ରାଉରକେଲା: ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ସେ ଆଜି ରାଉରକେଲା ଫେରିଛନ୍ତି । ଦିଲ୍ଲୀପ ବିଜେପିରୁ ଲଢ଼ିବେ ବୋଲି ଗତକାଲି କହିଥିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଆଜି ଜୁଏଲଙ୍କ ସହ ଦିଲ୍ଲୀପ ରାୟ ଆସି ରାଉରକେଲାରେ ପହଞ୍ଚିବା ପରେ ବିଜେପି କର୍ମୀ ଉଭୟଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ତେବେ ମୁଁ ବିଜେପିରେ ଅଛି ଓ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଦିଲ୍ଲୀପ ।
ଦିଲ୍ଲୀପ ରାୟ ଆସି ଆଜି ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମୀ ଏବଂ ସମର୍ଥକ ଭବ୍ୟ ସ୍ବାଗତ କରିଥିଲେ । ବ୍ୟାପକ ମାତ୍ରାରେ ସମର୍ଥକ ଆସି ପହଞ୍ଚିଥିଲେ । ଏହି ଅବସରରେ ନିଜ ପ୍ରତିକ୍ରିୟାରେ ଦିଲ୍ଲୀପ କହିଛନ୍ତି, "ମୁଁ ବର୍ତ୍ତମାନ ମଧ୍ୟ ବିଜେପିରେ ଅଛି । ମୁଁ ୨୦୧୮ରେ ଇସ୍ତଫା ଦେଇଥିଲି । କିନ୍ତୁ ଦଳ ଏହାକୁ ସ୍ବୀକାର କରିନାହିଁ । ତେଣୁ ବର୍ତ୍ତମାନ ମଧ୍ୟ ମୁଁ ବିଜେପିରେ ଅଛି । ଲୋକଙ୍କ ଉତ୍ସାହ ଦେଖି ଭାରି ଖୁସି ଲାଗୁଛି । ନିର୍ବାଚନ ଲାଗି ରାଉରକେଲାବାସୀ ପ୍ରସ୍ତୁତ ଅଛନ୍ତି ଏବଂ ମୁଁ ମଧ୍ୟ ଏଥର ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି । ରାଉରକେଲାବାସୀ ସବୁବେଳେ ମୋ ସାଙ୍ଗରେ ଅଛନ୍ତି ଏବଂ ଇଲେକ୍ସନ ନହେଉଣୁ ଲୋକେ ମୋତେ ବିଜୟୀ କରି ସାରିଲେଣି । ଏଥର ରାଉରକେଲାବାସୀ ଯାହା ଚାହିଁବେ ତାହା ହେବ ।" ବର୍ତ୍ତମାନ ଯାଏଁ ଟିକେଟ ଫାଇନାଲ ହୋଇନାହିଁ, ଆଉ ଦିନେ ଦୁଇଦିନ ମଧ୍ୟରେ ଦଳ ସ୍ପଷ୍ଟ କରିବ କହିଲେ ଦିଲ୍ଲୀପ ।