ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ରାଜ୍ୟ ରାଜନୀତି ନୂଆ ମୋଡ଼ ନେବାରେ ଲାଗିଛି । ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ରାଜନୀତିକୁ ଓହ୍ଲାଇଥିବା ବେଳେ ତାଙ୍କ ବଡ଼ ଭାଉଜ ସୀତା ସୋରେନ ଏବେ ବିଜେପିରେ ଯୋଗ ଦେଇଛନ୍ତି । ଯାହା ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଦେଇଛି । ସୋରେନ ପରିବାରର ବଡ ଓ ସାନ ବୋହୂଙ୍କ ମଧ୍ୟରେ ଆଗାମୀ ଦିନରେ ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବାର ସମ୍ଭାବନା ବଢ଼ିଛି। ଶିବୁ ସୋରେନଙ୍କ ପରିବାର ଏବେ ଦୁଇ ଫାଳ ହୋଇଯାଇଥିବା ବେଳେ ଏହାର ଲାଭ କାହାକୁ ମିଳିବ ? କଳ୍ପନାଙ୍କୁ ନା ସୀତାଙ୍କୁ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆଗାମୀ ନିର୍ବାଚନରେ ଓଡ଼ିଶାର ଏହି ଦୁଇ ଝିଅ କେଉଁଠି ନା କେଉଁଠି ଝାଡ଼ଖଣ୍ଡ ରଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛନ୍ତି, ଏକଥା ସ୍ବୀକାର କରିବାକୁ ପଡ଼ିବ !
ଫାଟ ପାଇଁ ମେଣ୍ଟ ଦାୟୀ !
ବରିଷ୍ଠ ସାମ୍ବାଦିକ ବୈଜନାଥ ମିଶ୍ରଙ୍କ ମତରେ, '' ସୋରେନ ପରିବାରର ବଡ଼ ବୋହୂ ସୀତା ସୋରେନଙ୍କ ବିଜେପିରେ ସାମିଲ ହେବା ପରେ କଳ୍ପନା ସୋରେନଙ୍କୁ ମିଳୁଥିବା ସହାନୁଭୂତି ଉପରେ ପ୍ରଭାବ ପକାଇପାରେ । ସୀତା ସୋରେନ ଜଣେ ବଡ଼ ନେତ୍ରୀ ନୁହନ୍ତି । ତାଙ୍କ ପାଖରେ ଥିବା ଏକମାତ୍ର ଜଣାଶୁଣା ନାମ ରହିଛି ସେ ହେଉଛନ୍ତି ଦୁର୍ଗା ସୋରେନଙ୍କ ପତ୍ନୀ । କଳ୍ପନା ସୋରେନଙ୍କ ସହିତ ଦଳ ଛିଡା ହୋଇଛି । ଏହା ମଧ୍ୟ ବୁଝିବାକୁ ପଡିବ ଯେ ସୀତା ସୋରେନ କାହିଁକି ଜେଏମଏମ ଛାଡିଲେ ? ଏହାର ସବୁଠାରୁ ବଡ କାରଣ ହେଉଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନରେ କଳ୍ପନା ସାମିଲ ହେବା । ସିଏମ୍ ଚମ୍ପାଇ ସୋରେନ ସେଠାରେ ମଞ୍ଚରେ କହିବାର ସୁଯୋଗ କଲ୍ପନାଙ୍କୁ ମଧ୍ୟ ଦେଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଥିଲା ଯେ ଜେଏମଏମ ନେତୃତ୍ୱ କାହା ହାତେର ରହିଛି । ଦଳରେ କଳ୍ପନା କୌଣସି ପଦବୀ ନଥିବା ବେଳେ ସୀତା ସୋରେନ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଥିଲେ । ଯିଦି କଳ୍ପନା ମୁମ୍ବାଇ ଯାଇନଥାନ୍ତେ ତେବେ ସମ୍ପର୍କରେ ଫାଟ ଆସିନଥାନ୍ତା । ସେହିପରି ତିନିଥର ବିଧାୟକ ହୋଇଥିବା ସୀତା ସୋରେନଙ୍କୁ ମନ୍ତ୍ରୀ କରିବା ପରିବର୍ତ୍ତେ ବସନ୍ତ ସୋରେନଙ୍କୁ ମନ୍ତ୍ରୀ କରାଯାଇଥିଲା । ଅଣଦେଖା କରାଯାଉଥିବା ମନେ କରି ସେ ପାର୍ଟି ବଦଳାଇଥାଇ ପାରନ୍ତି । ବର୍ତ୍ତମାନ ବିଜେପି ଏହାର କିପରି ଫାଇଦା ନେବାକୁ ସକ୍ଷମ ହେଉଛି ତାହା ଜାଣିବା କଥା ।
ଏହା ମଧ୍ୟ ପଢନ୍ତୁ-ପୁଣି ଚର୍ଚ୍ଚାରେ ଝାଡ଼ଖଣ୍ଡ, BJPରେ ମିଶିଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ
ମୟୂରଭଞ୍ଜ ଝିଅ ସୀତା ସୋରେନ ଏବଂ କଳ୍ପନା ସୋରେନ:ଜେଏମ୍ଏମ୍ ସୁପ୍ରିମୋ ଶିବୁ ସୋରେନଙ୍କ ବଡ ପୁଅ ସ୍ୱର୍ଗତ ଦୁର୍ଗା ସୋରେନଙ୍କ ପତ୍ନୀ ହେଉଛନ୍ତି ସୀତା ସୋରେନ । ହେମନ୍ତ ସୋରେନ ହେଉଛନ୍ତି ଶିବୁ ସୋରେନଙ୍କ ମଝିଆଁ ପୁଅ । ତାଙ୍କ ପତ୍ନୀ ହେଉଛନ୍ତି କଳ୍ପନା ସୋରେନ । ସୀତା ସୋରେନ ଏବଂ କଳ୍ପନା ସୋରେନ ହେଉଛନ୍ତି ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଝିଅ । ସୀତା ସୋରେନଙ୍କ ଭଳି କଳ୍ପନା ସୋରେନ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି । 21 ମେ 2009 ରେ ଦୁର୍ଗା ସୋରେନଙ୍କ ଅକାଳ ବିୟୋଗ ପରେ ସୀତା ସୋରେନଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପଡିଲା । ସେ 3 ଥର ବିଧାୟିକା ଭାବେ ନିର୍ବାଚିତ ହୋଇସାରିଛନ୍ତି । ହେମନ୍ତ ସୋରେନ ପତ୍ନୀ କଲ୍ପନା ସୋରେନ ବିବାହ ପରେ ଜଣେ ଗୃହିଣୀ ଥିଲେ । କିନ୍ତୁ ଯେତେବେଳେ ତାଙ୍କ ସ୍ବାମୀ ଗିରଫ ହେଲେ ତାଙ୍କୁ ରାଜନୀତିକୁ ଓହ୍ଲାଇବାକୁ ପଡିଲା । ତାଙ୍କର କେବଳ ଗୋଟିଏ ସ୍ଲୋଗାନ ଅଛି ଝାଡଖଣ୍ଡ ମୁଣ୍ଡ ନୂଆଁଇବା ନାହିଁ । କିନ୍ତୁ ବିଜେପିରେ ଯୋଗଦେବା ପରେ ସୀତା ସୋରେନ କହିଥିଲେ, ଝାଡଖଣ୍ଡକୁ ନୂଆଇଁବା ଆବଶ୍ୟକ ନୁହଁ ବରଂ ଏହାକୁ ଉଦ୍ଧାର କରାଯିବା ଉଚିତ ।