ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ରାଜନୈତିକ ଦଳଗୁଡିକର ହାଇଭୋଲଟେଜ୍ ପ୍ରଚାର ପରେ ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ନିଜ ପନ ପସନ୍ଦର ନେତାଙ୍କୁ ଭୋଟ ଦେଉଛନ୍ତି ଭୋଟର । ବୁଥରେ ଲମ୍ବା ଲାଇନରେ ଛିଡା ହୋଇ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟ 6ଟାରେ ଶେଷ ହେବ । 102 ସଂସଦୀୟ କ୍ଷେତ୍ର ମଧ୍ୟରେ 73ଟି ଜେନେରାଲ, 11ଟି ଅନୁସୂଚିତ ଜନଜାତି ଓ 18ଟି ଅନୁସୂଚିତ ଜାତି ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ । ଆଜି 1625 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।
ଅରୁଣାଚଳ ଓ ସିକ୍କିମରେ ବିଧାନସଭା ନିର୍ବାଚନ:ଲୋକସଭା ନିର୍ବାଚନ ସହ ଅରୁଣାଚଳ ପ୍ରଦେଶର ଓ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ଅରୁଣାଚଳରେ 60 ଓ ସିକ୍କିମର 32 ବିଧାନସଭା ଆସନରେ ଭୋଟ ଦେଉଛନ୍ତି ଭୋଟର । ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଛି । ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ: 1625 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - LOK SABHA ELECTIONs 2024
ଭୋଟ ଦେବାକୁ ଦେଶବାସୀଙ୍କୁ ଅପିଲ କଲେ ମୋଦି: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ଆଜି ଠାରୁ ଆରମ୍ଭ ହେଉଛି । 21 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 102 ଟି ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦିଆଯାଉଛି । ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାତାଙ୍କୁ ମୋର ନିବେଦନ ସମସ୍ତେ ସେମାନଙ୍କର ମତ ସାବ୍ୟସ୍ତ କରନ୍ତୁ । ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ସମସ୍ତଙ୍କୁ ମୁଁ ନିବେଦନ କରୁଛି। ବହୁ ସଂଖ୍ୟାରେ ମତଦାନ କରିବାକୁ ନୂଆ ଭୋଟରଙ୍କୁ ମୋର ନିବେଦନ । ଗଣତନ୍ତ୍ରରେ, ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ ।
ଏହି ସବୁ ଆସନରେ ମତଦାନ: ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ସର୍ବାଧିକ 39ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହାସହିତ ରାଜସ୍ଥାନର 12, ଉତ୍ତରପ୍ରଦେଶର 8, ମଧ୍ୟପ୍ରଦେଶର 6, ଆସାମ, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରରେ 5 ଲେଖାଏଁ, ବିହାରରେ 4, ପଶ୍ଚିମବଙ୍ଗରେ 3, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ମେଘାଳୟରେ 2 ଲେଖାଏଁ, ମଜୋରାମ, ନାଗାଲାଣ୍ଡ, ଆଣ୍ଡାମାନ-ନିକୋବର, ଜମ୍ମୁକାଶ୍ମୀର, ଲକ୍ଷାଦ୍ବୀପ, ପୁଡୁଚେରୀ, ସିକିମ, ଛଡିଶଗଡ଼ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେଉଛି ।
ରାଜ୍ୟ | ଆସନ |
ତାମିଲନାଡୁ | 39 |
ରାଜସ୍ଥାନ | 12 |
ଉତ୍ତରପ୍ରଦେଶ | 8 |
ମଧ୍ୟପ୍ରଦେଶର | 6 |
ଉତ୍ତରାଖଣ୍ଡ | 5 |
ଆସାମ | 5 |
ମହାରାଷ୍ଟ୍ର | 5 |
ବିହାର | 4 |
ପଶ୍ଚିମବଙ୍ଗ | 3 |
ଅରୁଣାଚଳ ପ୍ରଦେଶ | 2 |
ମଣିପୁର | 2 |
ମେଘାଳୟ | 2 |
ମଜୋରାମ | 1 |
ନାଗାଲାଣ୍ଡ | 1 |
ଆଣ୍ଡାମାନ-ନିକୋବର | 1 |
ଜମ୍ମୁକାଶ୍ମୀର | 1 |
ଲକ୍ଷାଦ୍ବୀପ | 1 |
ପୁଡୁଚେରୀ | 1 |
ସିକ୍କିମ | 1 |
ମତ ସାବ୍ୟସ୍ତ କରିବେ 16.63 କୋଟି ଭୋଟର:102 ଲୋକସଭା ସିଟ ପାଇଁ 16.63 କୋଟିରୁ ଅଧିକ ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରେ 35.67 ଲକ୍ଷ ନୂଆ ଭୋଟର ରହିଛନ୍ତି । 1.87 ଲକ୍ଷ ମତଦାନ କେନ୍ଦ୍ରରେ ଭୋଟ ଜାରି ରହିଥିବା ବେଳେ 18 ଲକ୍ଷରୁ ଅଧିକ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ