ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସ କରିଥିଲେ ।
୨୬ ରାଜ୍ୟର ୪୦୦ରୁ ଅଧିକ କ୍ରୀଡାବିତ ସାମିଲ:
ଓଡି଼ଶା ଭାରୋତ୍ତୋଳନ ସଂଘ ପକ୍ଷରୁ ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ଖେଲୋ ଇଣ୍ଡିଆ ମହିଳା ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତା ଆଯୋଜିତ ହୋଇଛି । ଏଥିରେ ଦେଶର ୨୬ଟି ରାଜ୍ୟର ୪୦୦ରୁ ଅଧିକ ଯୁବ, କନିଷ୍ଠ ଓ ବରିଷ୍ଠ ବିଭାଗର ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାର ୨୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ପଦକ ବିଜେତା ଜ୍ୟୋତ୍ସ୍ନା ଶବର, ମୀନା ସାନ୍ତା, ସ୍ନେହା ସୋରେନ୍ ଓ ଶୁଭସ୍ମିତା ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି । ୪୯ କିଲୋଗ୍ରାମ କେଟାଗୋରୀରରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଆନ୍ଧ୍ରପ୍ରଦେଶର ବି. ଚନ୍ଦ୍ରିକା ବେଶ ଖୁସି ପ୍ରକାଶ କରିବା ସହିତ ଏହି ସଫଳତା ପାଇବା ପରେ ଅଲ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି ।
ଆନ୍ତର୍ଜାତିକ ଭାରୋତ୍ତୋଳକ କେ. ରବି କୁମାର କହିଛନ୍ତି, '' ଆମ ରାଜ୍ୟର ପ୍ରତିଯୋଗୀ ମାନେ ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ଯେଉଁ ଆଶା ରଖିଥିଲେ ତାହା ଧିରେ ଧିରେ ସଫଳ ହେଉଛି । ଓଡ଼ିଶା ପ୍ରତିଯୋଗୀ ପ୍ରଥମ ୨ ଦିନରେ ୪ଟି ସ୍ବର୍ଣ୍ଣ ସହିତ ମୋଟ ୬ଟି ପଦକ ପାଇଛନ୍ତି । ମୋଟ 12 ଟି ପଦକ ଜିତିବୁ ବୋଲି ଆମର ଆଶା । ଆଗକୁ ଭଲ ପ୍ରଦର୍ଶନ କରିବୁ । '' ଚଳିତ ମାସ ୧୪ ତାରିଖରେ ଏହି ପ୍ରତିଯୋଗିତା ଉଦଯାପିତ ହେବ ।
ଇଟିଭି ଭାରତ, ବ୍ରହ୍ମପୁର