ଭୁବନେଶ୍ବର: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2 ଦିନ ଧରି ନବୀନ ବିଭିନ୍ନ ବର୍ଷା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି ଚାଷୀଙ୍କୁ ଭେଟିବା ପରେ ନବୀନ ଏହି ଚିଠି ଲେଖିଛନ୍ତି । ଅଦିନିଆ ବର୍ଷାରେ ରାଜ୍ୟରେ ବ୍ୟାପକ ଫସଲ ହାନୀ ଘଟିଛି । ଚାଷୀ ମୃତ୍ୟୁ ଓ ଆତ୍ମହତ୍ୟା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ତେଣୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ କ୍ଷତିପୂରଣ ପ୍ରଦାନ କରିବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।
- କ୍ଷୟକ୍ଷତି ଯୋଗୁଁ ଚାଷୀ ଆତ୍ମହତ୍ୟା କରିଛନ୍ତି: ନବୀନ
ନବୀନ ଚିଠିରେ ଲେଖିଛନ୍ତି,"ମୁଁ 30 ଓ 31 ତାରିଖରେ ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଗସ୍ତ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛି । ସେମାନେ ଏବେ ଚିନ୍ତାରେ ଅଛନ୍ତି । କାରଣ ଅମଳ ସମୟରେ ବ୍ୟାପକ ମାତ୍ରାରେ ଧାନ ଓ ଅଣ ଧାନ ଜାତୀୟ ଫସଲ ନଷ୍ଟ ହୋଇଛି । ନିକଟ ଅତୀତରେ ଏପରି କ୍ଷୟକ୍ଷତି ଚାଷୀଙ୍କର ହୋଇନଥିଲା । ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀମାନେ କଷ୍ଟରେ ଅଛନ୍ତି । ଅଦିନିଆ ବର୍ଷା ବାବଦରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଚାଷୀ ଅଭିଯୋଗ କରୁଛନ୍ତି । ସେହିପରି ବହୁ ସ୍ଥାନରେ ଶସ୍ୟ ନଷ୍ଟ ନେଇ ସର୍ବେକ୍ଷଣ ହୋଇନାହିଁ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଚାଷୀ ଆତ୍ମହତ୍ୟା କଥା ସାମ୍ନାକୁ ଆସୁଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର କୃତିବାସ ସ୍ୱାଇଁ ଆତ୍ମହତ୍ୟା ଅଭିଯୋଗ ହୋଇଛି । କ୍ଷୟକ୍ଷତି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଭେଟି ଜାଣିଲି ।"
- ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ପ୍ରସଙ୍ଗ ଉଠାଇଲେ ନବୀନ:-
ନବୀନ ଆହୁରି ମଧ୍ୟ ଲେଖିଛନ୍ତି,"ଓଡିଶାର ଚାଷୀ ଓ ତାଙ୍କ ପରିବାର ଏହି ପରିସ୍ଥିତିରେ ବହୁ କଷ୍ଟରେ ଅଛନ୍ତି । ତେଣୁ ଅନିଦିଆ ବର୍ଷାରେ କ୍ଷତିଗ୍ରସ୍ତ ଯୋଗୁଁ ଭଙ୍ଗିପଡିଥିବା ଚାଷୀଙ୍କ ଆତ୍ମବଳକୁ ବଢାଇବା ପାଇଁ ସରକାର କାର୍ଯ୍ୟ କରନ୍ତୁ । ଏହା ସହ ସଠିକ ସମୟରେ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ମୁଁ ଅନୁରୋଧ କରୁଛି । ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟ ହେଉଛି ଓଡିଶା । ଓଡିଶାବାସୀ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମନ୍ୟତା ପ୍ରଦାନ କରିବା କଥା ବିଜେଡି ଦାବି କରି ଆସୁଛି । ଯଦି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ମିଳିଥାନ୍ତା, ତେବେ ଚାଷୀ ପାରିବାର ଆଜି ଆଡିସନାଲ ସପୋର୍ଟ ସହ ଯଥାଶୀଘ୍ର କ୍ଷତିପୂରଣ ପାଇପାରିଥାନ୍ତେ । ସେମାନଙ୍କ ମନୋବଳ ପୁଣି ଥରେ ସବଳ ହୋଇଥାନ୍ତା ।’’
- ଉଜୁଡା କ୍ଷତରେ ପହଞ୍ଚିଥିଲେ ଉଭୟ ଶାସକ-ବିରୋଧୀ:-
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂଆବର୍ଷ ପୂର୍ବରୁ ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଯାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତ 30 ଓ 31 ତାରିଖରେ ଦୁଇ ଦିନ ଧରି 5 ଜିଲ୍ଲା ଗସ୍ତ କରିଥିଲେ ନବୀନ । ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ ନବୀନ ।
- 6 ମାସ ହୋଇନି, ଏତେ ବ୍ୟାକୁଳ କାହିଁକି: ବିଜେପି
ତେବେ ନବୀନଙ୍କ ଚିଠିକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ବିରୋଧୀ ଦଳ ନେତାଙ୍କ ଚିଠି ପ୍ରସଙ୍ଗରେ ତୁରନ୍ତ ପ୍ରତିକ୍ରିୟା ରଖିଛି ଶାସକ କ୍ୟାମ୍ପ । ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି," ବିଗତ ଦିନରେ ଧାନ ବିକା ହେଇ ପାରୁନଥିଲା । ଆଗରୁ ୬ ମାସ ଲେଖାଏଁ ଧାନ ମଣ୍ଡିରେ ପଡିରହି ସଢୁଥିଲା । ସେମାନେ ପଲିଥିନ୍ ମଧ୍ୟ ଲଗାଇ ପାରୁନଥିଲେ । ଏବେ ଏତେ ବ୍ୟାକୁଳ କାହିଁକି । ମାତ୍ର ୬ ମାସ ବି ହେଇନି । ସେମାନଙ୍କର ସରକାରକୁ ଫେରିବାର ଆଉ ସମୟ ନାହିଁ । ବର୍ଷା ସମ୍ପର୍କିତ ପୂର୍ବାକଳନ ସରକାର କରନ୍ତି ନାହିଁ ବରଂ ପାଣିପାଗ ବିଭଗ କରେ ।’’
ଏହା ମଧ୍ୟ ପଢନ୍ତୁ:- ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି କରିବୁ : ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା |
- ସେମାନେ ସରକାରକୁ ଫେରିବାର ସମ୍ଭାବନା ନାହିଁ :-
ବଳଭଦ୍ର ଆହୁରି ମଧ୍ୟ କହିଛନ୍ତି,‘‘ ଏତେ ବ୍ୟସ୍ତ କାହିଁକି ନବୀନ ବାବୁ । ସରକାରକୁ ମାତ୍ର ୬ ମାସ ହୋଇଛି । ନବୀନ ବାବୁ କାହିଁକି ବ୍ୟାକୁଳ ହେଉଛନ୍ତି । ସିଏ ଆଉ ସରକାରକୁ ଫେରି ପାରିବେନାହିଁ । ଏବେ ରାଜ୍ୟରେ ବିଜେପି 5 ବର୍ଷ ପାଇଁ ଜନାଦେଶ ପାଇଛି । ସରକାରଙ୍କୁ କାମ କରିବାର ସୁଯୋଗ ଦିଅନ୍ତୁ । ପାଣିପାଗ ବିଭାଗ ଆଗକୁ ବର୍ଷା ହେବ ବୋଲି ଆକଳନ କରିଥିଲା । କିନ୍ତୁ ବଡ କଥା ହେଉଛି, ଚାଷୀ ଏତେ ଶୀଘ୍ର ଧାନ କାଟିବା ସମ୍ଭବ ନଥିଲା । ସରକାର ତ କହିଛନ୍ତି, ଚାଷୀଙ୍କ ଯାହା କ୍ଷୟକ୍ଷତି ହୋଇଛି, ତାର କ୍ଷତିପୂରଣ ପ୍ରଦାନ କରିବେ । ନବୀନ ବାବୁ ଏତେ ବ୍ୟସ୍ତ କାହିଁକି । ମୋଦି ଶାସନରେ ରାଜ୍ୟକୁ ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ମିଳିଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଥିଲେ ଆଉ ଅଧିକ କଣ ମିଳିଥାନ୍ତା ।’’