ବ୍ରହ୍ମପୁର: ମୁଣ୍ଡ ନେଉଛି ଜାତୀୟ ରାଜପଥ । ଜାତୀୟ ରାଜପଥରେ ଜଗି ରହୁଛି ମୃତ୍ୟୁ । ବ୍ରହ୍ମପୁର ସହର ଦେଇ ଯାଇଥିବା ଏନଏଚ 16ରେ ଏଭଲି ରହିଛି 10ଟି ବ୍ଲାକ ସ୍ପଟ୍। ଯେଉଁଠି ଟିକିଏ ସତର୍କ ନ ରହିଲେ ଅକାଳରେ ଯାଇପାରେ ଜୀବନ । କିନ୍ତୁ ଏବେ ଏ ସମସ୍ୟାର ସମାଧାନ କରିବ ଆଇଆଇଟି ମାଡ୍ରାସ । ଏଣିକି କମିବ ଦୁର୍ଘଟଣା, ବଞ୍ଚିଯିବ ଜୀବନ । ବ୍ରହ୍ମପୁରର ବିଭିନ୍ନ ବ୍ଲାକ୍ ସ୍ପର୍ଟକୁ ଅନୁଧ୍ୟାନ କରିଛି ଆଇଆଇଟି ମାଡ୍ରାସ ଟିମ୍ । ଖୁବଶୀଘ୍ର ଏନେଇ ରୋଡମ୍ୟାପ ପ୍ରସ୍ତୁତ କରିବ ଆଇଆଇଟି ଟିମ୍ । ଦୁର୍ଘଟଣାର କାରଣ, କେମିତି କମିବ ଦୁର୍ଘଟଣା, ଦୁର୍ଘଟଣା ପରେ ଚିକିତ୍ସା ସ୍ଥିତି ଏସବୁ ଦିଗରେ ବ୍ରହ୍ମପୁରର ବିଭିନ୍ନ ବ୍ଲାକ୍ ସ୍ପଟକୁ ଯାଇ ଅନୁଧ୍ୟାନ କରିଛି ଆଇଆଇଟି ମାଡ୍ରାସ ଟିମ ।
- ଦୁର୍ଘଟଣା କମିବାର ବାଟ
କେତେକ ସ୍ଥାନରେ ରୋଡ ଇ଼ଂଞ୍ଜିନିୟରିଂ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି ଆଇଆଇଟି ମାଡ୍ରାସ ଟିମ । ଏପରିକି ସହର ସହିତ ଜାତୀୟ ରାଜପଥକୁ ସଂଯୋଗ ହେଉଥିବା ଓଭରବ୍ରିଜ କଡରେ ରହୁଥିବା ସର୍ଭିସ୍ ରାସ୍ତାକୁ ଟୁ-ଲେନ୍ ବିଶିଷ୍ଟ କରିବା ସହିତ ୬ ଲେନ୍ ରାସ୍ତା ରହିଲେ ଦୁର୍ଘଟଣା କମିବାର ବାଟ ବାହାରିବ । ଏପରିକି ପ୍ରତ୍ୟେକ ବ୍ଲାକ୍ ସ୍ପଟ ନିକଟରେ ଓଭରବ୍ରିଜ୍ କରିବାକୁ ଏହି ଟିମ୍ ପ୍ରସ୍ତାବ ଦେଇଛନ୍ତି ।
![ବ୍ରହ୍ମପୁରର ବିଭିନ୍ନ ବ୍ଲାକ୍ ସ୍ପର୍ଟକୁ ଅନୁଧ୍ୟାନ କଲେ ଆଇଆଇଟି ମାଡ୍ରାସ ଟିମ୍](https://etvbharatimages.akamaized.net/etvbharat/prod-images/08-02-2025/od-bam-discuss-innovative-solutions-for-road-safety-7205524_08022025102552_0802f_1738990552_567.jpg)
- ଚିନ୍ତାଜନକ ଗଞ୍ଜାମ ଜିଲ୍ଲାର ଦୁର୍ଘଟଣା
ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ରାଜ୍ୟରେ ଯେଉଁ କେତେକ ଜିଲ୍ଲାରେ ଦୁର୍ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରାଯାଉଛି ସେଥିମଧ୍ୟରୁ ଗଞ୍ଜାମ ଅନ୍ୟତମ ରହିଥିବା ବେଳେ ଏଠାକାର ସଡ଼କ ଦୁର୍ଘଟଣାର କାରଣ କ’ଣ ସେ ସମ୍ପର୍କରେ ଆଲୋଚନା କରାଯାଇଛି । ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଆଇଆଇଟି ମାଡ୍ରାସ ଟିମ୍ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଆରକ୍ଷୀ ଅଧିକ୍ଷକଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ବର୍ଷର ବିଭିନ୍ନ ସମୟରେ ଘଟିଯାଉଥିବା ଦୁର୍ଘଟଣା ସ୍ଥଳର କାରଣ ,ଏହାର ନିରାକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଆଗାମୀ ଦିନରେ କଣ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ଆଇଆଇଟି ମାଡ୍ରାସ ପ୍ରଫେସର ଭେଙ୍କଟେଶ ବାଲ ସୁବ୍ରମନ୍ୟମ ଏବଂ ରାଜ୍ୟର ସଡକ ସୁରକ୍ଷା ପାଇଁ ରହିଥିବା ନୋଡାଲ ଅଧିକାରୀ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଗଙ୍ଗାଧର ସାହୁଙ୍କ ସହିତ ବ୍ରହ୍ମପୁର ଏସ୍.ପି ଶ୍ରବଣା ବିବେକ ଏହି ସଡ଼କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
![ବ୍ରହ୍ମପୁରର ବିଭିନ୍ନ ବ୍ଲାକ୍ ସ୍ପର୍ଟକୁ ଅନୁଧ୍ୟାନ କଲେ ଆଇଆଇଟି ମାଡ୍ରାସ ଟିମ୍](https://etvbharatimages.akamaized.net/etvbharat/prod-images/08-02-2025/od-bam-discuss-innovative-solutions-for-road-safety-7205524_08022025102552_0802f_1738990552_1005.jpg)
- ବ୍ରହ୍ମପୁରରେ 10ଟି ବ୍ଲାକ୍ ସ୍ପଟ
ବ୍ରହ୍ମପୁରର ବିଭିନ୍ନ ବ୍ଲାକ୍ ସ୍ପର୍ଟକୁ ଅନୁଧ୍ୟାନ କଲେ ଆଇଆଇଟି ମାଡ୍ରାସ ଟିମ୍ । ବ୍ରହ୍ମପୁରରେ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଥିବା ୧୦ ଗୋଟି ବ୍ଲାକ୍ ସ୍ପଟ ମଧ୍ୟରୁ ଯେଉଁ ରାସ୍ତାରେ ଅଧିକ ଦୁର୍ଘଟଣା ଘଟୁଛି ସେହିପରି ଆଠ ଗୋଟି ବ୍ଲାକସ୍ପଟ୍ ଅଞ୍ଚଳକୁ ଆଇଆଇଟି ମାଡ୍ରାସ ଟିମ୍ ପରିଦର୍ଶନ କରିଛନ୍ତି। ଆଇଆଇଟି ମାଡ୍ରାସ ଟିମ୍ ସହିତ ବ୍ରହ୍ମପୁର ପୋଲିସ ଟିମ୍ ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ଏନ୍ଏଚ୍-୫୯ର ନରସିଂହ ମନ୍ଦିର, ଏନ୍ଏଚ୍-୧୬ର ରଣ୍ଢା ଛକ, ତୁଳୁ ରୋଡ୍ ଛକ, ହଳଦିଆପଦର, ଲାଞ୍ଜିପଲ୍ଲୀ ବାଇପାସ୍, ବାବାଜୀ ଢ଼ାବା, କନିଷି, ଆଙ୍ଗୁଲି ଓଭରବ୍ରିଜ୍ ଭଳି ବ୍ଲାକସ୍ପଟ୍ ସ୍ଥାନ ପରିଦର୍ଶନ କରିଛନ୍ତି । ଯାହାକି ପ୍ରତେକ ସ୍ଥାନରେ କେଉଁ କାରଣରୁ କିଭଳି ଦୁର୍ଘଟଣା ଘଟୁଛି ଏବଂ ରୋଡ ଇଞ୍ଜିନିୟରିଂରେ ରହିଥବା ତ୍ରୁଟିକୁ ମଧ୍ୟ ଚିହ୍ନଟ କରାଯାଇ ସମ୍ପୃକ୍ତ ବିଭାଗକୁ ଅବଗତ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ସେଭଳି ଦୁର୍ଘଟଣା ରୋକିବାକୁ ମଧ୍ୟ ବ୍ୟାପକ ସଚେତନତା କରାଯିବାକୁ ସ୍ଥିର କରାଯାଇଛି ।
- ଏମକେସିଜିର ଟ୍ରମା କେୟାର ସେଣ୍ଟରରେ ଆଲୋଚନା
ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଅନୁଧ୍ୟାନ କରୁଥିବା ଆଇଆଇଟି ମାଡ୍ରାସ ଟିମ୍ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଦୁର୍ଘଟଣାସ୍ଥଳ ବୁଲ୍ଲି ଦେଖିବା ପରେ ସେଠାରୁ ଦୁର୍ଘଟଣା ପରବର୍ତ୍ତୀ ସମୟରେ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରହିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ଟ୍ରମା କେୟାର ସେଣ୍ଟରକୁ ଯାଇ ଚିକିତ୍ସକଙ୍କ ସହିତ ଆଲୋଚନା କରିଥିଲେ । ଚିକିତ୍ସକ ଡା.ସୁଧିର କୁମାର ମହାପାତ୍ର ଙ୍କ ସହିତ ଆଲୋଚନା କରି କିପରି ଦୁର୍ଘଟଣା ପରବର୍ତ୍ତୀ ସମୟରେ ଗୁରୁତରଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ମେଡିକାଲ ଟିମ୍ ପାଇଁ ଏକପ୍ରକାର ଆହ୍ୱାନ ରହିଥାଏ ସେ ନେଇ ଆଲୋଚନା କରିଥିଲେ । ଏପରିକି ଟ୍ରମା କେୟାର ସେଣ୍ଟରରେ ଆହୁରିିୱ ଉନ୍ନତିକରଣ କିପରି କରାଯିବ ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ପାଇଁ ଏଥିରେ ଆଲୋଚନା ହୋଇଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।
- କେଉଁ କାରଣରୁ ଘଟୁଛି ଦୁର୍ଘଟଣା ?
କେଉଁ କାରଣରୁ ଘଟିଯାଉଛି ଦୁର୍ଘଟଣା ତାହାର ବିଶ୍ଲେଷଣ କରିଛି ଆଇଆଇଟି ମାଡ୍ରାସ ସହିତ ମିଳିତ ଟିମ୍ । ବିଶେଷକରି ଦୁଇ ଚକିଆ ଏବଂ ଦୁଇ ଚକିଆ ମଧ୍ୟରେ କିଭଳି ଘଟୁଛି ଦୁର୍ଘଟଣା ? ବଡ ଗାଡି ଏବଂ ଅନ୍ୟାନ୍ୟ ଯାନବାହାନ ମଧ୍ୟରେ କିଭଳି ଘଟୁଛି ଦୁର୍ଘଟଣା? ଦ୍ରୃତଗତି, ମଦ୍ୟପାନ କରି ଗାଡି ଚାଳନାରୁ କିଭଳି ଜନସାଧାରଣ ନିବୃତ୍ତ ରହିବେ ସେନେଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି । ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ପାଳନ ମାନସିକତାକୁ ବୃଦ୍ଧି କରିବାକୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜନସାଧାରଣଙ୍କୁ କିଭଳି ସଡ଼କ ସୁରକ୍ଷାରେ ଅଧିକ ଭାଗୀଦାର କରାଯିବ ଏବଂ ସେଥିପାଇଁ ପ୍ରଶାସନ କ'ଣ ପଦକ୍ଷେପ ଗ୍ରହଣ କରିପାରିବ ସେନେଇ ଆଲୋଚନା ହୋଇଛି।
ଏହା ମଧ୍ୟ ପଢନ୍ତୁ ୧୮ ଲକ୍ଷ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା, ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତି ଟଙ୍କା
ଏହା ମଧ୍ୟ ପଢନ୍ତୁ 11 ପ୍ରସ୍ତାବକୁ ମୋହର; ଅନ୍ତୋଦୟ ଗୃହ ଯୋଜନାରେ ଦୁର୍ବଳ ବର୍ଗଙ୍କୁ ପକ୍କାଘର, 314 ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ
- ବ୍ରହ୍ମପୁର ପୋଲିସର ବ୍ୟାରିକେଡକୁ IIT ମାଡ୍ରାସ ଟିମର ପ୍ରଶଂସା
ଆଇଆଇଟି ମାଡ୍ରାସ ଟିମ୍ ବ୍ରହ୍ମପୁରରେ ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥଳକୁ ପରିକ୍ରମା କରିବା ପରେ ଦୁର୍ଘଟଣା ରୋକିବା ପାଇଁ ପୋଲିସ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପୁ ପ୍ରଶଂସା କରିଛି। ସେହିପରି ଦୁର୍ଘଟଣା ସଂଖ୍ୟ କିଭଳି ହ୍ରାସ ହେବ ସେନେଇ ପରାମର୍ଶ ଦେଇଛି ଟିମ । ବ୍ରହ୍ମପୁର ସହରର ନିକଟରେ ରହିଥିବା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ବାରମ୍ୱାର ସଡକ ଦୁର୍ଘଟଣା ଘଟୁଥିବା ଯୋଗୁଁ ସେହି ସ୍ଥାନରେ ପୋଲିସ ପକ୍ଷରୁ ବ୍ୟାରିକେଟ ରଖାଯାଇଥିବା ବେଳେ ପୋଲିସର ଏହି କାର୍ଯ୍ୟକୁ ଆଇଆଇଟି ଟିମ୍ ପକ୍ଷରୁ ପ୍ରଶଂସା କରାଯାଇଛି ।
‘‘ଗୋଟିଏ ପଟେ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ ଚଢାଉକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । ଗତ ବର୍ଷ ମୋଟ ୫୫୦ ରୁ ଅଧିକ ମଦ୍ୟପାନ କରି ଗାଡି ଚଳାଇବା ସମୟରେ ଧରପଗଡ ହୋଇଥିବା ପୋଲିସ କହିଛି । ଏହାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ’’ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି ଏମ ବିବେକ ଶ୍ରବଣା କୁମାର ।
- 2024ରେ ଯାଇଛି 155 ଜୀବନ
ଗତ ୨୦୨୪ ରେ ୨୮୮ ଦୁର୍ଘଟଣା ଘଟିଥିବାବେଳେ ଯାଇଛି ୧୫୫ ଜଣଙ୍କ ଜୀବନ। ଗତ ୨୦୨୪ ବର୍ଷରେ ଘଟିଯାଇଥିବା ଦୁର୍ଘଟଣା ଏକ ଚିନ୍ତାର କାରଣ ବୋଲି କୁହାଯାଇପାରେ । ପୋଲିସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଘଟିଯାଇଥିଲା ୨୮୮ ଗୋଟି ଦୁର୍ଘଟଣା । ଯେଉଁଥିରେ ପ୍ରାୟ ୧୪୧ ଗୋଟି ଦୁର୍ଘଟଣାରେ ୧୫୫ ଜଣ ବ୍ୟକ୍ତିବିଶେଷଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୪୭ ଗୋଟି ଦୁର୍ଘଟଣାରେ ୨୦୧ ଜଣ ବ୍ୟକ୍ତିବିଶେଷ ଗୁରୁତର ହୋଇଥିଲେ । ଏଣୁ କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଥିଲା ପୋଲିସ ପକ୍ଷରୁ କିପରି ତାହାର ଅନୁଧ୍ୟାନ କରାଯାଇଛି ସେହି ଦୁର୍ଘଟଣା ହେବା ପରେ ଘଟଣାସ୍ଥଳରେ କିଭଳି ନିରାକରଣ ପାଇଁ ନିଆଯାଇଛି ପଦକ୍ଷେପ ତାହାରି ଉପରେ ଆଲୋଚନା କରାଯାଇଥିଲା । ଏପରିକି ଆଗାମୀ ଦିନରେ ଯେପରି ଦୁର୍ଘଟଣା ସଂଖ୍ୟା କମ୍ କରାଯିବା ସହିତ ମୃତ୍ୟୁ ସଂଖ୍ୟା ଏବଂ ଆହାତ ସଂଖ୍ୟା କମ୍ କରାଯିବ ସେ ନେଇ ଉଦ୍ୟମ କରାଯିବାକୁ ଯୋଜନା କରାଯାଉଥିବା କୁହାଯାଇଛି ।