ଚଣ୍ଡିଗଡ଼: ସଙ୍କଟରେ ହରିୟାଣାର ନୟାବ ସିଂସୈନୀ ସରକାର । ସଂଖ୍ୟାଲଘୁରେ ପରିଣତ ହୋଇଛି ବିଜେପି ନେତୃତ୍ବାଧୀନ ହରିୟାଣା ସରକାର । କାରଣ ୩ ସ୍ବାଧୀନ ବିଧାୟକମାନେ ନିଜର ସମର୍ଥନ ଫେରାଇ ନେଇଛନ୍ତି । ଏ ନେଇ ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନ କହିଛନ୍ତି ଯେ 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୮୮ ରହିଛି । ବିଜେପିରେ ୪୦ ଜଣ ସଦସ୍ୟ ଅଛନ୍ତି । ପୂର୍ବରୁ ବିଜେପି ସରକାରକୁ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଥିବା ବେଳେ ଏବେ ଜେଜେପି ଓ ସ୍ୱାଧୀନ ବିଧାୟକ ଦଳ ଛାଡୁଛନ୍ତି । ଫଳରେ ସୈନୀ ସରକାର ହରାଇଛି ସଂଖ୍ୟା ଗରିଷ୍ଠତା ।
ମୁଖ୍ୟମନ୍ତ୍ରୀ ନୟାବ ସିଂ ସୈନୀଙ୍କ ସରକାରରୁ ସମର୍ଥନ ଫେରାଇ ନେଇଥିବା 3 ସ୍ବାଧୀନ ବିଧାୟକ ପ୍ରାର୍ଥୀ ହେଉଛନ୍ତି ଚରଖି ଦାଦରୀର ବିଧାୟକ ସୋମବୀର ସାଙ୍ଗୱାନ, ପୁଣ୍ଡରୀର ବିଧାୟକ ରଣଧୀର ଗୋଲନ ଓ ନୀଲୋଖେଡିର ବିଧାୟକ ଧର୍ମପାଳ ଗୋନ୍ଦର । ଏହି ତିନି ବିଧାୟକ ଆଜି ରୋହତକରେ ହରିୟାଣା ବିଧାନସଭାର ବିପକ୍ଷ ଦଳ ନେତା ଭୁପେନ୍ଦ୍ର ସିଂ ହୁଡ୍ଡା ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଉଦୟଭାନଙ୍କ ଉପସ୍ଥିତିରେ କଂଗ୍ରେସକୁ ବାହ୍ୟ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ଏହାସହ ରାଜ୍ୟପାଳଙ୍କୁ ନିଜର ସମର୍ଥନ ଫେରାଇ ଆଣିବାର ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।
ଏହି ତିନି ସ୍ବାଧୀନ ବିଧାୟକ କହିଛନ୍ତି ଯେ, ଜନତା ବିଜେପିକୁ ସୁଯୋଗ ଦେଇସାରିଛି । ବର୍ତ୍ତମାନ ବିଜେପିକୁ ଆଉ ଅବସର ଦେବା ଉଚିତ ନୁହେଁ । କାରଣ ଏହି ସରକାରଙ୍କ ସମୟରେ ରାଜ୍ୟରେ ବେରୋଜଗାରୀ, ଦରଦାମ ବୃଦ୍ଧି, ବର୍ଦ୍ଧିତ ଅପରାଧ, ପରିବାର ଆଇଡି, ସମ୍ପତ୍ତି ଆଇଡି ପାଇଁ ଜନତା କଷ୍ଟ ପାଉଛନ୍ତି । କୃଷକ, ଶ୍ରମିକ, ଚାକିରିଆ ଭଳି ସମସ୍ତ ବର୍ଗ ଆଜି ଆନ୍ଦୋଳନରତ । ସେମାନେ ସରକାରଙ୍କୁ ବିଭିନ୍ନ ସମୟରେ ଚେତାଇବାକୁ ପ୍ରୟାସ କରିଛନ୍ତି ମାତ୍ର ବିଜେପି ନିଜର ଜିଦ୍ ଛାଡିପାରିନାହିଁ । ଏବେ ଲୋକଙ୍କୁ କେବଳ କଂଗ୍ରେସ ଉପରେ ଆଶା ଭରସା ରହିଛି । ହରିଆଣା ସମେତ ସମଗ୍ର ଦେଶରେ ଏବେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟର ଲହର ଅଛି । ଏହି ଗଠବନ୍ଧନକୁ ଜିତାଇବା ପାଇଁ ନିଜର ଦାୟିତ୍ବ ତୁଲାଇବେ ବୋଲି ସେମାନେ ପ୍ରକାଶ କରିଛନ୍ତି ।