ହାଇଦ୍ରାବାଦ:ଆଗାମୀ ଲୋକସଭା ନିର୍ବାଚନକୁ ଫୋକସରେ ରଖି 23 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ଓଡିଶାର ବିଜେପି ପ୍ରଭାରୀ ଗୁରୁଦାୟିତ୍ୱ ବିଜୟପାଲ ସିଂ ତୋମାରଙ୍କୁ ମିଳିଥିବା ବେଳେ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି ଛତିଶଗଡ ବିଧାୟିକା ଲତା ଉସେଣ୍ଡିଙ୍କୁ । ଛତିଶଗଡରେ ପଦ୍ମ ଫୁଟିବାରେ ଲତାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ଆଣିପାରନ୍ତି ବଡ ପରିବର୍ତ୍ତନ । ତେବେ ମହିଳା ଆଦିବାସୀ ନେତା ଲତା ଉସେଣ୍ଡିଙ୍କ ରାଜାନୈତିକ କ୍ୟାରିଅରଠୁ ନେଇ ଲୋକପ୍ରିୟତା ପର୍ଯ୍ୟନ୍ତ ଦେଖନ୍ତୁ ଏହି ରିପୋର୍ଟରେ ।
ଛତିଶଗଡ କୋଣ୍ଡଗାଁଓ ନିର୍ବାଚନ ମଣ୍ଡଳୀର ବିଧାୟିକା ଲତା ଉସେଣ୍ଡିଙ୍କୁ ମିଳିଛି ଓଡିଶା ସହ-ପ୍ରଭାରୀ ଦାୟିତ୍ୱ । ଲତା ଉସେଣ୍ଡି ବିଶେଷ ଭାବେ ମହିଳା ଆଦିବାସୀ ନେତା ଭାବେ ବେଶ ଜଣାଶୁଣା । 1974ରେ ଛତିଶଗଡର ଧାଉଦାଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଲତା ଉସେଣ୍ଡି । ସ୍ନାତକ ପରେ ରାଜନୀତିରେ ପାଦ ଥାପିଥିଲେ ଲତା । କୋଣ୍ଡଗାଁଓ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ତାଙ୍କ ବାପା ନିର୍ବାଚନ ଲଢୁଥିବା ବେଳେ ବାପାଙ୍କ ପରେ ଏହି ଆସନରୁ ଲଢି ବିଜୟଲାଭ କରିଥିଲେ ଲତା । 1998ରେ ପ୍ରଥମେ ସେ ଦଳର ଦାୟିତ୍ୱ ନେଇଥିଲେ । 1999ରେ ପ୍ରଥମ ଥର ପାଇଁ କାଉନସିଲ ଭାବେ ନିଯୁକ୍ତ ହୋଇଥିଲେ ଲତା । 2002ରେ କୋଣ୍ଡାଗାଁଓ ଜିଲ୍ଲାର ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ ।
ସେ 2003ରେ କୋଣ୍ଡାଗାଓନରୁ ଦଳର ପ୍ରାର୍ଥୀ ହୋଇ ଏକ ବଡ଼ ବ୍ୟବଧାନରେ ଜିତିଥିଲେ । 2005ରେ ତାଙ୍କୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଥିଲା । 2008ରେ ସେ କୋଣ୍ଡାଗାଓନରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। 2018 ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମୋହନ ମାର୍କାମଙ୍କ ଠାରୁ ହାରି ମଧ୍ୟ ହେଲେ ତୃଣମୂଳସ୍ତରରେ କାର୍ଯ୍ୟ ଜାରି ରଖିଥିଲେ । ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । 2023ରେ ପୁନର୍ବାର ସେହି ଆସନରୁ ଲଢି ମାର୍କାମଙ୍କୁ ପରାସ୍ତ କରିଥିଲେ ଲତା ।