ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଆସନ୍ତା ୨୦ ତାରିଖରେ ଆସିକା ଲୋକସଭା ଆସନ ସହ ହିଞ୍ଜିଳିରେ ମତଦାନ ହେବ । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରମ୍ପରିକ ଆସନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗୁରୁବାର ଦିନ ଏଠି ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରତ୍ନଭଣ୍ଡାର ଏବଂ ବିଭିନ୍ନ ସ୍ଥାନୀୟ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।
କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏଠାକାର ସମସ୍ୟା ବିଷୟରେ ଅବଗତ ରହୁନଥିବାରୁ ବର୍ଷ ବର୍ଷ ଧରି ଅନେକ ସମସ୍ୟା ଲାଗି ରହୁଛି । ହିଞ୍ଜିଳିକାଟୁ ଅଞ୍ଚଳରେ ୯୬ ଗୋଟି ବିଦ୍ୟାଳୟରେ ରହିଥିବା ବେଳେ ଅନେକ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାରଟିଏ ନାହିଁ । ରାଜ୍ୟରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କ ହାତରେ ରହିବ ୫୦ ହଜାର ଟଙ୍କାର ଭାଉଚର । ରାଜ୍ୟରେ ସାତେ ତିନି ଲକ୍ଷ ନିଯୁକ୍ତି ବାହାର କରାଯିବ । ମୋଦିଜୀ ପ୍ରତ୍ୟେକଙ୍କୁ ଲକ୍ଷପତି ଦିଦି କରିବାର ଲକ୍ଷ୍ୟ ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଧାନର ସହାୟକ ମୁଲ୍ୟ ବୃଦ୍ଧି ପାଇଁ ବିଷ୍ଣୁଦେଵ ସାଏଙ୍କ ପ୍ରତିଶୃତି ବର୍ଷା - Bjp Campaign In Subarnapur
ଏଥିସହ ରତ୍ନଭଣ୍ଡାର ପ୍ରସଙ୍ଗରେ ଭୂପେନ୍ଦ୍ର ଯାଦବ ଚାବି ହଜାଇ ଦିଆଯିବା ଘଟଣାକୁ ସମାଲୋଚନା କରି ବିଜେପି ଆସିଲେ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ କରାଯିବ । ଓଡ଼ିଶା ବିଜେପି ସରକର କଲେ ବିଜେଡି ନେତା ପାଣ୍ଡିଆନ ସନ୍ୟାସ ନେବେ ବୋଲି କହୁଥିବା ବେଳେ ଓଡ଼ିଶାବାସୀ ହିସାବ ନିକାସ ନକଲେ ଛାଡ଼ିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ହୋଇଥିବା ହିଂସାକାଣ୍ଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁକୁ କେନ୍ଦ୍ରମନ୍ତ୍ରୀ ଦୃଢ଼ ନିନ୍ଦା କରିବା ସହିତ ସମସ୍ତେ ଦୁଇ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ଲୋକସଭା କ୍ଷେତ୍ରର ବିଜେପି ଦଳର ପ୍ରାର୍ଥିନୀ ଅନିତା ଶୁଭଦର୍ଶିନୀ, ହିଞ୍ଜିଳିକାଟୁ ବିଧାନସଭାର ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କ ସମେତ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସ୍ବାଇଁ ଏବଂ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ହିଞ୍ଜିଳିକାଟୁ ନିକଟସ୍ଥ ଶଙ୍କର ନେତ୍ରାଳୟ ପଡିଆଠାରେ ଏହି ବିଜୟ ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର